ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିଜର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡ଼ି । କଳାହାଣ୍ଡିରୁ ଲମ୍ବୋଦର ନିଆଲ ପ୍ରାର୍ଥୀ ହୋଇଥିବା ବେଳେ ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡରୁ ଦିଲୀପ ତିର୍କି, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝି, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକାକା ଏବଂ ଆସ୍କାରୁ ରଂଜିତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି।
ପୂର୍ବରୁ ରାଜ୍ୟର ୧୮ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । ଆଜି ବିଜେଡ଼ିର ପ୍ରାର୍ଥୀ ଘୋଷଣା ପରେ ଅଧିକାଂଶ ଆସନରେ ବିଜେପି ଓ ବିଜେଡ଼ି ମଧ୍ୟରେ ସିଧାସଳଖ ଲଢେଇର ସମ୍ଭାବନା ରହିଛି । ହାଇପ୍ରୋଫାଇଲ ଭୁବନେଶ୍ବର ଆସନରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ମନ୍ମଥ ରାଉତରାୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ସେହିପରି ସମ୍ବଲପୁର ଆସନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ (ବବି) ଦାସଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଏହି ଲଢେଇ ଉପରେ ସାରା ରଜ୍ୟର ନଜର ରହିବ । କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡା ଓ ବିଜେଡ଼ିର ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ସୁନ୍ଦରଗଡ଼ରେ ବିଜେପିର ଜୁଏଲ ଓରାମ ଓ ବିଜେଡିର ଦିଲ୍ଲୀପ ତିର୍କୀଙ୍କ ମଧ୍ୟରେ ଲଢେଇ ହେବ ।
ତେବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଏପ୍ରିଲ ୧୯ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭, ଚତୁର୍ଥ ପର୍ଯ୍ୟାୟ ମେ ୧୩, ପଞ୍ଚମ ପର୍ଯ୍ୟାୟ ମେ ୨୦, ଷଷ୍ଠ ପର୍ଯ୍ୟାୟ ମେ ୨୫ ଓ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଜୁନ୍ ୧ରେ ମତଦାନ ହେବ।