ଓଡ଼ିଶା ଦେଉଛି ଭୋଟ : ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ

0

ଭୁବନେଶ୍ବର: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ( ଦେଶରେ ୪ର୍ଥ ପର୍ୟ୍ୟାୟ) ନିର୍ବାଚନ । ଆଜି ଓଡ଼ିଶାର ୪ ଲୋକସଭା ଏବଂ ୨୮ ବିଧାନସଭା ଆସନରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଆଜି ଭୋଟଗ୍ରହଣ ହେଉଥିବା ୪ଟି ଲୋକସଭା ଆସନ ହେଲା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ । ଏହା ସହିତ ଏସବୁ ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ସମସ୍ତ ବିଧାନସଭା ଆସନରେ ମତଦାନ ଶାନ୍ତି ଶୃଙ୍ଖଳା ସହ ଚାଲିଛି।

ମିଳିଥିବା ସୂଚନା ଅନୁସାରେ ସକାଲ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଛି । ଏହା ମଧ୍ୟରୁ କଳାହାଣ୍ଡି ୯.୬ ପ୍ରତିଶତ, କୋରାପୁଟ ୧୩.୧୪ ପ୍ରତିଶତ, ଗଞ୍ଜାମ ୬.୮୧ ପ୍ରତିଶତ ଓ ଗଜପତି ୧୦.୨୦ ପ୍ରତିସତ , ମାଲକାନଗିରି ୯.୧୫ ପ୍ରତିଶତ, ନବରଙ୍ଗପୁର ୮.୮୭ ପ୍ରତିଶତ, ମୋହନାରେ ୯.୫ ପ୍ରତିଶତ ଓ ପାରଳାଖେମୁଣ୍ଡିରେ ୧୧ ପ୍ରତିଶତ ମତଦାନ ହୋଇଛି ।

ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡିଶା । ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର ୫.୩୦ ମକ ପୋଲ ହୋଇଛି । ମକ୍ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି । ୭୩୦୩ ବୁଥରୁ ବାଲଟ ୟୁନିଟ ୫୨ ରିପ୍ଲେସ ହୋଇଛି । କଣ୍ଟ୍ରୋଲ ୟୁନିଟ ୫୮ ପରିବର୍ତ୍ତନ ହୋଇଛି । ଭିଭିପାଟ ୪୩ ପରିବର୍ତ୍ତନ ହୋଇଛି । ଏହା ମୋଟ ବୁଥର ୧ ପ୍ରତିଶତରୁ କମ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଛି । ଯେଉଁଠି ୧୦ ଟି ବାଲଟ ୟୁନିଟ, ୪୧ଟି କଣ୍ଟ୍ରୋଲ ୟୁନିଟ ଓ ୧୯ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଇଭିଏମ କମିଶନ ବେଳେ ଏଠାରେ ସମସ୍ୟା ରହିବ ବୋଲି ସୂଚନା ରହିଥିଲା । ସେଥିପାଇଁ ୫୦ ପ୍ରତିଶତ ଅଧିକ ଇଭିଏମ କମିଶନ ହୋଇଛି । ନିର୍ବାଚନ କମିଶନ୍ ତଥା ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। କଡ଼ା ସୁରକ୍ଷା ଲାଗି ୧୭ ହଜାର ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.