ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟ ସରକାର ପ୍ରାୟ ପ୍ରତିଦିନ ବିଭିନ୍ନ ଘୋଷଣାମାନ କରିଚାଲିଛନ୍ତି । ଏହି କ୍ରମରେ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗଠନ ସଂପର୍କରେ ଘୋଷଣା କରାଯାଇଛି । ଏହାସହିତ ଚାରିଟି ଜିଲ୍ଲାରେ ୫ଟି ଏନ୍ଏସି ମ୍ୟୁନିସିପାଲିଟିକୁ ଉନ୍ନୀତ ହେବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ଏସବୁ ଘୋଷଣା ବିଜେଡି ପାଇଁ ନିର୍ବାଚନରେ କେତେ ସହାୟକ ହେଉଛି ତାହା ଦେଖିବା କଥା, କାରଣ ରାଜ୍ୟରେ ଆଉ କେତେକ ଅଂଚଳରେ ଏନଏସି ଓ ମ୍ୟୁନିସିପାଲିଟି ଦାବି ରହିଛି । ସେମାନେ ଏହା ଦ୍ବାରା ନିରାଶ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଜି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନ୍ଏସିକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରାଯାଇଛି। ସେହିପରି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦଗୁଡ଼ିକ ହେଲା ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ଼ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡ଼ା, ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ସଇଁତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡ଼ା ଜିଲ୍ଲାର ସିନାପାଲି, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି, ମୁନିଗୁଡ଼ା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡ଼ାଖଣ୍ଡି, ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ରହିଛି। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।