ହଲିଉଡ୍ ଫିଲ୍ମର କାହାଣୀଠାରୁ ବି ବଡ଼ ଚମତ୍କାର ! ୪୦ ଦିନ ପରେ ଜଙ୍ଗଲରୁ ଜୀବନ୍ତ ମିଳିଲେ ବିମାନ ଦୁର୍ଘଟଣାରେ ନିଖୋଜ ୪ ଶିଶୁ, ଶିଶୁଙ୍କ ମଧ୍ୟରେ ବର୍ଷକର ଶିଶୁ ବି ଅଛି

0

ବୋଗୋଟା: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏହା କୌଣସି ହଲିଉଡ ଫିଲ୍ମର କାହାଣୀଠାରୁ କମ ରୋଚକ ନୁହେଁ । ମେ’ ୧ ତାରିଖରେ କଲମ୍ବିଆ ଆକାଶମାର୍ଗରେ ୭ ଜଣ ଯାତ୍ରୀଙ୍କୁ ନେଇ ସେସ୍ନା-୨୦୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଆମାଜନ ଜଙ୍ଗଲକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିୱା । କିନ୍ତୁ ବିମାନରେ ବସିଥିବା ୪ ଜଣ ଶିଶୁ ନିଖୋଜ ଥିଲେ ।

ବିମାନ ଦୁର୍ଘଟଣା ପରେ ସେନା ଯବାନମାନେ ପିଲାମାନଙ୍କୁ ଖୋଜିବା ପାଇଁ ସପ୍ତାହେ ଧରି ଉଦ୍ଧାର କାର୍ଯ୍ୟ କରିଥିଲେ, ପରେ ସେମାନେ ଆଶା ଛାଡ଼ିଦେଇଥିଲେ । କିନ୍ତୁ ଯଦି ରଖେ ହରି ମାରେ କିଏ ? ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ୪୦ ଦିନ ପରେ ଏବେ ୪ ଜଣ ଶିଶୁ ଜୀବିତ ଥିବା ଜଣାପଡିଛି । କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ଯେ କଲମ୍ବିଆର କାକ୍ୱେଟା ଏବଂ ଗୁଆଭିୟାର ପ୍ରଦେଶ ମଧ୍ୟରେ ଥିବା ଆମାଜନ ଜଙ୍ଗଲରୁ ପିଲାମାନଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଟ୍ୱିଟରରେ ଏ ନେଇ ସୂଚନା ଦେଇ ସେ ଲେଖିଛନ୍ତି, ‘ସମଗ୍ର ଦେଶ ପାଇଁ ଖୁସି! କଲମ୍ବିଆର ଜଙ୍ଗଲରେ ୪୦ ଦିନ ତଳେ ପ୍ରାଣ ହରାଇଥିବା ୪ ଜଣ ଶିଶୁ ଜୀବିତ ଅଛନ୍ତି ।

 

ତାଙ୍କ ଟୁଇଟରେ ଉଦ୍ଧାରକାରୀଙ୍କ ଫଟୋ ରହିଛି। ସେମାନଙ୍କ ମଧ୍ୟରୁ କେତେକ ସାମରିକ ପୋଷାକ ପିନ୍ଧିଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ତରପାଳରେ ବସିଥିବା ପିଲାମାନଙ୍କର ଯତ୍ନ ନେଉଥିବା ଦେଖିବାକୁ ମିଳୁଛି । ସେମାନେ ସାମରିକ ଉଦ୍ଧାରକାରୀ ଦଳର ସଦସ୍ୟ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେସ୍ନା ୨୦୬ ଆମାଜନାସ ପ୍ରଦେଶର ଆରାକୁଆରା ଏବଂ ଗୁଆଭିଏର ପ୍ରଦେଶର ସାନ୍ ଜୋସେ ଡେଲ ଗୁଆଭିଆ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବିମାନର ପାଇଲଟ ମେ-ଡେ’କୁ ନେଇ ଚେତାବନୀ ଦେଇଥିଲେ। ବିମାନର ଇଞ୍ଜିନରେ ତ୍ରୁଟି ଥିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ।

୪ ଜଣ ପିଲାଙ୍କ ମଧ୍ୟରୁ ଜଣଙ୍କର ବୟସ ୧୩ ବର୍ଷ, ଜଣେ ୯ ବର୍ଷ ଓ ଜଣେ ୪ ବର୍ଷର । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଉଦ୍ଧାର ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଜଣେ ମାତ୍ର ୧୨ ମାସର ନିରୀହ ରହିଛି । “ହଁ, ପିଲାମାନଙ୍କୁ ଠାବ କରାଯାଇଛି, କିନ୍ତୁ ମୋତେ ତୁରନ୍ତ ଯାଇ ସେମାନଙ୍କୁ ନେବା ପାଇଁ ଏକ ବିମାନ କିମ୍ବା ହେଲିକପ୍ଟର ଦରକାର,” କହିଛନ୍ତି ପିଲାଙ୍କ ଜେଜେବାପା ଫିଡେନସିଓ ଭାଲେନ୍ସିଆ । ଏହା କୌଣସି ଆଶ୍ଚର୍ଯ୍ୟର ଠାରୁ କମ୍ ନୁହେଁ। ଆମାଜନର ଘଞ୍ଚ ଜଙ୍ଗଲରେ ବିମାନ ଦୁର୍ଘଟଣା ପରେ ୪୦ ଦିନ କେମିତି ବଞ୍ଚିଲେ ଏତେ ଛୋଟ ପିଲା ? ଏଠାରେ ଏହି କଥା ସତ ପ୍ରମାଣିତ ହୋଇଛି, ରଖେ ହରି ମାରେ କିଏ ?

Leave A Reply

Your email address will not be published.