ଏହି ସରକାରୀ ଯୋଜନାରେ ନିବେଶ କଲେ ମାସକୁ ୫ ହଜାର ଟଙ୍କାର ନିଶ୍ଚିତ ଆୟ ମିଳିବ

0

ନୂଆଦିଲ୍ଲୀ: ସବୁ ବର୍ଗର କର୍ମଚାରୀଙ୍କ ଅବସର ପରେ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଚଳାଉଛନ୍ତି । ଏହା ଏକ ସରକାରୀ ନିବେଶ ଯୋଜନା ଯେଉଁଥିରେ ଯେ କେହି ବି ନିବେଶ କରିପାରିବେ ଏବଂ ଏକ ନିର୍ଦ୍ଦିଷ୍ଟ ବୟସ ପରେ ପ୍ରତି ମାସରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇବାର ଗ୍ୟାରେଣ୍ଟି ପାଇପାରିବେ । ଯଦି ଆପଣ ଏପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା ପାଇଁ ଆବେଦନ କରିନାହାଁନ୍ତି, ତେବେ ବର୍ତ୍ତମାନ କରନ୍ତୁ । ସରକାରୀ ପେନସନ ଯୋଜନା ଅଟଳ ପେନସନ ଯୋଜନା (ଏପିୱାଇ) ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଅଟଳ ପେନସନ ଯୋଜନା (ଏପିୱାଇ) ଅଧୀନରେ ଗ୍ରାହକ ପଞ୍ଜୀକରଣ ସଂଖ୍ୟା ୧୧୯.୩୧ ଲକ୍ଷ ରେକର୍ଡ କରାଯାଇଛି। ସେହିପରି ୨୦୨୩ ମାର୍ଚ୍ଚ ର ତଥ୍ୟ ଅନୁଯାୟୀ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ), ଏନପିଏସ ଲାଇଟ, ଅଟଳ ପେନସନ ଯୋଜନାର ସମୁଦାୟ ସଦସ୍ୟ ସଂଖ୍ୟା ୬୨୪.୮୧ ଲକ୍ଷକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ୨୦୨୨ ମାର୍ଚ୍ଚ ୩୧ରେ ସମୁଦାୟ ସଦସ୍ୟ ସଂଖ୍ୟା ୫୨୦.୨୧ ଲକ୍ଷ ଥିଲା।

୬୦ ବର୍ଷ ବୟସ ପରେ ପ୍ରତି ମାସରେ କର୍ମଚାରୀଙ୍କୁ ମିଳୁଛି ପେନସନ୍

୨୦୧୫ମସିହାରେ କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କୁ ଅବସର ପରେ ସାମାଜିକ ସୁରକ୍ଷା ପ୍ରଦାନ କରିବା । ଯେଉଁମାନେ ଏହି ଯୋଜନାରେ ସାମିଲ ହୁଅନ୍ତି ସେମାନଙ୍କୁ ୬୦ ବର୍ଷ ବୟସ ହେବା ପରେ ପ୍ରତି ମାସରେ ପେନସନ ଦିଆଯାଏ ।

ସର୍ବନିମ୍ନ ନିବେଶ ବିକଳ୍ପ

ଅଟଳ ପେନସନ ଯୋଜନାରେ ପ୍ରତି ମାସରେ ଏକ ନିର୍ଦ୍ଧାରିତ ରାଶି ପାଇବା ପୂର୍ବରୁ ସର୍ବନିମ୍ନ ୪୨ ଟଙ୍କା ଏବଂ ସର୍ବାଧିକ ୧୪୫୪ ଟଙ୍କା ବିନିଯୋଗ କରିବାକୁ ପଡିଥାଏ ଏବଂ ଏହି ନିବେଶ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କରିବାକୁ ପଡିଥାଏ । ଯଦି ଆପଣ ପ୍ରତି ମାସରେ ୪୨ ଟଙ୍କା ଜମା କରିଛନ୍ତି ତେବେ ୬୦ ବର୍ଷ ପୂରଣ ହେବା ପରେ ଆପଣଙ୍କୁ ମାସିକ ୧୦୦୦ ଟଙ୍କା ପେନସନ ମିଳିବ । ଯଦି ଆପଣ ମାସିକ ୧୪୫୪ ଟଙ୍କା ଜମା କରିଛନ୍ତି ତେବେ ଆପଣଙ୍କୁ ମାସିକ ୫,୦୦୦ ଟଙ୍କା ପେନସନ ମିଳିବ । ଏହି ସ୍କିମ୍ ଜରିଆରେ ଯେତେ ଶୀଘ୍ର ନିବେଶ ହେବ ସେତେ ଅଧିକ ଲାଭ ମିଳିବ।

ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଖୋଲନ୍ତୁ ଅଟଳ ପେନସନ ଖାତା

ଅଟଳ ପେନସନ ଯୋଜନାର ଲାଭ ପାଇବା ପାଇଁ ଆବେଦନକାରୀଙ୍କ ବୟସ ୧୮ରୁ ୪୦ ବର୍ଷ ହେବା ଦରକାର । ଅଟଳ ପେନସନ ଯୋଜନାରେ ସବସ୍କ୍ରାଇବ୍ କରିବା ପାଇଁ ଆବେଦନକାରୀ ନିକଟସ୍ଥ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଏକ ସଞ୍ଚୟ ଖାତା ଖୋଲି ମାସିକ ସ୍ତରରେ ଏକ ନିର୍ଦ୍ଦିଷ୍ଟ ରାଶି ନିବେଶ ଆରମ୍ଭ କରିପାରିବେ। ଅବସର ନେବା ପରେ କିମ୍ବା ୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ସେମାନଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପେନସନ ପ୍ରଦାନ କରାଯାଏ । ସୂଚନାଯୋଗ୍ୟ, ନୂଆ ନିୟମ ଅନୁଯାୟୀ ସମସ୍ତ ଟିକସଦାତାଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି ।

Leave A Reply

Your email address will not be published.