ଅମିତ ଶାହାଙ୍କ ବୟାନ ପରେ ଆହୁରି ଗୋଳିଆ ହେଲା ‘ମେଣ୍ଟ’ ସ୍ଥିତି

0

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବାକୁ ନେଇ ଗତ ପ୍ରାୟ ଏକ ମାସ ହେଲା ରାଜ୍ୟ ରାଜନୀତିରେ ହଟଚମଟ ଜାରି ରହିଛି । ଏହା ସତ୍ତ୍ବେ ମେଣ୍ଟ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲା ନାହିଁ । ମେଣ୍ଟ ହେବା ନେଇ କଣ ପ୍ରତିବନ୍ଧକ ରହୁଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ ।

ନିର୍ବାଚନ କମିସନ ଆସନ୍ତା ଶନିବାର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଥିବାବେଳେ ଏବେ ବି ମେଣ୍ଟର ଭାଗ୍ୟ ଅଧାରେ ଲଟକିଛି । ଏବେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଛଡ଼ାଯାଇଛି ।

ଏପରି ସ୍ଥିତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ବୟାନ ସ୍ଥିତିକୁ ସ୍ପଷ୍ଟ କରିବ କଣ ଆହୁରି ଗୋଳିଆ କରିଦେଇଛି । ଏକ ଜାତୀୟ ସ୍ତରର ଟିଭି ଚ୍ୟାନେଲର କନକ୍ଲେଭରେ ଯୋଗ ଦେଇ ସେ କହିଛନ୍ତି ଯେ ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇନାହାନ୍ତି । ଲୋକସଭା, ବିଧାନସଭା ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ । ସେ କହିଛନ୍ତି ଯେ ମେଣ୍ଟ ସମ୍ପର୍କରେ ବର୍ତ୍ତମାନ କହିପାରିବିନି । ଓଡ଼ିଶାରେ ଆଗକୁ କେମିତି ବଢ଼ିବୁ ନିଷ୍ପତ୍ତି ହୋଇନି । ପରିଣାମ ଯାହା ବି ହେଉ ବିଜେପି ଭଲ କରିବ ।

ତେବେ ମେଣ୍ଟ ନେଇ ନିଷ୍ପତ୍ତି ଯାହା ହେଉ ନା କାହିଁକି ଏହା ଓଡ଼ିଶା ବିଜେପିରେ ଥିବା ମତଭେଦକୁ ପଦାରେ ପକାଇଦେଇଛି । ଯାହା ଲାଗୁଛି ମନମୋହନ ସାମଲଙ୍କ ସମେତ ରାଜ୍ୟ ବିଜେପିର ଏକ ବଡ଼ ଭାଗ ମେଣ୍ଟ ଚାହୁଁନାହାନ୍ତି । ଏକାକୀ ନିର୍ବାଚନ ଲଢିଲେ ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ବୋଲି ସେମାନେ କେନ୍ଦ୍ରୀୟ ନେତୃତ୍ବକୁ କହିଛନ୍ତି । ଏହା ସତ୍ତ୍ବେ ରାଜ୍ୟ ବିଜେପିର ନେତାମାନଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ବ ଭରସା କରିପାରୁନାହାନ୍ତି କିମ୍ବା କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇ ଆଦର୍ଶ ଆଚରଣବିଧି ଲାଗୁ ହେବାକୁ ଯାଉଥିବାବେଳେ ଅମିତ ଶାହା କହୁଛନ୍ତି ଯେ ଓଡ଼ିଶାରେ ଦଳ କେମିତି ଆଗକୁ ବଢିବ ତାହା ନିଷ୍ପତ୍ତି ହୋଇନାହିଁ ।

 

Leave A Reply

Your email address will not be published.