ବରଗଡ ଚିନିକଳ ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରାଯିବ

0

ଭୁବନେଶ୍ବର : ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳଟି ବନ୍ଦ ରହିଥିଲା । ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ।
ଏହି ନିଷ୍ପତ୍ତି ଅନୁଯାୟୀ ଚିନିକଳର ସମୁଦାୟ ୧୦୩.୨୧ ଏକର ଜମି ମଧ୍ୟରୁ ବିବାଦମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡର ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ କୋଅପରେଟିଭ ସୁଗାର ମିଲ୍‌ସର ଲିକ୍ୟୁଡେଟରଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ବାକି ସବୁ ଜମି ବିବାଦମୁକ୍ତ ହେବାପରେ ଇଡକୋକୁ ହସ୍ତାନ୍ତର କରାଯିବ।

ଗତବର୍ଷ ଅକ୍ଟୋବର ମାସରେ ଓଡ଼ିଶା ସରକାର ଏହି ଚିନକଳକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୬-୧୭ରୁ ବନ୍ଦ ରହିଥିବା ଏହି ଚିନିକଳର ପୁନରୁଦ୍ଧାର ସମ୍ଭାବନା କ୍ଷୀଣ ହେବା ପରେ ଏହାର ପରିଚାଳନା ନିର୍ଦ୍ଦେଶକଙ୍କ ରିପୋର୍ଟ ଭିତ୍ତିରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ ।
ଏହାପୂର୍ବରୁ ଏହି ଚିନିକଳର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର କାନପୁରସ୍ଥିତ କେନ୍ଦ୍ରୀୟ ଚିନି ପ୍ରତିଷ୍ଠାନରୁ ୨ ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରିଥିଲେ । ବିଶେଷଜ୍ଞମାନେ ଚିନିକଳର ପୁନରୁଦ୍ଧାର ପାଇଁ ୨୨ କୋଟିର ଏକ ଯୋଜନା ରାଜ୍ୟସରକାରଙ୍କୁ ପ୍ରଦାନ କରିଥିଲେ । ତେବେ ଉକ୍ତ ରିପୋର୍ଟକୁ କାର୍ୟ୍ୟକାରୀ କରାଯିବା ବଦଳରେ ଚିନିକଳକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.