ବ୍ରହ୍ମପୁରରେ ହେବ ଭୃଗୁ-ପ୍ରଦୀପ ଲଢେଇ

0

ଭୁବନେଶ୍ବର : ବିଜେଡ଼ି ପକ୍ଷରୁ ବୁଧବାର ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହାକୁ ମିଶାଇ ଦଳ ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ୨୦ ଓ ୧୪୭ ବିଧାନସଭା ଆସନ ମଧ୍ୟରୁ ୯୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି । ବିଜେପିରୁ ଆସିଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ସେ ବୁଧବାର ପୂର୍ବାହ୍ଣରେ ବିଜେପିରୁ ଇସ୍ତଫା ଦେଇଥିଲେ । ଏହା ଫଳରେ ବ୍ରହ୍ମପୁରରେ ଏକ ବଡ଼ ଲଢେଇ ଭୃଗୁ ଓ ବିଜେପିର ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ହୋଇପାରେ ।

୨୦୧୯ ନିର୍ବାଚନରେ ବିଜେଡିର ଚନ୍ଦ୍ରଖେଶର ସାହୁଙ୍କ ବିପକ୍ଷରେ ବିଜେପି ଟିକେଟରେ ଲଢିଥିଲେ ଭୃଗୁ ଓ ୯୪ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବ୍ରହ୍ମପୁରରେ ଭୃଗୁ ୩ ଲକ୍ଷ ୪୯ ହଜାର ଭୋଟ ପାଇଥିଲେ, ଯାହାକି ଏକ ଛୋଟିଆ ସଫଳତା ନୁହେଁ । ଏଣୁ ତାଙ୍କର ବିଜେଡିରେ ଯୋଗଦାନ ସେଠାରେ ବିଜେଡିକୁ ସୁଦୃଢ କରିବ ଓ ବିଜେପିକୁ ଦୁର୍ବଳ କରିବ ।
କିନ୍ତୁ ତାଙ୍କ ବିପକ୍ଷରେ ଛିଡା ହୋଇଥିବା ବିଜେପିର ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜଣେ ପୋଖତ ଖେଳାଳି । ବ୍ରହ୍ମପୁର ଲୋକସଭା ଆସନ ଅଧିନରେ ଆସୁଥିବା ୭ଟି ବିଧାନସଭା ଆସନ- ବ୍ରହ୍ମପୁର, ଗୋପାଳପୁର,ଚିକିଟି, ଦିଗପହଣ୍ଡି,ଛତ୍ରପୁର, ମୋହନା ଓ ପାରଳାଖେମୁଣ୍ଡିରେ ତାଙ୍କ ଭଲ ପ୍ରଭାବ ରହିଛି । କାରଣ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧିଭାବେ କାମ କରୁଥିଲେ । ଏଣୁ ସେ ବିଜେଡି ଛାଡ଼ିଥିଲେ ବି ତାଙ୍କ ନିଜସ୍ବ ଭୋଟର ଓ ସମର୍ଥକ ଗୋଷ୍ଠୀ ଅଛନ୍ତି । ଏଣୁ ଆଗାମୀ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନରେ ବି ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.