ବିଜେଡିର ମାଷ୍ଟରଷ୍ଟ୍ରୋକ୍ ! କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ଆଜି ଆଉ ଏକ ତାଲିକା ଘୋଷଣା କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ଲଢିବେ । ଆଜି ଦଳ ପକ୍ଷରୁ ମୋଟ 9ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସେହିପରି ସମ୍ବଲପୁର ଓ ରେଢାଖୋଲ ଆସନର ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ରୋହିତ ପୂଜାରୀ ସମ୍ବଲପୁର ଆସନରୁ ଲଢିବାକୁ ଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ ରେଢାଖୋଲ ଆସନରୁ ଲଢିବେ । ଅର୍ଥାତ୍ ଉଭୟଙ୍କ ମଧ୍ୟରେ ଆସନ ଅଦଳବଦଳ କରାଯାଇଛି ।

ଚିତ୍ରୋକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ, ଅନୁଗୁଳରୁ ସଂଯୁକ୍ତା ସିଂ, ଦେବଗଡ଼ରୁ ଅରୁନ୍ଧତୀ ଦେବୀ, ନିମାପଡ଼ାରୁ ଦିଲ୍ଲୀପ କୁମାର ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଲଢିବେ ।

କଣ୍ଟାବାଞ୍ଜିରୁ ନବୀନ ଲଢିବା ଦ୍ବାରା ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜେପିରୁ ବଢିଚାଲିଥିବା ପ୍ରଭାବକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି ବିଜେଡି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ଲଢିବା ଦ୍ବାରା କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ବିଜେଡିର ପ୍ରଭାବ ବୃଦ୍ଧି ପାଇବ । କଣ୍ଟାବାଞ୍ଜିରୁ ଏବେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଧାୟକ ଅଛନ୍ତି । ସେ ଏଥର ମଧ୍ୟ ଏହି ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଣୁ ନବୀନ ଏହି ଆସନରୁ ଲଢିବା ଦ୍ବାରା ବିଜେଡ଼ି ଉଭୟ ବିଜେପି ଓ କଂଗ୍ରେସକୁ ଟକ୍କର ଦେଇପାରିବ । ବଲାଙ୍ଗୀର ସବୁବେଳେ ବିରୋଧୀ ଦଳଙ୍କ ଗଡ଼ ହୋଇରହିଆସିଛି । ଏଣୁ ଏହାକୁ ଭେଦ କରିବାକୁ ବିଜେଡ଼ି ଯୋଜନା କରିଛି ।

Leave A Reply

Your email address will not be published.