ଲୋକସଭା ନିର୍ବାଚନ : ସମ୍ବଲପୁରରେ ଧର୍ମେନ୍ଦ୍ର-ବବି ଲଢେଇ !

0

ନିକଟରେ ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଥିଲେ । ସେ ପ୍ରଶ୍ନ କରିଥିଲେ ଯେ ଦୀର୍ଘ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଥିଲେ ବି ସେ ନିଜ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଏବଂ ସମ୍ବଲପୁର ଜିଲ୍ଲା ପାଇଁ କଣ କରିଛନ୍ତି ? ନୂଆ ବିଶ୍ବବିଦ୍ୟାଳୟ କଥା ଛାଡ଼ନ୍ତୁ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ନବୋଦୟ ବିଦ୍ୟାଳୟଟେ ବି କରିନାହାନ୍ତି । 10 ବର୍ଷ ହେଲା ସମ୍ବଲପୁର-କଟକ ଜାତୀୟ ରାଜପଥ କାମ ଶେଷ ହୋଇପାରୁନଥିବାରୁ ସେ ରାଜ୍ୟ ରାଜପଥରେ ଯିବାଆସିବା କରୁଛନ୍ତି । ସେହିପରି ବିଜେଡ଼ି ନେତା ଭିକେ ପାଣ୍ଡିଆନ ବି ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଚାଲିଛନ୍ତି । ତେବେ ଧର୍ମେନ୍ଦ୍ର ଏସବୁ ସମାଲୋଚନାର ଉତ୍ତର ଦେଉନାହାନ୍ତି, କେବଳ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି ।

କିନ୍ତୁ ଧର୍ମେନ୍ଦ୍ରଙ୍କୁ ବବିଙ୍କ ସମାଲୋଚନାକୁ ନେଇ ବିଶେଷଭାବେ ଚର୍ଚ୍ଚା ହେଉଛି । କାରଣ ଆଗାମୀ ଲୋକସଭା ନିର୍ବାଚନରେ ଧର୍ମେନ୍ଦ୍ର ସମ୍ବଲପୁର ଆସନରୁ ଛିଡ଼ା ହେବାର ସମ୍ଭାବନା ଥିବାବେଳେ ତାଙ୍କୁ ଟକ୍କର ଦେବାକୁ ବିଜେଡ଼ି ବବି ଦାସଙ୍କୁ ସେଠାରୁ ଛିଡ଼ା କରିପାରେ ବୋଲି ଚର୍ଚ୍ଚା ହେଉଛି । ବରିଷ୍ଠ ସାମ୍ବାଦିକ ତଥା ବିଜୁ ଜନତା ଦଳ ସହ ଘନିଷ୍ଠ ସମ୍ପର୍କ ଥିବା ସୌମ୍ୟଜିତ ପଟ୍ଟନାୟକ ନିଜର ଏକ୍ସ ହାଣ୍ଡଲରେ ଲେଖିଛନ୍ତି ଯେ ବବିଙ୍କୁ ଧର୍ମେନ୍ଦ୍ରଙ୍କ ବିରୋଧରେ ଛିଡ଼ା କରିବାକୁ ବିଜେଡ଼ି ଗୁରୁତ୍ବର ସହ ବିଚାର କରୁଛି । ଅର୍ଥାତ୍ ସେ ସମ୍ବଲପୁର ଆସନରୁ ବିଜେଡ଼ିର ପ୍ରାର୍ଥୀ ହୋଇପାରନ୍ତି । ଏହି ଖବରରେ ସତ୍ୟତା ଥିଲେ, ଆଗକୁ ସମ୍ବଲପୁର ଆସନରେ ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ ।

ଏହା ପୂର୍ବରୁ ବବି ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଥିଲେକିନ୍ତୁ ଗତ ଡିସେମ୍ବର 30 ତାରିଖରେ ବିଜେଡ଼ିର ଆଉ ଜଣେ ପ୍ରଭାବଶାଳୀ ନେତା ତଥା ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜଙ୍କୁ ସ୍ବତନ୍ତ୍ର ଭାବେ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଘୋଷଣା କରାଯାଇଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ ସମ୍ବଲପୁର ଆସନ ପାଇଁ ବବି ଯେପରି ଅଧିକ ସମୟ ଦେଇପାରିବେ ସେଥିପାଇଁ ଦଳ ଏପରି ନିଷ୍ପତ୍ତି ନେଇଛି ।

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଆସନ ବିଜେପି ପାଇଁ ଏକ ସୁରକ୍ଷିତ ଆସନ ଭାବେ ପରିଗଣିତ ହୋଇଥାଏ । ଏବେ ଏହି ଆସନରୁ ବିଜେପିର ନିତେଶ ଗଙ୍ଗଦେବ ସାଂସଦ ଅଛନ୍ତି । ଏହି ଲୋକସଭା ଆସନ ଅଧିନରେ 7ଟି ବିଧାନସଭା ଆସନ ରହିଛି-ସମ୍ବଲପୁର, ରେଙ୍ଗାଳି, କୁଚିଣ୍ଡା,ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା ଓ ଆଠମଲିକ୍ । ଏଗୁଡ଼ିକ ମଧ୍ୟରୁ ସମ୍ବଲପୁର, ରେଙ୍ଗାଳି ଓ ଦେବଗଡ଼ରେ ବିଜେପିର ବିଧାୟକ ଅଛନ୍ତି  ଓ ଅନ୍ୟ 4ଟି ଆସନ- କୁଚିଣ୍ଡା, ରେଢାଖୋଲ, ଛେଣ୍ଡିପଦା ଓ ଆଠମଲ୍ଲିକରେ ବିଜେଡ଼ି ବିଧାୟକ ଅଛନ୍ତି । ଏଣୁ ଏହି ଲୋକସଭା ଆସନରେ ଉଭୟ ପକ୍ଷର ବରାବର ଟକ୍କର ରହିଛି ବୋଲି କୁହାଯାଇପାରେ ।

ଗତ ନିର୍ବାଚନରେ ବିଜେଡ଼ିର ନଳିନୀକାନ୍ତ ପ୍ରଧାନ ବିଜେପିର ନିତେଶ ଗଙ୍ଗଦେବଙ୍କଠାରୁ ହାରିଯାଇଥିଲେ । ଏଥର ମଧ୍ୟ ଧର୍ମେନ୍ଦ୍ରଙ୍କୁ ଲଢାଇ ଏହି ଆସନକୁ ବଜାୟ ରଖିବାକୁ ଚାହୁଁଛି ବିଜେପି । ଅନ୍ୟପକ୍ଷରେ ବବିଙ୍କ ପରି ଟାଣୁଆ ନେତାଙ୍କୁ ଛିଡ଼ା କରି ବିଜେଡ଼ି ଗତଥରର ପରାଜୟର ପ୍ରତିଶୋଧ ନେବାକୁ ଯୋଜନା କରୁଛି ।

ଧର୍ମେନ୍ଦ୍ର ପ୍ରଧାନ ମୋଦୀ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ହୋଇଥିବାରୁ ସେ ଛିଡ଼ା ହେବାକୁ ଥିବା ଆସନରେ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଓ ଅନ୍ୟ କେନ୍ଦ୍ରୀୟ ନେତାଙ୍କ ଆଗମନ ହୋଇପାରେ । ଏପରି ହାଇପ୍ରୋଫାଇଲ ପ୍ରଚାର ହେଲେ ତାହା ଆଖପାଖ ଲୋକସଭା ଓ ବିଧାନସଭା ଆସନଗୁଡ଼ିକୁ ବି ପ୍ରଭାବିତ କରିବାର ସମ୍ଭାବନା ରହିଛି । ସେପଟେ ଏପରି ହାଇପ୍ରୋଫାଇଲ ପ୍ରଚାରର ମୁକାବିଲା ପାଇଁ ବିଜେଡ଼ିର ଭରସା ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନ୍ । ପୁଣି ବବିଙ୍କ ସପକ୍ଷରେ ଶାସକ ବିଜେଡ଼ି ନିଜର ସବୁପ୍ରକାର କ୍ଷମତା ଓ କଳବଳ କୌଶଳ ଖଟାଇ ଦେବ ।

ଏଣୁ ଆଗାମୀ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଏକ ବଡ଼ ଲଢେଇ ଦେଖିବାକୁ ମିଳିପାରେ, ଯାହାର ପ୍ରଭାବ ସମଗ୍ର ପଶ୍ଚିମ ଓଡ଼ିଶାର ଆସନ ଗୁଡ଼ିକରେ ପଡ଼ିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.