୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

0

ଭୁବନେଶ୍ବର : ବିଜେପି ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯାଜପୁର, କଟକ ଓ କନ୍ଧମାଳକୁ ବାଦ୍ ଦେଇ ଆଉ ୧୮ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତାଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ଟିକେଟ ଦିଆଯାଇଛି ।

ବିଜେପିର ୪ ଜଣ ସାଂସଦ ଟିକେଟ୍‌ ବଜାୟ ରଖିଛନ୍ତି। ସେମାନେ ହେଲେ ସୁନ୍ଦରଗଡ଼ର ଜୁଏଲ୍‌ ଓରାମ, ଭୁବନେଶ୍ବରର ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗୀରର ସଙ୍ଗୀତା ସିଂହଦେଓ ଓ ବାଲେଶ୍ବରର ପ୍ରତାପ ଷଡ଼ଙ୍ଗୀ। ଏହି ଚାରି ଜଣଙ୍କ ଉପରେ ଦଳ ପୁଣି ଆସ୍ଥା ସ୍ଥାପନ କରିଛି। ଅନ୍ୟପକ୍ଷରେ ଜଣେ କେନ୍ଦ୍ର ମନ୍ତ୍ରୀ ଓ ତିନି ଜଣ ସାଂସଦଙ୍କ ଟିକେଟ୍‌ କାଟିଦେଇଛନ୍ତି ବିଜେପି ସୁପ୍ରିମୋ। ସେମାନେ ହେଲେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ, ବରଗଡ଼ର ସୁରେଶ ପୂଜାରୀ, କଳାହାଣ୍ଡିର ବସନ୍ତ ପଣ୍ଡା ଓ ସମ୍ବଲପୁରର ନୀତିଶ ଗଙ୍ଗଦେବ।

ବିଜେପି ତାଲିକା ଅନୁସାରେ, କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀରେ ଅନନ୍ତ ନାଏକ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ନବରଙ୍ଗପୁରରେ ବଳଭଦ୍ର ମାଝୀ ନିର୍ବାଚନ ଲଢ଼ିବେ। ସେହିଭଳି କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରେ ବିଭୁ ପ୍ରସାଦ ତରାଇ, ପୁରୀରେ ସମ୍ବିତ ପାତ୍ର ଓ ଆସ୍କାରେ ଅନିତା ଶୁଭଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି। ଗତଥର ଏମାନେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ହେଁ, ଏଥର ଏହି ୮ ଜଣ ନେତାଙ୍କୁ ପୁଣି ବିଜେପି ଶୀର୍ଷ ନେତୃତ୍ବ ଭରସା କରିଛନ୍ତି।
କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ବଡ଼ ଗେମ୍‌ ଖେଳିଛି। ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କରାଯାଇଛି। ବ୍ରହ୍ମପୁରର ସବୁ ନିର୍ବାଚନମଣ୍ଡଳୀରେ ସେ ବିଜେଡି ବିରୋଧରେ ଷ୍ଟାର୍‌ ପ୍ରଚାରକ ସାଜି ଜନମତକୁ ପ୍ରଭାବିତ କରିବେ ବୋଲି ଦଳ ଆଶା ରଖିଛି। ବରଗଡ଼ରେ ସୁରେଶ ପୂଜାରୀଙ୍କ ସ୍ଥାନରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯାଇଛି। ମୟୂରଭଞ୍ଜରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ବଦଳରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ଦଳ ଚୟନ କରିଛି।

Leave A Reply

Your email address will not be published.