ମୋଦୀଙ୍କ ଭାଷଣରୁ ବିଜେପି-ବିଜେଡ଼ି ମେଣ୍ଟର ଇଙ୍ଗିତ !

0

ଭୁ‌ବନେଶ୍ବର: ବିଜେପି-ବିଜେଡ଼ି ମେଣ୍ଟ ଚର୍ଚ୍ଚା ମାଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଶେଷ ହୋଇଛି । କିନ୍ତୁ ମେଣ୍ଟ ସମ୍ପର୍କରେ କୌଣସି ଘୋଷଣା ଏପରିକି ଇଙ୍ଗିତ ମିଳିପାରିଲା ନାହିଁ । କିନ୍ତୁ ଯେଉଁପରି ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପରକୁ ପ୍ରସଂଶାରେ ପୋତି ପକାଇଲେ ତଥା ବିଜୁବାବୁଙ୍କୁ ଦୁଇ ଦୁଇ ଥର ମୋଦୀ ଶ୍ରଦ୍ଧାଞ୍ଜଳୀ ଦେଲେ ତାହା ସୂଚୀତ କରୁଛି ଯେ ଔପଚାରିକଭାବେ ମେଣ୍ଟ ହେଉ ବା ନ ହେଉ, ବିଜେପି ବିଜେଡିକୁ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଦଳଭାବେ ବିଚାର କରୁଛି ।

ଓଡ଼ିଶାର କେତେକ ସମ୍ବାଦପତ୍ରର ରିପୋର୍ଟ ଅନୁସାରେ ଆସନ ବୁଝାମଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଏବେ ବି ଆଲୋଚନା ଜାରି ରହିଛି । କିନ୍ତୁ କୌଣସି ସହମତି ମିଳିପାରୁ ନାହିଁ । ରିପୋର୍ଟ ଅନୁସାରେ ବିଜେପିକୁ 9ଟି ଲୋକସଭା ଆସନ ଓ 35ଟି ବିଧାନସଭା ଆସନ ଛାଡ଼ିବାକୁ ପ୍ରସ୍ତୁତ ଅଛି ବିଜେଡ଼ି । କିନ୍ତୁ ବିଜେପି ଆହୁରି ଅଧିକ ଆସନ ମାଗୁଛି । ଏଣୁ ଚୂଡ଼ାନ୍ତ ନିଷ୍ପତ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ହାତରେ ରହିଛି । ଆଉ ପ୍ରାୟ ଏକ ସପ୍ତାହ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ, ତାପୂର୍ବରୁ ମେଣ୍ଟ ଘୋଷଣା ହେବାର ସମ୍ଭାବନା ରହିଛି । ଯଦି ଆସନ ବୁଝାମଣା ବିଫଳ ହୁଏ, ତେବେ ନିର୍ବାଚନ ପରେ ବିଜେପିକୁ ସବୁପ୍ରକାରର ସମର୍ଥନ ଯୋଗାଇଦେଇପାରେ ବିଜେଡ଼ି ।

ଚଣ୍ଡିଖୋଲରେ କଣ କହିଲେ ମୋଦୀ ?

ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ମଙ୍ଗଳବାର ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଭାରତକୁ ବିଶ୍ବର ତୃତୀୟ ବୃହତ ଆର୍ଥିକ ସମୃଦ୍ଧଶାଳୀ ରାଷ୍ଟ୍ର କରିବାର ଅଛି। ୪୦୦ ପାର ସଂକଳ୍ପ ଦେଶରେ ଏକ ମଜବୁତ ସରକାର କରିବାର ଅଛି। ଏହି ସଂକଳ୍ପ, ଚାଷୀ, ଯବାନ, ମହିଳାଶକ୍ତି, ଗରିବଙ୍କ ଜୀବନ ବଦଳାଇବା ପାଇଁ। ଏଥିରେ ପୂର୍ବ ଭାରତର ଅର୍ଥାତ ଓଡ଼ିଶାର ବଡ଼ ଭୂମିକା ରହିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଗତ ୧୦ ବର୍ଷ ହେଲା ବିଜେପି ସରକାର ଅଦ୍ଭୁତପୂର୍ଣ୍ଣ ନିବେଶ କରୁଛି। ଆମର ଉଦ୍ୟମ ହେଉଛି ଯେ, ଓଡ଼ିଶା ବିକଶିତ ଭାରତର ଦ୍ବାର ହେଉ। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଶକ୍ତି ଯୋଗାଉଛି। ଗ୍ୟାସ, ସିଏନ୍‌ଜି ଆଧାରିତ ଯାତାୟତ, ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି। ଏଠାରୁ ଗ୍ୟାସ ପାଇପଲାଇନ୍‌ ମାଧ୍ୟମରେ ପୂର୍ବ ଭାରତକୁ ଯୋଡୁଛି। ଟେକ୍ସଟାଇଲ ପାର୍କ ପାଇଁ କଞ୍ଚାମାଲ ଏଠାରେ ଉତ୍ପାଦନ ହେଉଛି। ଅଧିକ ନିବେଶ ଅର୍ଥ ଚାକିରି ପାଇଁ ସର୍ବାଧିକ ଅବସର ହୋଇଛି। ବିକାଶ କାର୍ଯ୍ୟ ଯୁବକଯୁବତୀଙ୍କ ଭାଗ୍ୟ ବଦଳାଇବ।

ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ, ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା। ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା। ଆଜି ବିକାଶ ପାଇଁ ଯେଉଁ ବଡ଼ କାମ ହେଉଛି, ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ଓ ଏହାର ସାଥୀଦଳଗୁଡ଼ିକ ଦେଶକୁ ଲୁଟିବାରେ ବ୍ୟସ୍ତ ଥିଲେ। କଂଗ୍ରେସ ସରକାର କୋଇଲା ଲୁଟିଥିଲେ। ଗରିବଙ୍କୁ ଖାଦ୍ୟ ଦେବା ପାଇଁ କେମିତି ଚିନ୍ତା କରିଥାନ୍ତେ? ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟି ଆଣ, ଚାଷୀ ଋଣ ପାଇଁ ଗ୍ୟାରେଣ୍ଟି ଆଣ ବୋଲି କଂଗ୍ରେସ କହୁଥିଲା। କଂଗ୍ରେସ ସରକାରରେ ୟୁରିଆ ଦୁର୍ନୀତି ହୋଇଥିଲା। ସେହି ସରକାର ଚାଷୀଙ୍କ ଚିନ୍ତା କେମିତି କରିଥାନ୍ତା? ଚାଷୀଙ୍କୁ ଶସ୍ତାରେ ୟୁରିଆ ମିଳିପାରୁ ନଥିଲା। କଂଗ୍ରେସ ନିଜ ପରିବାର ପାଇଁ କାମ କରୁଥିଲା। ନିଜ ପୁଅ, ନାତି, ଅଣନାତି ପାଇଁ କାମ କରୁଥିଲା। କିନ୍ତୁ ମୋଦୀ ଦେଶ ପାଇଁ କାମ କରୁଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ କାମ କରୁଛି। ଇଣ୍ଡି ମେଣ୍ଟର ଲକ୍ଷ୍ୟ ହେଲା ମୋଦୀ ସରକାରକୁ ହଟାଇବା। କିନ୍ତୁ ଭାରତକୁ ବିଶ୍ବର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର କରିବାର ଲକ୍ଷ୍ୟ ରଖିଛି ମୋଦୀ ସରକାର। ଏଥି ପାଇଁ ମୁଁ ସବୁବେଳେ କହୁଛି, ମେରା ଭାରତ ମେରା ପରିବାର ଅର୍ଥାତ ମୋର ଭାରତ ହେଉଛି ମୋର ପରିବାର।

 

Leave A Reply

Your email address will not be published.