ଅମିତ ଶାହାଙ୍କ ତୀବ୍ର ଆକ୍ରମଣ ପରେ….

0

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ସମାବେଶ ପରେ ବିଜେପି ଓ ବିଜେଡି ମଧ୍ୟରେ ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ନିର୍ବାଚନ ସମର ପାଇଁ ପଥ ପରିଷ୍କାର ହୋଇଛି । ଏହା ସହିତ ଏହି ଦୁଇ ଦଳ ମଧ୍ୟରେ ବୁଝାମଣା ରହିଥିବା ନେଇ ଚାଲିଥିବା ଦ୍ବନ୍ଦ୍ବ ଦୂର ହୋଇଛି ।

ଉଭୟ ଦଳ ମଧ୍ୟରେ ସୁସମ୍ପର୍କ କୁ ନେଇ ଓଡ଼ିଶା ଭୋଟରଙ୍କ ମଧ୍ୟରେ ଦୀର୍ଘଦିନ ଧରି ଧାରଣା ରହିଆସିଥିଲା । ଉଭୟ ଦଳ ପରସ୍ପରକୁ ସିଧାସଳଖ ଆକ୍ଷେପ କରିବାଠାରୁ ଦୂରେଇ ରହୁଥିଲେ । କଂଗ୍ରେସ ଦଳ ମଧ୍ୟ ଗତ କିଛି ବର୍ଷ ଧରି ବିଜେପି ଓ ବିଜେଡି ମଧ୍ୟରେ ଗୁପ୍ତ ମେଣ୍ଟ ହୋଇଥିବା ଅଭିଯୋଗ କରି ଆସୁଥିଲା। ଏସବୁ ମଧ୍ୟରେ ଗତ ମାସରେ ସେମାନଙ୍କ ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇଥିଲା। ତାପରେ ମେଣ୍ଟ ଆଲୋଚନା ଭାଙ୍ଗିବା ପରେ ମଧ୍ୟ ଅନେକ ଲୋକ ବିଶ୍ୱାସ କରିଥିଲେ ଯେ ସେମାନେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ଯାଇପାରନ୍ତି।

କିନ୍ତୁ ବିଜେଡି ସରକାର ଉପରେ ଅମିତ ଶାହାଙ୍କ ତୀବ୍ର ଆକ୍ରମଣ ଦୁଇ ଦଳ ମଧ୍ୟରେ ଥିବା ଗୁପ୍ତ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ସଂଦେହ ଦୂର ହୋଇଛି ଓ ଲୋକମାନେ ଆଗକୁ ଏକ ବଡ଼ ଲଢେଇ ଦେଖିବାକୁ ପାଇପାରନ୍ତି ।

ସୋନପୁର ରାଲିରେ ଅମିତ ଶାହା କହିଥିଲେ ଯେ ନବୀନ ବାବୁଙ୍କ ସରକାର କେବଳ ଓଡ଼ିଶାର ବିକାଶରେ ବାଧା ସୃଷ୍ଟି କରିନାହିଁ ବରଂ ଅମଲାତନ୍ତ୍ର ଜରିଆରେ ଦୁର୍ନୀତିରେ ମଧ୍ୟ ଜଡ଼ିତ। ଏହା ସହିତ ରାଜ୍ୟ ସରକାର ଓଡ଼ିଶା ସଂସ୍କୃତି, ଭାଷା ଓ ଇତିହାସର ବିରୋଧୀ ବୋଲି ସେ ଅଭିଯୋଗ କରିଥିଲେ ।

ଓଡ଼ିଶାକୁ ଭାରତର ଏକ ନମ୍ବର ରାଜ୍ୟ ରେ ପରିଣତ କରିବା ପାଇଁ ବିଜେପିକୁ ୫ ବର୍ଷ ପାଇଁ ସୁଯୋଗ ଦେବାକୁ ଶାହା ଆହ୍ୱାନ ଦେଇଛନ୍ତି। “ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ ୫ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆଣିଛନ୍ତି, ଥରେ ବିଜେପିକୁ କ୍ଷମତାକୁ ଆଣନ୍ତୁ, ଆମେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ରେ ପରିଣତ କରିବୁ। ଖଣିଜ ସମୃଦ୍ଧ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶାରେ ସବୁଠାରୁ ଅଧିକ ଗରିବ ଅଛନ୍ତି। ଆମେ ରାଜ୍ୟ ଓ ଗରିବଙ୍କ ବିକାଶ ସୁନିଶ୍ଚିତ କରିବୁ। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ କାମ ସନ୍ଧାନରେ କାହାକୁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।“

ଶାହା ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏଠାରେ ଥିବା ୨୧ଟି ଲୋକସଭା ଆସନମଧ୍ୟରୁ ଅତି କମରେ ୨୦ଟି ରେ ଜିତିବ ଏବଂ ଦଳର “୪୦୦ ପାର” ମିଶନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ଦଳ ବିଧାନସଭାରେ ମଧ୍ୟ ସଂଖ୍ୟାଗରିଷ୍ଠତା ହାସଲ କରି ନିଜେ ସରକାର ଗଠନ କରିବ ବୋଲି ସେ କହିଛନ୍ତି।

ଏହାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ହିଞ୍ଜିଳି ରାଲିରେ ବିଜେପି ସମେତ ବିରୋଧୀ ଦଳଗୁଡ଼ିକର ବିକାଶ ବିରୋଧୀ ଆଭିମୁଖ୍ୟକୁ ଟାର୍ଗେଟ କରିଥିଲେ।  ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.