ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଫୋକସରେ ଗଞ୍ଜାମ, କାରଣ ଜାଣନ୍ତୁ

0

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବାକୁ ଯାଉଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୬ ତାରିଖରେ ବ୍ରହ୍ମପୁରରେ ଏକ ସଭାକୁ ସମ୍ବୋଧିତ କରିବେ। ୮ ଦିନ ମଧ୍ୟରେ ଦଳର ଜଣେ ରାଷ୍ଟ୍ରୀୟ ନେତାଙ୍କ ଏହା ହେଉଛି ଦ୍ୱିତୀୟ ହାଇପ୍ରୋଫାଇଲ୍ ବ୍ରହ୍ମପୁର ଗସ୍ତ, ଯେଉଁଥିରେ ଏହି ଅଞ୍ଚଳ ଉପରେ ଦଳର ଫୋକସ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ ଏପ୍ରିଲ ୨୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ସୋନପୁରରୁ ରାଜ୍ୟରେ ଦଳର ପ୍ରଚାର ଅଭିଯାନ ଆରମ୍ଭ କରିବା ପରେ ଏପ୍ରିଲ ୨୮ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁର ନିକଟସ୍ଥ ଆମ୍ବପୁଆଠାରେ ବିଜୟ ସଂକଳ୍ପ ସମାବେଶ କରିଥିଲେ। ଏହା ପୂର୍ବରୁ ଗତ ଫେବ୍ରୁଆରି ମାସରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବ୍ରହ୍ମପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।

ତେବେ କାହିଁକି ବିଜେପିର ସର୍ବୋଚ୍ଚ ନେତାମାନେ ଗଞ୍ଜାମ ଜିଲ୍ଲାକୁ ଫୋକସ କରୁଛନ୍ତି ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଞ୍ଜାମ ବିଜେଡିର ଗଡ଼ଭାବେ ପରିଚିତ । ରାଜ୍ୟ ବିଧାନସଭାକୁ ସର୍ବାଧିକ ବିଧାୟକ (୧୩) ପଠାଇବା ପାଇଁ ଜଣାଶୁଣା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ସେ ଷଷ୍ଠ ଥର ପାଇଁ ନିର୍ବାଚିତ ହେବାକୁ ନିର୍ବାଚନ ଲଢୁଛନ୍ତି। ଗତ ୨୦୧୯ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ବିଜେଡି ୧୨ଟି ଆସନ ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଗତ ୩ଟି ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ନିଜର ଗଡ଼ ବଜାୟ ରଖିଛି ଏବଂ ଗଞ୍ଜାମର ଅନ୍ୟ ଲୋକସଭା ନିର୍ବାଚନ ମଣ୍ଡଳୀ ଆସିକା ସଂସଦୀୟ ଆସନରେ କ୍ରମାଗତ ଭାବେ ବିଜୟ ହାସଲ କରିଛି। ଏଣୁ ଏହି ଜିଲ୍ଲାରେ ଯଦି ବିଜେପି ବ୍ରହ୍ମପୁର ଲୋକସଭା ଆସନ ଅଥବା କିଛି ବିଧାନସଭା ଆସନରେ ଜିତିବାରେ ସଫଳ ହୁଏ ତେବେ ତାହା ବିଜେପି ପାଇଁ ଏକ ବଡ଼ ନୈତିକ ବିଜୟ ହେବ ଓ ବିଜେଡି ପାଇଁ ହେବ ଏକ ଧକ୍କା ।

 

Leave A Reply

Your email address will not be published.