ଓଡ଼ିଶାରେ ହେବନି ମେଣ୍ଟ, ଏକାଠି ନୁହେଁ, ଏକାକୀ ଲଢିବ ବିଜେପି

ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବେ ବିଜେପି-ବିଜେଡି

0

ଭୁବନେଶ୍ବର : ଅଲଗା ଅଲଗା ଲଢିବେ ବିଜେପି ଓ ବିଜେଡ଼ି । ଏ ନେଇ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହା ପରେ ଗତ ପ୍ରାୟ ଏକ ମାସ ଧରି ଚାଲିଥିବା ଦ୍ବନ୍ଦ୍ବର ଅନ୍ତ ଘଟିଛି । ଏ ଟୁଇଟ୍ କରି ସେ ସବୁ ଦ୍ବନ୍ଦ୍ବକୁ ଦୂର କରିଛନ୍ତି । ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମଧ୍ୟ ମନମୋହନଙ୍କ ଟୁଇଟକୁ ରିପୋଷ୍ଟ କରିଛନ୍ତି ।

ମେଣ୍ଟ ନେଇ ଉଭୟ ଦଳ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ମୂଳରୁ ହିଁ ମନମୋହନ କହିଆସୁଥିଲେ ଯେ ମେଣ୍ଟ ହେବ ନାହିଁ । କିନ୍ତୁ କୌଣସି କାରଣରୁ ତାହାକୁ କେହି ଭରସାକୁ ନେଇପାରୁନଥିଲେ । ଗତ ସପ୍ତାହରେ ସେ ମଧ୍ୟ ସେ ଏକ ଟୁଇଟ କରି ମେଣ୍ଟ ସମ୍ଭାବନାକୁ ଅସ୍ବୀକାର କରିଥିବାବେଳେ ତାହାର କିଛି ସମୟ ପରେ ତାହାକୁ ଡିଲିଟ୍ କରିଦେଇଥିଲେ । ଏହା ଦ୍ବନ୍ଦ୍ବକୁ ପୁଣି ବଢାଇଦେଇଥିଲା । ପୁଣି ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ନଦେବା ଓ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସମାନ ପ୍ରକାରର ବୟାନ ଦେବା ସ୍ଥିତିକୁ ଅସ୍ପଷ୍ଟ କରିଦେଇଥିଲା । କିନ୍ତୁ ମନମୋହନଙ୍କ ନୂଆ ଟୁଇଟ୍ ମେଣ୍ଟ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟାଇଛି ।

ନିଜ ଟୁଇଟରେ ମନମୋହନ ପ୍ରଥମେ କେନ୍ଦ୍ର ସରକାରଙ୍କୁ ନବୀନ ସରକାରଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି । ତାହା ସହିତ ସେ ଲେଖିଛନ୍ତି ଯେ ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିପାରୁନାହିଁ । ଓଡ଼ିଶାର ଲୋକେ ତାହାର ସୁଫଳ ପାଇପାରୁନାହାନ୍ତି । ଏଣୁ ସାଢେ 4 କୋଟି ଓଡ଼ିଆଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାକୁ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଏକ ବିକଶିତ ଦେଶ ଓ ଓଡ଼ିଶା ଗଠନ ପାଇଁ ରାଜ୍ୟର 21ଟି ଲୋକସଭା ଓ 147ଟି ବିଧାନସଭା ଆସନରେ ବିଜେପି ଏକାକୀ ଲଢିବ ।

ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନମୋହନଙ୍କ ଟୁଇଟକୁ ରିପୋଷ୍ଟ କରିଥିବାବେଳେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ମଧ୍ୟ ଏକାକୀ ଲଢିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

ଗତ କିଛି ଦିନ ହେଲା ଦୁଇଦଳର ମତିଗତିରୁ ଲାଗୁଥିଲା ଯେ ମେଣ୍ଟ ହେବାର ସମ୍ଭାବନା କ୍ଷୀଣ । ଏହି କାରଣରୁ ବିଜେଡି ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ଓ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା । ଏପରିକି ବିଜେଡି ଆଇଟିସେଲ୍ ଦ୍ବାରା ମଧ୍ୟ ବିଜେପି ନେତାମାନଙ୍କୁ ଟାର୍ଗେଟ କରାଯିବା ଆରମ୍ଭ କରାଯାଇଥିଲା ।  ଏହା ସହିତ ସେସିଆଲ ମିଡିଆରେ ବିଜେପିଆଣ୍ଟି ଇଣ୍ଡିଆ ହାସଟ୍ୟାଗ୍ କ୍ୟାମ୍ପେନ୍ ଆରମ୍ଭ କରାଯାଇଥିଲା ।

ମେଣ୍ଟ ହେବାର ଏକ ବଡ଼ କାରଣ ଭାବେ ଦେଖାଯାଉଛି ଯେ ରାଜ୍ୟ ସରକାରରେ ବିଜେପିକୁ ଅଂଶୀଦାର କରିବାକୁ ବିଜେଡି ରାଜି ହେଉନଥିଲା । ବିଜେପି ଏବେ ଜାତୀୟ ସ୍ତରରେ ଅତି ଶକ୍ତିଶାଳୀ ହୋଇଯାଇଥିବାରୁ ବିଜେପିକୁ ଅଂଶୀଦାର କରି ନିଜର କ୍ଷମତା ହ୍ରାସ ପାଇଁ ବିଜେଡ଼ି ଚାହୁଁନଥିଲା ବୋଲି କୁହାଯାଉଛି । ସେହିପରି ଆସନ ବୁଝାମଣାରେ ବିଜେପିକୁ ଅଧିକ ଆସନ ଛାଡ଼ିବାକୁ ଚାହୁଁନଥିଲା ବିଜେଡି । ଏହା ମଧ୍ୟ ମେଣ୍ଟ ନ ହେବାର ଆଉ ଏକ କାରଣ ବୋଲି କୁହାଯାଉଛି ।

ସେପଟେ ମେଣ୍ଟକୁ ରାଜ୍ୟ ବିଜେପିର କର୍ମୀମାନେ ମୂଳରୁ ହିଁ ପ୍ରବଳ ବିରୋଧ କରିଆସୁଥିଲେ । କାରଣ 2009ରେ ବିଜେଡ଼ିଠାରୁ ଅଲଗା ହେବା ପରେ କ୍ରମାଗତଭାବେ ବିଜେପିର ଭୋଟହାର ବଢିଚାଲିଥିଲା । ଏଣୁ ମେଣ୍ଟ ହୋଇଥିଲେ ବିଜେପି ନିଜର ଲୋକପ୍ରିୟତା ହରାଇବାର ଆଶଙ୍କା ଥିଲା । ଏବେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ମୈଦାନକୁ ଓହ୍ଲାଇବା ପରେ ଆଗକୁ ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ । ତେବେ ଏହି ମେଣ୍ଟ ନହେବା ଦ୍ବାରା ସବୁଠାରୁ ଅଧିକ ନିରାଶ ହୋଇଥିବ କଂଗ୍ରେସ । କାରଣ ସରକାରୀ ବିରୋଧୀ ଭୋଟର ଏକ ବଡ଼ଭାଗ ଏବେ ବିଜେପିକୁ ଯିବାର ସମ୍ଭାବନା ଦେଖାଦେଇଛି ।

 

Leave A Reply

Your email address will not be published.