ଏପ୍ରିଲ ପହିଲା ମହଙ୍ଗା ହୋଇଯାଇଛି ଗାଡ଼ି କିଣିବା, ଏହି କାରଣରୁ କମ୍ପାନିମାନେ ବଢାଇଛନ୍ତି ଦାମ୍

0

ନୂଆଦିଲ୍ଲୀ : ୨୦୨୩ ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହିତ ଅନେକ ନୂଆ ନିୟମ ଲାଗୁ ହୋଇଛି । ଏହି ନୂଆ ନିୟମ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ୨୦୨୩ ଏପ୍ରିଲ ପହିଲାରୁ ବିଏସ୍-୬ ନିର୍ଗମନ ମାନକର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେଉଛି। ଏହି କାରଣରୁ କଂପାନିଗୁଡ଼ିକ ନିଜ ଗାଡ଼ିର ମଡେଲକୁ ଅପଡେଟ୍ କରିଛନ୍ତି। ଫଳରେ ଅନେକ କମ୍ପାନିର ଗାଡ଼ି ମହଙ୍ଗା ହୋଇଯାଇଛି।

ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକି ଏପ୍ରିଲ ପହିଲାରୁ ନିଜର କାର୍ ର ଦାମ୍ ବୃଦ୍ଧି କରିଛି। ମାରୁତି ସୁଜୁକି ଷ୍ଟକ ବଜାରକୁ ଦିଆଯାଇଥିବା ସୂଚନାରେ କହିଛି ଯେ ସେ ନିଜ କାରର ମୂଲ୍ୟ୦.୮ ପ୍ରତିଶତ ବୃଦ୍ଧି କରିଛି । ଦିଲ୍ଲୀରେ ଏକ୍ସ ସୋ’ରୁମ୍ ମୂଲ୍ୟ ଅନୁଯାୟୀ କାର୍ ଦାମ୍ ବୃଦ୍ଧି କରାଯାଇଛି।

ମାରୁତିକାରର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ଏପ୍ରିଲ ପହିଲାରୁ ଲାଗୁ ହୋଇଛି । ଗତ ମାସ ୨୩ ତାରିଖରେ ମାରୁତି ସୁଜୁକି ଇଣ୍ଡିଆ କହିଥିଲା ଯେ ଏପ୍ରିଲରୁ ଏହାର ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ସାମଗ୍ରିକ ମୁଦ୍ରାସ୍ଫୀତି ଏବଂ ନିୟାମକ ଆବଶ୍ୟକତା ଅନୁଯାୟୀ ମାରୁତି ଏହାର କାରଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛି।

ମାରୁତି ସୁଜୁକି ସହିତ ହୋଣ୍ଡା, ଟାଟା ମୋଟର୍ସ ଓ ହିରୋ ମୋଟୋକର୍ପ ଭଳି କଂପାନି ମଧ୍ୟ ନିଜ ଗାଡ଼ିର ଦାମ୍ ବୃଦ୍ଧି କରିଛନ୍ତି। ଏପ୍ରିଲ ପହିଲାରୁ ଗାଡ଼ିରେ କାର୍ବନ ନିର୍ଗମନ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଇଛି, ଯେଉଁଥିପାଇଁ କଂପାନିଗୁଡ଼ିକୁ ସେମାନଙ୍କ ଗାଡ଼ିକୁ ଅପଡେଟ୍ କରିବାକୁ ପଡ଼ୁଛି। ତେଣୁ ଗାଡ଼ି ନିର୍ମାତାଙ୍କୁ ଦର ବୃଦ୍ଧି ଘୋଷଣା କରିବାକୁ ପଡ଼ିଛି।

Leave A Reply

Your email address will not be published.