ଶଙ୍ଖଛାଡ଼ି ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

0

ଭୁବନେଶ୍ବର: ବରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ରବିବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି । ଏହା ର କିଛି ସମୟ ପୂର୍ବରୁ ସେ ବିଜୁ ଜନତା ଦଳ (ବିଜେଡ଼ି)ରୁ ଇସ୍ତଫା ଦେଇଥିଲେ । ବିଜେପିରେ ମିଶିବା ପରେ ସେ କହିଛନ୍ତି, ବିଜେଡି ସେବେକାର ବିଜେଡି ଆଉ ନାହିଁ। ନିର୍ଦ୍ଦିଷ୍ଟ କୋଟେରି ଦ୍ୱାରା ଦଳ ପରିଚାଳିତ ହେଉଛି। ଲୋକଙ୍କ ଆସ୍ଥା ହରାଇଥିବା ଏହି ଦଳ ଆଗାମୀ ନିର୍ବାଚନରେ ପରାଜୟ ବରଣ କରିବ।

ସେହିପରି  ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟ ନେତାଙ୍କୁ ଦଳକୁ ସ୍ବାଗତ କରିଥିଲେ।

ତେବେ ଦେବାଶିଷ ନାୟକଙ୍କ ବି‌ଜେଡିରୁ ଇସ୍ତଫା ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏକଦା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ ଦେବାଶିଷ। ନବୀନ କେନ୍ଦ୍ର ମନ୍ତ୍ରୀ ଥିଲା ବେଳେ ସେ ତାଙ୍କ ଓଏସ୍‌ଡି ଭାବେ କାର୍ଯ୍ୟ କରୁଥି‌ଲେ। ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡି ଟିକେଟ୍‌ରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ। ୨୦୧୧ ମସିହାରେ ସେ ତତ୍‌କାଳୀନ କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିବା ସହ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରିଥିଲେ। ଫଳରେ ତାଙ୍କୁ ବିଜେଡିରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ୨୦୧୨ ମସିହାରେ ନବୀନ ତାଙ୍କୁ ପୁଣି ଦଳକୁ ଫେରାଇ ଆଣିଥିଲେ। ୨୦୧୪ ମସିହାରେ ତାଙ୍କୁ ବିଜେଡି ପୁନର୍ବାର ଟିକେଟ୍‌ ଦେଲା ଓ ସେ ବିଜୟୀ ହୋଇଥିଲେ। ତେବେ ୨୦୧୯ରେ ଦେବାଶିଷଙ୍କୁ ଆଉ ଦଳ ଭରସା କଲା ନାହିଁ। ବରୀରେ ତାଙ୍କ ଟିକେଟ୍‌ କାଟି ଦିଆଗଲା। ତାପରଠାରୁ ତାଙ୍କୁ ଆଉ ବିଜେଡ଼ିର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା ।

Leave A Reply

Your email address will not be published.