ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର ?

0

ଭୁବନେଶ୍ବର : ନିକଟରେ ଅନୁଷ୍ଠିତ 3ଟି ହିନ୍ଦୀଭାଷୀ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଏକ ନୂଆ ଏକ୍ସପେରିମେଣ୍ଟ କରିଥିଲା । ତାହା ହେଉଛି କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନଙ୍କୁ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବା । ବିଜେପିର ଏହି ଏକ୍ସପେରିମେଣ୍ଟ ବେଶ ସଫଳ ହୋଇଥିଲା । ଏବେ ଜାତୀୟ ସ୍ତରରେ ଏହାର ପ୍ରୟୋଗ କରିବାକୁ ଯାଉଛି ବିଜେପି ।

ବିଜେପିର ଯୋଜନା ହେଉଛି ଯେ ଲୋକସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଓ ବଡ଼ ବଡ଼ ଚେହେରାଙ୍କୁ ପ୍ରାର୍ଥୀ କରିବା ଦ୍ବାରା କେବଳ ସେହି ଆସନଜିତିବା ସହଜ ହେବ ନାହିଁ ବରଂ ଏହାର ସିଧାସଳଖ ପ୍ରଭାବ ଏହାର ଆଖପାଖ ଆସନ ଉପରେ ମଧ୍ୟ ପଡ଼ିବ।

ଏବିପି ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ ରାଜ୍ୟସଭାର ପ୍ରାୟ 15 ରୁ 20 ଜଣ  ସାଂସଦଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯାଇପାରେ। ଏହି ସାଂସଦ ଏଥିପାଇଁ ବିଜେପି ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ସଙ୍କେତ ଦେଇଛି। ପ୍ରାୟ ସମସ୍ତଙ୍କୁ ଲୋକସଭା ଆସନ ଦିଆଯାଇଛି ଏବଂ ସେଗୁଡିକୁ ନେଇ କାମ ମଧ୍ୟ ଆରମ୍ଭ ହୋଇଛି । ଏହି ରିପୋର୍ଟ ଅନୁସାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି । ବିଗତ କିଛି ଦିନ ହେଲା ଧର୍ମେନ୍ଦ୍ର ଓଡ଼ିଶାର ବିଭିନ୍ନ ଅଂଚଳରେ ନିଜର ଜନସଂପର୍କ କାର୍ଯ୍ୟ ଜାରି ରଖିଛନ୍ତି । ସମ୍ବଲପୁର ଆସନ ବିଜେପି ପାଇଁ ଏକ ସୁରକ୍ଷିତ ଆସନ ଭାବେ ପରିଗଣିତ ହୋଇଥାଏ । ଏବେ ଏହି ଆସନରୁ ବିଜେପିର ନିତେଶ ଗଙ୍ଗଦେବ ସାଂସଦ ଅଛନ୍ତି । ପୁଣି ଏହି ଲୋକସଭା ଆସନ ଅଧିନରେ 7ଟି ବିଧାନସଭା ଆସନ ରହିଛି-ସମ୍ବଲପୁର, ରେଙ୍ଗାଳି, କୁଚିଣ୍ଡା,ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା ଓ ଆଠମଲିକ୍ । ଏଗୁଡ଼ିକ ମଧ୍ୟରୁ ସମ୍ବଲପୁର, ରେଙ୍ଗାଳି ଓ ଦେବଗଡ଼ରେ ବିଜେପିର ବିଧାୟକ ଅଛନ୍ତି । ପୁଣି ଏହି 7ଟି ମଧ୍ୟରୁ ଛେଣ୍ଡିପଦା ଓ ଆଠମଲିକ୍ ଧର୍ମେନ୍ଦ୍ରଙ୍କ ଗୃହ ଜିଲ୍ଲା ଅନୁଗୁଳରେ ଆସୁଛି । ଏଣୁ ସମ୍ବଲପୁରରୁ ଲଢିବା ଧର୍ମେନ୍ଦ୍ରଙ୍କ ପାଇଁ ସୁବିଧାଜନକ ହେବ । ଏହି ଆସନରୁ ଧର୍ମେନ୍ଦ୍ର ଲଢିଲେ ତାହା ଆଖପାଖ ଲୋକସଭା ଓ ବିଧାନସଭା ଆସନଗୁଡ଼ିକୁ ବି ପ୍ରଭାବିତ କରିବ ।

ଆଉ କେତେକ ବିଶେଷଜ୍ଞଙ୍କ ମତରେ ଧର୍ମେନ୍ଦ୍ର ନିଜର ଗୃହ ଜିଲ୍ଲା ଥିବା ଆସନ ଢେଙ୍କାନାଳରୁ ଲଢିପାରନ୍ତି । ଗତ କିଛି ଦିନ ହେଲା ସେ ଢେଙ୍କାନାଳ ଓ ଅନୁଗୁଳର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ସହିତ ମିଶୁଛନ୍ତି । ପୁଣି ନିଜର ଗୃହ ଜିଲ୍ଲା ହୋଇଥିବାରୁ ଏହି ଆସନରେ ତାଙ୍କର ନିଜସ୍ବ ସଂଗଠନ ବି ଅଛି । ଏଣୁ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ଲଢିପାରନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ ମୋଦୀ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ହୋଇଥିବାରୁ ସେ ଯେଉଁ ଆସନରୁ ବି ଛିଡ଼ା ହୁଅନ୍ତୁ ନା କାହିଁକି ସେହି ଆସନରେ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଓ ଅନ୍ୟ କେନ୍ଦ୍ରୀୟ ନେତାଙ୍କ ଆଗମନ ହୋଇପାରେ । ଏପରି ହାଇପ୍ରୋଫାଇଲ ପ୍ରଚାର ହେଲେ ତାହା ଆଖପାଖ ଲୋକସଭା ଓ ବିଧାନସଭା ଆସନଗୁଡ଼ିକୁ ବି ପ୍ରଭାବିତ କରିବାର ସମ୍ଭାବନା ରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ବିଜେପିର ଏକ ନିଜସ୍ବ ଭୋଟବ୍ୟାଙ୍କ ରହିଛି । ତାହା ଉପରେ ମୋଦୀ ଓ ଅନ୍ୟ ନେତାଙ୍କ ପ୍ରଚାର ହେଲେ ଫଳାଫଳ ବିଜେପିକୁ ସୁହାଇପାରେ ।

 

Leave A Reply

Your email address will not be published.