ନୂଆ ରାଜ୍ୟପାଳଙ୍କ ଘନ ଘନ ଜିଲ୍ଲାଗସ୍ତ

0

ଭୁବନେଶ୍ବର : କିଛିଦିନ ତଳେ ଓଡ଼ିଶାର ରାଜ୍ୟପାଳ କେନ୍ଦ୍ରପଡ଼ା ଗସ୍ତରେ ଯାଇଥିବାବେଳେ ଯଜାଙ୍ଗ ଗ୍ରାମର ସସ୍ମିତା ତ୍ରିପାଠୀ ତାଙ୍କ ଗାଡ଼ି ଆଗରେ ଛିଡ଼ା ହୋଇ ତାଙ୍କୁ ଅଟକିବା ପାଇଁ ନେହୁରା ହୋଇଥିଲେ । ଏହା ପରେ ମହାମହିମ ରାଜ୍ୟପାଳଙ୍କୁ ନିଜ ଘର ଦେଖାଇବାକୁ ଡାକିଥିଲେ । ଘରର ଦୁରାବସ୍ଥା ଦେଖି ରାଜ୍ୟପାଳ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରର ଚାଳରେ ଏତେ ବଡ଼ କଣା ଯେ, ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛନ୍ତି, କାନ୍ଥ ଫାଟିଯାଇଛି । ଘରର ଏପରି ବିକଳ ଚିତ୍ର ଦେଖି ରାଜ୍ୟପାଳ ଜିଲ୍ଲାପାଳଙ୍କୁ ଡାକି ସସ୍ମିତାଙ୍କ ପାଇଁ ଘରଟିଏ ମଞ୍ଜୁର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଉ ଏକ ଘଟଣାକ୍ରମେ ରାଜ୍ୟପାଳ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିବାବେଳେ ଏକ ଥାଲାସେମିଆ ପୀଡ଼ିତ ବାଳକକୁ ଚିକିତ୍ସା ପାଇଁ ଏକ ଲକ୍ଷ୍ୟ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ଏହି ତୁରନ୍ତ ନ୍ୟାୟ ଲୋକଙ୍କ ହୃଦୟ ଜିଣିପାରିଛି । କିନ୍ତୁ ସେପଟେ ଏହି ଘଟଣା ଓଡ଼ିଶା ସରକାରଙ୍କ ବିକାଶ ଦାବିକୁ ପଦାରେ ପକାଇଦେଇଛି ।

ଏହା ଏକମାତ୍ର ଘଟଣା ନୁହେଁ.. ଓଡ଼ିଶାକୁ ସେ ଏଇ ମାତ୍ର 2 ମାସ ହେଲା ଆସିଛନ୍ତି, କିନ୍ତୁ ଏତେ ଅଳ୍ପ ସମୟ ମଧ୍ୟରେ ସେ ସାରା ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟିଯାଇଛନ୍ତି ଓ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ଏହାର କାରଣ ହେଉଛି ତାଙ୍କ ବିଭିନ୍ନ ଜିଲ୍ଲାକୁ ଘନ ଘନ ଗସ୍ତ ଓ ଲେକଙ୍କ ସହ ମିଶି ସେମାନଙ୍କ ସୁଖଦୁଃଖ ବୁଝିବା ।

ରଘୁବର ଦାସ ଗତ ଅକ୍ଟୋବର 31ରେ ଓଡ଼ିଶାର ରାଜ୍ୟପାଳଭାବେ ଶପଥ ନେଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଦେଖାଯାଇଛି ଯେ ସେ ରାଜଭବନରେ କମ ରହୁଛନ୍ତି ଓ ବିଭିନ୍ନ ଜିଲ୍ଲା ଗସ୍ତରେ ଅଧିକ ଯାଉଛନ୍ତି । କେବଳ ଗସ୍ତ କରି ଆଳଙ୍କାରିକଭାବେ ସଭାସମିତିରେ ଯୋଗ ଦେଉନାହାନ୍ତି ବରଂ ସିଧାସଳଖ ଲୋକଙ୍କ ସହ ମିଶୁଛନ୍ତି ଓ ସେମାନଙ୍କ ସୁଖଦୁଃଖ ବୁଝୁଛନ୍ତି । ଏହା ସହିତ ବିଭିନ୍ନ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସେ ପଚାରି ବୁଝୁଛନ୍ତି । ସେ ନିଜର ଗସ୍ତବେଳେ ମୁଖ୍ୟତଃ 5ଟି ସ୍ଥାନ ଉପରେ ଗୁରୁତ୍ବ ଦେଉଛନ୍ତି- ଅଙ୍ଗନବାଡ଼ି କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନା, ସ୍କୁଲ, ମହିଳା ଏସଏଚଜି ଓ କୃଷକ ପଞ୍ଚାୟତ ।  ଏସବୁ ସ୍ଥାନରେ ସେ ପହଞ୍ଚି ଲୋକଙ୍କ ସହ ମତବିନିମୟ କରୁଛନ୍ତି ଓ ଆବଶ୍ୟକ ପରାମର୍ଶ ଦେଉଛନ୍ତି । ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ଭେଟୁଛନ୍ତି । ଏଠାରେ ଲକ୍ଷ୍ୟ କରିବାର କଥା ଯେ ସେ ଏହି ଗସ୍ତବେଳେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ପ୍ରସଂଶା କରୁଛନ୍ତି । ମୋଟାମୋଟି କହିଲେ ସେ ତୃଣମୂଳସ୍ତରରେ ପହଞ୍ଚି ବିକାଶର ଚିତ୍ର ଯାଞ୍ଚ କରୁଛନ୍ତି । ଅର୍ଥାତ ଗତ 25 ବର୍ଷରେ ଓଡ଼ିଶାରେ କେତେ ବିକାଶ ହେଉଛି ତାହା ସେ ଦେଖିବାକୁ ଚାହୁଁଛନ୍ତି ବୋଲି ନିଜର କାମ ମାଧ୍ୟମରେ ସେ ଜଣାଇଦେବାକୁ ଚାହୁଁଛନ୍ତି । ପୁଣି ସେ ନିଜ ଗସ୍ତ ସଂପର୍କରେ ଟ୍ବିଟ କରିବା ସହ ପିଏମଓ ଓ ଅମିତ ଶାହାଙ୍କୁ ଟ୍ୟାଗ୍ କରୁଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ଦିଲ୍ଲୀରୁ ଏସବୁ ଘଟଣା ସଂପର୍କରେ ଖୋଦ ପିଏମଓ ନଜର ରଖୁଛି ।

ଗତ ଡିସେମ୍ବର ମାସରେ ସେ 10-12ଟି ଜିଲ୍ଲାକୁ ଘନ ଘନ ଗସ୍ତ କରିଛନ୍ତି । କିନ୍ତୁ ରାଜ୍ୟପାଳଙ୍କ ଏହି ଗସ୍ତ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଥିବ ନିଶ୍ଚୟ । କାରଣ ଲୋକଙ୍କ ବିକାଶ ପାଇଁ ଯେ ରାଜ୍ୟ ସରକାରଙ୍କୁ ଆହୁରି ଅନେକ କିଛି କରିବାକୁ ହେବ ତାହା ରାଜ୍ୟପାଳ ନିଜ ଗସ୍ତରୁ ସଂକେତ ଦେଇଚାଲିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟପାଳଙ୍କ ଏପରି ଗସ୍ତ ଓ ଲୋକଙ୍କ ସହ ମିଶିବା ବିଜେଡ଼ିକୁ ଅଡୁଆରେ ପକାଇଦେଇଛି । ପୁଣି ସେ ନିଯୁକ୍ତ କରିଥିବା ତାଙ୍କର 3 ଓଡ଼ିଆ ଉପଦେଷ୍ଟାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । କାରଣ ପୂର୍ବରୁ କୌଣସି ରାଜ୍ୟପାଳ ଉପଦେଷ୍ଟା ନିଯୁକ୍ତ କରିବାର ଉଦାହରଣ ନାହିଁ । ଏଣୁ ଅଳ୍ପ ଦିନ ମଧ୍ୟରେ ସେ ସଂକେତ ଦେଇସାରିଛନ୍ତି ଯେ ସେ ରବରଷ୍ଟାମ୍ପ ରାଜ୍ୟପାଳ ନୁହନ୍ତି ।

Leave A Reply

Your email address will not be published.