EXIT POLL : ଓଡ଼ିଶାରେ ହେବ କି ନବୀନ ଯୁଗର ଅବସାନ ?

0

ଭୋଟଗ୍ରହଣ ଶେଷ ହେବା ପରେ ଏବେ ଲୋକଙ୍କ ନଜର ଜୁନ 4ରେ ହେବାକୁ ଥିବା ଗଣତି ଉପରେ । ତେବେ ତାହା ପୂର୍ବରୁ ବିଭିନ୍ନ ଏଜେନ୍ସିଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ରାଜନୈତିକ ପାଣିପାଗରେ ରୋମାଞ୍ଚ ଭରିଦେଇଛି । ଅଧିକାଂଶ ଏକଜିଟ ପୋଲ୍ ଆକଳନ ଅନୁସାରେ ଦେଶରେ ବିପୁଳ ବିଜୟ ସହ ପୁଣି ଥରେ କ୍ଷମତାକୁ ଫେରୁଛି ବିଜେପି । କିନ୍ତୁ ସମସ୍ତଙ୍କୁ ଚମକାଇଦେଇଛି ଓଡ଼ିଶାରେ ବିଜେପିର ପ୍ରଦର୍ଶନ । ଅଧିକାଂଶ ରିପୋର୍ଟରେ ବିଜେପିକୁ 15ରୁ ଅଧିକ ଲୋକସଭା ଆସନ ମିଳୁଥିବା କୁହାଯାଉଛି । ସେହିପରି ବିଧାନସଭା ନିର୍ବାଚନରେ ବି ବିଜେପିର ପ୍ରଦର୍ଶନ ଭଲ ରହିବ ଓ ସରକାର ଗଢିବା ସମ୍ଭାବନା ବି ରହୁଛି ବୋଲି କେତେକ ଏଜେନ୍ସି ଆକଳନ କରିଛନ୍ତି ।

ଅବଶ୍ୟ ଏକଜିଟ ପୋଲ ଏକଜାଟ୍ ବା ପ୍ରକୃତ ଫଳାଫଳ ନୁହେଁ । ଜୁନ 4ରେ ଗଣତି ପରେ ପ୍ରକୃତ ଫଳାଫଳ ଜଣାପଡ଼ିବ ଓ ଆମକୁ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ଏହା ସତ ଯେ ଏକଜିଟ ପୋଲ ଆମକୁ ଟ୍ରେଣ୍ଡ୍ ସମ୍ପର୍କରେ ସୂଚନା ଦେଇଥାଏ । ଅର୍ଥାତ୍ ଫଳାଫଳ କେଉଁ ଆଡ଼କୁ ଯାଇପାରେ ତାହାର ଏକ ଧାରଣା ଆମକୁ ଦେଇଥାଏ ଏକଜିଟ୍ ପୋଲ । ଅଧିକାଂଶ ଏକଜିଟ୍ ପୋଲ ପୂର୍ବାନୁମାନରୁ ଅନ୍ତତଃ ଏହା ସ୍ପଷ୍ଟ ଯେ ଓଡ଼ିଶାର ବିଜୁ ଜନତା ଦଳର ପ୍ରଦର୍ଶନରେ ଅନେକ ଅବନତି ହେବାକୁ ଯାଉଛି । ଦୀର୍ଘ 25 ବର୍ଷ ଧରି ଓଡ଼ିଶାରେ ଏକ ଅଭେଦ୍ୟ ଭାବେ ଛିଡ଼ା ହୋଇଥିବା ବିଜୁ ଜନତା ଦଳର ଦୁର୍ଗରେ ଏବେ ଫାଟ ଦେଖାଗଲାଣି ଓ ଦୁର୍ଗପତନ ଅସମ୍ଭବ ନୁହେଁ । ଅର୍ଥାତ ଓଡ଼ିଶା ରାଜନୀତିରେ ନବୀନ ଯୁଗର ଅବସାନ ହେବାର ସମୟ ଆସିଯାଇଛି ବୋଲି କୁହାଯାଇପାରେ ।

ରବିବାର ଓଡ଼ିଶା ବିଧାନସଭାକୁ ନେଇ ଯେଉଁ ତଥ୍ୟ ଆସିଛି ତାହା ଅନେକାଂଶରେ ସତ ପରି ଲାଗୁଛି । କାରଣ ଯଦି ବିଜେପିର ଲୋକସଭା ଆସନ ଯଥେଷ୍ଟ ବଢିବ, ତେବେ ବିଧାନସଭା ବି ବଢିବାର ସମ୍ଭାବନା ରହିଛି । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ 147 ଆସନରୁ ବିଜେପି 62ରୁ 80, ବିଜେଡି ବି 62-80 ଓ କଂଗ୍ରେସ 5ରୁ 8 ଆସନ ପାଇବ । ଏହି ସର୍ଭେ କହୁଛି ଯେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ । ଝୁଲା ବିଧାନସଭା ହେବା ବି ଅସମ୍ଭବ ନୁହେଁ । ଏପରି ହେଲେ କଂଗ୍ରେସର ଭୂମିକା ବି ବଢିଯିବ ।

ବିଜେଡିର ସବୁଠାରୁ ଅଧିକ ଚିନ୍ତା ବଢାଇଦେଇଛି ଭୋଟ ପ୍ରତିଶତ ହ୍ରାସ । ସର୍ଭେରେ କୁହାଯାଇଛି ଯେ ବିଜେଡିର ଭୋଟ ପ୍ରତିଶତ 2019 ତୁଳନାରେ 3 ପ୍ରତିଶତ ହ୍ରାସ ପାଇ 42 ପ୍ରତିଶତକୁ ଖସିଆସିବ । ସେହିପରି ବିଜେପିର ଭୋଟ ପ୍ରତିଶତ ସିଧାସଳଖ 10 ପ୍ରତିଶତ ବୃଦ୍ଧି ପାଇ 42 ପ୍ରତିଶତରେ ପହଞ୍ଚିବ । କଂଗ୍ରେସର ଭୋଟ ପ୍ରତିଶତ 12 ପ୍ରତିଶତକୁ ଖସି ଆସିବ । ବିଜେଡିର ଆଉ ଏକ ଚିନ୍ତାର କାରଣ ହେଲା ମହିଳା ଭୋଟରଙ୍କ ଭୋଟପ୍ରତିଶତ ହ୍ରାସ ।  ବିଗତ ଦୁଇଟି ନିର୍ବାଚନରେ ମହିଳା ଭୋଟରଙ୍କ ପ୍ରଥମ ପସନ୍ଦ ଥିଲା ବିଜେଡି । କିନ୍ତୁ ଏହା ହ୍ରାସ ପାଇବା ବିଜେଡି ପାଇଁ ଚିନ୍ତାର କାରଣ ହେବାକୁ ଯାଉଛି ।

ଏଣୁ ବିଜେଡି ଗୋଡ଼ତଳୁ ମାଟି ଖସିଚାଲିଛି । ସର୍ଭେକୁ ଯଦି ବିଶ୍ବାସ କରାଯାଏ ଯଦି ବି ବିଜେଡି ମ୍ୟାଜିକ ନମ୍ବର ହାସଲ କରିବାକୁ ସକ୍ଷମ ହୁଏ, ତେବେ ବି ସରକାର ପୂର୍ବପରି ସ୍ଥିର ରହିବା ନେଇ ସନ୍ଦେହ ରହିବ ।  ଏହାକୁ ଦୂର କରିବାକୁ ବିଜେଡି କଂଗ୍ରେସ ସଂପର୍କରେ ରହିବା ଅସମ୍ଭବ ନୁହେଁ ।

ଏ ସଂପର୍କରେ ବିଶିଷ୍ଟ ସାମ୍ବାଦିକ ରୁବେନ ବାନାର୍ଜୀ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଏବେ ବି ନବୀନ ପଟ୍ଟନାୟକ ଲୋକପ୍ରିୟ ଅଛନ୍ତି । ଏହି ନିର୍ବାଚନ ଥିଲା ନବୀନଙ୍କ ଲୋକପ୍ରିୟତା ଓ ପାଣ୍ଡିଆନଙ୍କ ଅଲୋକପ୍ରିୟତା ମଧ୍ୟରେ ଲଢେଇ । ଯଦି ଏକଜିଟ୍ ପୋଲ୍ ସତ ପ୍ରମାଣିତ ହୁଏ ତେବେ ଏହା ଓଡ଼ିଶା ରାଜନୀତିରେ ନବୀନ ଯୁଗର ଅବସାନ ପ୍ରକ୍ରିୟା ଆରମ୍ଭ ହେବ । ଏପରି ହେଲେ ବିଜୁ ଜନତା ଦଳର ସ୍ଥିତି ପ୍ରତି ବି ବିପଦ ମାଡିଆସିବ ।

 

Leave A Reply

Your email address will not be published.