ହେବକି ଆଗୁଆ ଲୋକସଭା ଓ ବିଧାନସଭା ନିର୍ବାଚନ ?

0

ଭୁବନେଶ୍ବର : 2024 ଏପ୍ରିଲ-ମେ  ନୁହେଁ, ଆସନ୍ତା ଡିସେମ୍ବର କିମ୍ବା ଜାନୁଆରି ମାସରେ ଓଡ଼ିଶାରେ ବିଧାନସଭା ନିର୍ବାଚନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି କି ? କେବଳ ରାଜ୍ୟ ସରକାର ନୁହେଁ, କେନ୍ଦ୍ର ସରକାର ବି ଆଗୁଆ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି କି ?ଏପରି କେତେକ ପ୍ରଶ୍ନକୁ ନେଇ ଓଡ଼ିଶା ଓ ସାରା ଦେଶରେ ଆଲୋଚନା ଜୋର ଧରିଛି । ପୁଣି ଓଡ଼ିଶା ସରକାର ଓ କେନ୍ଦ୍ରରେ ମୋଦୀ ସରକାରଙ୍କ କେତେକ ଗତିବିଧି ଏହି ସଂଦେହକୁ ବଢାଇଦେଇଛି ।

ଅବଶ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗୁଆ ନିର୍ବାଚନ ସମ୍ଭାବନାକୁ ଏକାଧିକ ଥର ଅସ୍ବୀକାର କରିଥିଲେ ବି ଗଣମାଧ୍ୟମରେ ଏ ସଂପର୍କରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇବା ପରେ ତାହା ଲୋକଙ୍କ ସଂଦେହକୁ ବଢାଇଦେଇଛି ।

ହାଇଦ୍ରାବାଦର ଏକ ପ୍ରମୁଖ ଇଂରାଜୀ ଖବରକାଗଜ ଡେକାନ କ୍ରୋନିକଲ୍ ରେ ପ୍ରକାଶିତ ଏକ ରିପୋର୍ଟ ଓଡ଼ିଶାରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ବଢାଇଦେଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଡିସେମ୍ବରରେ ହେବାକୁ ଥିବା ୫ ରାଜ୍ୟର ନିର୍ବାଚନକୁ ଜାନୁଆରିକୁ ଘୁଞ୍ଚାଇଦିଆଯିବ ଓ ସେତେବେଳେ ଲୋକସଭା ନିର୍ବାଚନ ସହ ଆନ୍ଧ୍ର, ଓଡ଼ିଶା, ଅରୁଣାଚଳ ଓ ସିକ୍କିମର ନିର୍ବାଚନ କରାଯିବ ।

ସେପଟେ ରାଜ୍ୟ ସରକାରଙ୍କ ଗତିବିଧିକୁ ଲକ୍ଷ୍ୟକଲେ ଜଣାପଡ଼ୁଛି ଯେ ଆଗୁଆ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ଗତ କିଛି ମାସ ହେଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭିନ୍ନ ଜିଲ୍ଲାକୁ ତୋଫାନି ଗସ୍ତ କରିଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ସେ ଲୋକଙ୍କ ଗହଣରେ ପହଞ୍ଚୁଛନ୍ତି ଓ ତୁରନ୍ତ ଲୋକଙ୍କ ଅଭିଯୋଗର ସମାଧାନ କରୁଛନ୍ତି କିମ୍ବା ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି । ସେପ୍ଟେମ୍ବର 4 ତାରିଖରେ ନବୀନ ନିବାସରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ପ୍ରାୟ ଅଢେଇ ଘଣ୍ଟା ଧରି ଆଲୋଚନା କରି ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଗାନ୍ଧି ଜୟନ୍ତୀରୁ ପ୍ରତି ଜିଲ୍ଲା ପରିଷଦ ଜୋନରେ ପଦଯାତ୍ରା କରି ଲୋକଙ୍କ ନିକଟରେ ପହଞ୍ଚିବ ବିଜେଡି । ପୁଣି 30 ହଜାର ସକ୍ରିୟ ସଭ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏସବୁ ନିର୍ବାଚନୀ ପ୍ରସ୍ତୁତି ନୁହେଁ କି ?

ସେପଟେ ବିଧାୟକମାନେ ନିଜ ନିଜ ଅଞ୍ଚଳରେ ଡେରା ପକାଇଛନ୍ତି କିମ୍ବା ଘନ ଘନ ଗସ୍ତ କରୁଛନ୍ତି ଓ ବିକାଶ କାର୍ଯ୍ୟର ତଦାରଖ କରୁଛନ୍ତି । ବିଜୁ ଜନତା ଦଳର ସଂଗଠନ ସ୍ତରରେ ବି ବ୍ୟାପକ ଅଦଳବଦଳ କରାଯାଉଛି । ବିଧାୟକମାନଙ୍କ ଜିତିବା ସମ୍ଭାବନାର ଆକଳନ କରାଯାଉଛି ।

ବିଜେଡ଼ିକୁ ଦେଖି ବିଜେପି ଓ କଂଗ୍ରେସ ବି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ ନେଇ ଗାଁକୁ ଯିବାକୁ ବିଜେପି ଘୋଷଣା କରିଥିବାବେଳେ ରାଜ୍ୟ-କେନ୍ଦ୍ରର ବିଫଳତାକୁ ନେଇ ରାଜ୍ୟର ଘରେ ଘରେ ପହଞ୍ଚିବାକୁ କଂଗ୍ରେସ ଘୋଷଣା କରିଛି ।

ରାଜ୍ୟର ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ବସିବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ଚଳିତ ବିଧାନସଭାରେ ଶେଷ ଅଧିବେଶନ ହୋଇପାରେ । ଏହି ଅଧିବେଶନକୁ ସଂକ୍ଷିପ୍ତ କରାଯିବ ଓ ଏଥିରେ ଅତିରିକ୍ତ ବଜେଟକୁ ମଂଜୁର କରାଯିବ । ଏହା ପରେ ବିଧାନସଭାକୁ ଭଙ୍ଗ କରିବାକୁ ପ୍ରସ୍ତାବ ଆସିପାରେ ।

ଯଦି କେନ୍ଦ୍ର ସରକାର ରାଜି ହୁଅନ୍ତି, ତେବେ ଡିସେମ୍ବରରେ ହେବାକୁ ଥିବା 5ଟି ରାଜ୍ୟର ନିର୍ବାଚନ ସହ ଓଡ଼ିଶାର ବି ବିଧାନସଭା ନିର୍ବାଚନ ପାଇଁ ବି ତାରିଖ ଘୋଷଣା ହୋଇପାରେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଏଥିପାଇଁ କେନ୍ଦ୍ର ସରକାର ରାଜି ହେବେ ତ ? ସବୁଠାରୁ ସମସ୍ୟା ସୃଷ୍ଟି କରିଛି କେନ୍ଦ୍ର ସରକାର ହଠାତ୍ ଏକ ସଂସଦର ଅଧିବେଶନ ଡାକିବା । ଏହି ଅଧିବେଶନରେ ଯଦି କେନ୍ଦ୍ର ସରକାର ଏକ ଦେଶ-ଏକ ନିର୍ବାଚନ ପାଇଁ ଘୋଷଣା କରନ୍ତି ତାହା ହେଲେ କଣ ହେବ ?

କିନ୍ତୁ ଏହା ସତ ଯେ କେନ୍ଦ୍ରର ବିଜେପି ସରକାରଙ୍କ ସହ ବିଜେଡିର ଯେପରି ସଂପର୍କ, କେନ୍ଦ୍ର ସରକାର କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ନିଶ୍ଚୟ ବିଜେଡ଼ିକୁ ଭରସାରେ ନେବେ । ଗୋଟିଏ ସମୟରେ ଯଦି ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ହୁଏ, ସେଥିପାଇଁ ମଧ୍ୟ ବିଜେଡ଼ିର କୌଣସି ଆପତ୍ତି ରହିବ ନାହିଁ । ତେବେ କେନ୍ଦ୍ର ରେ ବି କଣ ଆଗୁଆ ଲୋକସଭା ନିର୍ବାଚନ ହେବ ?

କେନ୍ଦ୍ର ସରକାର ଆଗୁଆ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଇତି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏପରିକି କଂଗ୍ରେସ ମଧ୍ୟ ଆଶଙ୍କା ପ୍ରକାଶ କରିସାରିଛନ୍ତି । ଏପରି ହେଲେ ବିରୋଧୀ ଇଣ୍ଡିଆ ମେଣ୍ଟ ନିଜକୁ ପ୍ରସ୍ତୁତ କରିବା ପୂର୍ବରୁ ହିଁ ନିର୍ବାଚନ ଜିତିଯିବାକୁ ବିଜେପିର ଯୋଜନା ବୋଲି ବିରୋଧୀ କହୁଛନ୍ତି ।

 

 

Leave A Reply

Your email address will not be published.