କେଉଁଠି ଅଟକିଛି ମେଣ୍ଟ ଆଲୋଚନା ? ମେଣ୍ଟ ଆଗରେ କଣ ପ୍ରତିବନ୍ଧକ ଦେଖାଦେଇଛି ?

0

ଆଗାମୀ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବାକୁ ନେଇ ଗତ ପ୍ରାୟ ଏକ ମାସ ହେଲା ରାଜ୍ୟ ରାଜନୀତିରେ ହଟଚମଟ ଜାରି ରହିଛି । ଏହା ସତ୍ତ୍ବେ ମେଣ୍ଟ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲା ନାହିଁ । ମେଣ୍ଟ ହେବା ନେଇ କଣ ପ୍ରତିବନ୍ଧକ ରହୁଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ । ଭାରତର ନିର୍ବାଚନ କମିସନ ଶନିବାର ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଥିଲେ ମଧ୍ୟ ଏବେ ବି ମେଣ୍ଟର ଭାଗ୍ୟ ଅଧାରେ ଲଟକିଛି । ଏବେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଛଡ଼ାଯାଇଛି ।  ଏପରି ସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ବୟାନ ସ୍ଥିତିକୁ ସ୍ପଷ୍ଟ କରିବ କଣ ଆହୁରି ଗୋଳିଆ କରିଦେଇଛି । ଏକ ଜାତୀୟ ସ୍ତରର ଟିଭି ଚ୍ୟାନେଲର କନକ୍ଲେଭରେ ଯୋଗ ଦେଇ ସେ କହିଛନ୍ତି ଯେ ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇନାହାନ୍ତି । ଅର୍ଥାତ୍ ମେଣ୍ଟ ଆଲୋଚନାକୁ ସେ ଅସ୍ବୀକାର ବି କରିନାହାନ୍ତି ।

ସେପଟେ ମେଣ୍ଟକୁ ଅଚଳାବସ୍ଥା ଲାଗି ରହିଥିବାରୁ ଉଭୟ ଦଳ ନିଜ ନିଜ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ଆରମ୍ଭ କରିଦେଲେଣି ଓ ମେଣ୍ଟ ନ ହେବା ସ୍ଥିତିରେ ଏକୁଟିଆ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ତେବେ କେଉଁଠି ଅଟକୁଛି ମେଣ୍ଟ ଆଲୋଚନା ? ମେଣ୍ଟ ଆଗରେ କଣ ପ୍ରତିବନ୍ଧକ ଦେଖାଦେଇଛି ?

ବିଭିନ୍ନ କାରଣରୁ ମେଣ୍ଟ ଆଲୋଚନା ଅଟକିଯାଇଥିବା କୁହାଯାଉଛି ।

ପ୍ରଥମ କାରଣଟି ହେଉଛି ଓଡ଼ିଶାର ବିଜେପି ନେତାମାନେ ମେଣ୍ଟ ପାଇଁ ରାଜିନାହାନ୍ତି । ଗତ ୧୫ ବର୍ଷ ଧରି ଯେଉଁ ଶାସକ ଦଳ ବିରୋଧରେ ବିଜେପି ଲଢିଆସିଛି, ତା ସହ ହାତ ମିଳାଇବାକୁ ଚାହୁଁନାହିଁ । ଏହା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବାରମ୍ବାର ବୟାନରୁ ଜଣାପଡ଼ୁଛି ।

ଆଉ ଏକ କାରଣ ହେଉଛି ଆସନ ବୁଝାମଣା । ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ୧୧୨ଟି ବିଧାୟକ ଆସନରେ ଲଢ଼ିବାକୁ ଚାହୁଁଥିବା ବେଳେ ବିଜେପିକୁ ମାତ୍ର ୩୫ଟି ଆସନ ଛାଡ଼ିବାକୁ ଚାହୁଁଛି । ଲୋକସଭା ଆସନ କ୍ଷେତ୍ରରେ ବିଜେପିକୁ ଅଧିକ ଆସନ ଛାଡ଼ିବାକୁ ବିଜେଡି ରାଜି ହେଉଛି, କିନ୍ତୁ ବିଧାନସଭା ଆସନ କ୍ଷେତ୍ରରେ ବିଜେଡି 35ରୁ ଅଧିକ ଆସନ ଛାଡ଼ିବାକୁ ରାଜି ହେଉନାହିଁ । ଏଣୁ ବିଜେପି ଏହାକୁ ଏକ ଅନ୍ୟାୟ ମେଣ୍ଟ ବୋଲି ଭାବୁଛି ।  ପୁଣି କେଉଁ ଆସନ କେଉଁ ଦଳକୁ ଯିବ ତାହାକୁ ନେଇ ଅସହମତି ରହିଛି ।

ମେଣ୍ଟକୁ ନେଇ ତୃଣମୂଳ ସ୍ତରର କର୍ମୀଙ୍କ ମତାମତକୁ ନେଇ ସତର୍କ ରହିଛନ୍ତି ଉଭୟ ଦଳ । କର୍ମୀମାନେ ଏହି ମେଣ୍ଟକୁ ନେଇ ସେତେଟା ଉତ୍ସାହିତ ନାହାନ୍ତି । ଏଣୁ ଜବରଦସ୍ତି ମେଣ୍ଟ କଲେ ତାହା ଉଭୟ ଦଳରେ ବିଦ୍ରୋହ ସୃଷ୍ଟି କରିବାର ସମ୍ଭାବନା ରହିଛି । ଏନେଇ ଉଭୟ ଦଳର ନେତୃତ୍ବ ସଚେତନ ରହିଛନ୍ତି ।

ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଇଥିବା ମତାମତ ମଧ୍ୟ ମେଣ୍ଟ ଆଲୋଚନା ଉପରେ ପ୍ରଭାବ ପକାଇଥିବା କୁହାଯାଉଛି। ଶ୍ରୀ ଦାସ ଗତ କିଛି ମାସ ହେବ ସକ୍ରିୟ ଭାବେ ସାରା ରାଜ୍ୟ ଗସ୍ତ କରି ବିଜେପି ଶୀର୍ଷ ନେତୃବୃନ୍ଦଙ୍କୁ ନିଜର ମତାମତ ଦେଇଥିବା କୁହାଯାଉଛି । ରଘୁବର ଜଣେ ପୁରୁଖା ଶ୍ରମିକ ନେତା ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ  । ଏଣୁ ଲୋକମାନଙ୍କ ମନରେ କଣ ରହିଛି ତାହା ପଢିବା ତାଙ୍କ ପାଇଁ କଷ୍ଟକର ନୁହେଁ । ଏଣୁ ତାଙ୍କର ମତାମତକୁ ବିଜେପି ନେତୃତ୍ବ ଗୁରୁତ୍ବର ସହ ନେଇଛନ୍ତି ।

ରାଜ୍ୟ ବିଜେପିର ବହୁ ନେତାଙ୍କ ମତରେ ବିଜେଡି ସରକାରଙ୍କ ବିରୋଧରେ ଥିବା ସରକାର ବିରୋଧୀ ହାଓ୍ବାର ଫାଇଦା ବିଜେପିକୁ ମିଳିପାରେ ।  କିନ୍ତୁ ଶଙ୍ଖ ଦଳ ସହ ଚୁକ୍ତି କଲେ ବିଜେପିକୁ ଲାଭ ଅପେକ୍ଷା ଅଧିକ କ୍ଷତି ହେବ। କାରଣ ସରକାର ବିରୋଧୀ ହାଓ୍ବାର କୁପ୍ରଭାବ ବିଜେପି ଉପରେ ବି ପଡ଼ିପାରେ ।

ଆହୁରି ମଧ୍ୟ ଏହାର ଫାଇଦା କଂଗ୍ରେସକୁ ମିଳିପାରେ । ଏଥର ମେଣ୍ଟ ହେଲେ ସରକାର ବିରୋଧୀ ଭୋଟର ଏକ ବଡ଼ ଭାଗ କଂଗ୍ରେସକୁ ଯାଇପାରେ । ଏହା ଦ୍ବାରା କଂଗ୍ରେସର ଆସନ ସଂଖ୍ୟା ଏଥର ବୃଦ୍ଧି ପାଇବ ଓ କଂଗ୍ରେସ ପୁଣି ଥରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇବା ନିଶ୍ଚିତ । ଏଣୁ କଂଗ୍ରେସକୁ ଏହି ସୁଯୋଗ ଦେବାକୁ ଉଭୟ ବିଜେପି ଓ ବିଜେଡି ରାଜି ନାହାନ୍ତି ।

ମେଣ୍ଟ ଅଟକିବାର ଆଉ ଏକ ବଡ଼ କାରଣ ରହିଥାଇପାରେ । କେତେକ ସୂଚନା ଅନୁସାରେ ବିଜେଡି ଏନଡିଏରେ ଯୋଗଦେବାକୁ ରାଜି, କିନ୍ତୁ କେନ୍ଦ୍ର ସରକାରରେ ଯୋଗ ଦେବାକୁ ରାଜି ହେଉନାହିଁ । କେବଳ ସେତିକି ନୁହେଁ, ଓଡ଼ିଶା ସରକାରରେ ବି ବିଜେପିକୁ ଅଂଶୀଦାର କରିବାକୁ ଏହି ଦଳ ରାଜି ନାହିଁ । ଅର୍ଥାତ୍ ବିଜେପିକୁ ମନ୍ତ୍ରୀପଦ ଛାଡ଼ିବାକୁ ରାଜି ହେଉନାହିଁ ବିଜେଡି । ବିଜେଡିର ଏହି ଯୋଜନାରେ ସହମତ ହୋଇପାରୁନାହିଁ ବିଜେପି । କାରଣ ଗୋଟିଏ ପଟେ ସେମାନେ ବିରୋଧୀ ଦଳର ମାନ୍ୟତା ହରାଇବେ ଅନ୍ୟପଟେ ସରକାରରେ କୌଣସି କ୍ଷମତା ମିଳିବ ନାହିଁ । ଅର୍ଥାତ୍ ବିଜେପି ନା ଏକୂଳକୁ ହେବ ନା ସେ କୂଳକୁ ।

KAMAL@123

Leave A Reply

Your email address will not be published.