ସ୍କୋଡା ଓ ଫକ୍ସଓ୍ବାଗନ ଭାରତର ସବୁଠାରୁ ସୁରକ୍ଷିତ କାର, ମିଳିଲା 5-ଷ୍ଟାର ରେଟିଂ, ମାରୁତି ନିରାଶ

0

ନୂଆଦିଲ୍ଲୀ : ସ୍କୋଡା ଓ ଫକ୍ସଓ୍ବାଗନ ଭାରତର ସବୁଠାରୁ ସୁରକ୍ଷିତ କାରର ମାନ୍ୟତା ପାଇଛନ୍ତି । ଗାଡ଼ିଗୁଡ଼ିକର ସୁରକ୍ଷା ରେଟିଂ ଜାରି କରୁଥିବା ଗ୍ଲୋବାଲ ଏନସିଏପି କ୍ରାଶ ଟେଷ୍ଟରେ ସ୍କୋଡା ଏବଂ ଫକ୍ସୱାଗନ ଭଲ ପ୍ରଦର୍ଶନ କରିଛନ୍ତି। ଅପଡେଟ୍ ହୋଇଥିବା ଗ୍ଲୋବାଲ ଏନସିଏପି କ୍ରାଶ ଟେଷ୍ଟରେ ସ୍କୋଡା ସ୍ଲାଭିଆ ଏବଂ ଫକ୍ସୱାଗନ ଭିର୍ଟସ ୫ ତାରକା ସୁରକ୍ଷା ରେଟିଂ ହାସଲ କରିଛନ୍ତି ।

ଚଳିତ ବର୍ଷ ଗ୍ଲୋବାଲ ଏନସିଏପି ସମସ୍ତ ପରୀକ୍ଷିତ ମଡେଲ ପାଇଁ ଫ୍ରଣ୍ଟ ଏବଂ ପାର୍ଶ୍ୱ ପ୍ରଭାବ ସମ୍ବନ୍ଧୀୟ କ୍ରାଶ ଟେଷ୍ଟ ପ୍ରୋଟୋକଲରେ ସଂଶୋଧନ କରିଛି । ୨୦୨୩ରେ ସର୍ବାଧିକ ନିରାପତ୍ତା ରେଟିଂ ପାଇଥିବା ଗାଡ଼ିଗୁଡ଼ିକୁ ଇଲେକ୍ଟ୍ରୋନିକ୍ ସ୍ଥିରତା ନିୟନ୍ତ୍ରଣ (ଇସିଏସ୍), ପଥଚାରୀ ସୁରକ୍ଷା ଏବଂ ପାର୍ଶ୍ୱ ପ୍ରଭାବ ପୋଲ ସୁରକ୍ଷା ପରୀକ୍ଷା ମଧ୍ୟ କରିବାକୁ ପଡ଼ିବ।

ଏହି ଦୁଇ ସେଡାନ୍ କାର୍ ମୋଟ ୩୪ ପଏଣ୍ଟରୁ ୨୯.୭୧ ପଏଣ୍ଟ ପାଇଥିଲେ। ସାମ୍ନାରୁ ଆଘାତ ଲାଗିଲେ ସ୍କୋଡା ସ୍ଲାଭିଆ ଓ ଫୋକ୍ସୱାଗନ ଭର୍ଟସ୍ ଡ୍ରାଇଭର ଓ ଯାତ୍ରୀଙ୍କ ମୁଣ୍ଡ, ବେକ, ଆଣ୍ଠୁ ଓ ଜଙ୍ଘକୁ ଭଲ ସୁରକ୍ଷା ଦେଇଥିଲେ। ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ଛାତିକୁ ମଧ୍ୟ ଭଲ ସୁରକ୍ଷା ମିଳିଥିଲା।

ଏପରିକି ପାର୍ଶ୍ୱ ପ୍ରଭାବ (ସାଇଡ ଇମ୍ପାକ୍ଟ) ପରୀକ୍ଷାରେ ମଧ୍ୟ ଉଭୟ ସେଡାନ୍ ମୁଣ୍ଡ, ଛାତି ଓ ପେଟ ଅଞ୍ଚଳକୁ ଯଥେଷ୍ଟ ସୁରକ୍ଷା ଦେଇଥିଲେ। ତେବେ ଚେଷ୍ଟ ପ୍ରୋଟେକ୍ସନକୁ ସାମାନ୍ୟ ରେଟିଂ ମିଳିଛି ।

ଗ୍ଲୋବାଲ ଏନସିଏପି ନିକଟରେ ହୋଇଥିବା ଦୁର୍ଘଟଣା ପରୀକ୍ଷଣ ପରେ ମାରୁତି ସୁଜୁକିର ୱାଗନଆରକୁ ପ୍ରାପ୍ତ ବୟସ୍କ ଯାତ୍ରୀ ସୁରକ୍ଷାରେ ମାତ୍ର ଗୋଟିଏ ରେଟିଂ ମିଳିଛି। ସେହିପରି ନିକଟରେ ଲଞ୍ଚ  ହୋଇଥିବା ଅଲ୍ଟୋ କେ୧୦ ଆଡଲ୍ଟ ସେଫ୍ଟିକୁ ଦୁଇ ରେଟିଂ ମିଳିଛି। ତେବେ ଏହି ଦୁଇଟି କାର୍ ପିଲାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ କାରଣ ଏହି ଦୁଇ ମଡେଲକୁ ଶିଶୁ ସୁରକ୍ଷାରେ ଜିରୋ ଷ୍ଟାର ମିଳିଛି । ଫଳରେ ମାରୁତିଙ୍କ କାର୍ ଗୁଡ଼ିକ ପୁଣି ଥରେ ଦୁର୍ଘଟଣା ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଛନ୍ତି।

 

 

 

Leave A Reply

Your email address will not be published.