ଓଡ଼ିଶାରେ ସ୍ଥାପନ ହେବ ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରୀ କାରଖାନା, ୪୦,୦୦୦ କୋଟି ନିବେଶ କରିବ ଜେଏସଡବ୍ଲୁ

0

ଭୁବନେଶ୍ୱର : ସଜ୍ଜନ ଜିନ୍ଦାଲଙ୍କ ଜେଏସଡବ୍ଲ୍ୟୁ କମ୍ପାନୀ କଟକର ନରାଜ ଓ ପାରାଦୀପ୍‍ ଠାରେ ଇଲେକଟ୍ରିକ ଯାନ (ଇଭି) କାରଖାନା ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ଲାଗିଛି । ଏହି କାରଖାନା ପ୍ରତିଷ୍ଠା ହେଲେ ଏଥିରେ ୧୧ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇପାରିବେ । ଏହା ପୂର୍ବରୁ ସଜ୍ଜନ ଜିନ୍ଦାଲ ଓଡ଼ିଶାରେ ନିଜର ଇସ୍ପାତ ପ୍ରକଳ୍ପ ପାଇଁ କାମ କରୁଛନ୍ତି । ଏହି ପ୍ରକଳ୍ପରେ କମ୍ପାନି ୬୫ ହଜାର କୋଟି ନିବେଶ ମିଳିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ( ସୋମବାର) ବସିଥିବା ରାଜ୍ୟ କ୍ୟାବିନେଟ୍‍ର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ଏହି ଦୁଇଟି ପ୍ରକଳ୍ପରେ ଜେଏସଡବ୍ଲୁ ୪୦,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ ହେବା ସହିତ ୧୧,୦୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି । ଏଥି ସହିତ ଏହି ପ୍ରକଳ୍ପଗୁଡିକ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ କରିବାକୁ ଯାଉଛି ।

ଜେଏସଡବ୍ଲୁ ଗ୍ରୁପ୍‍ କଟକର ନରାଜ ଠାରେ ଏକ ଇଭି ଯାନ ଏବଂ ଉକ୍ତ ଯାନ ପାଇଁ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଛି । ଏହି ୫୦ ଜିଡବ୍ଲୁଏଚ୍‍ କ୍ଷମତା ବିଶିଷ୍ଟ ଏକ ଉନ୍ନତ ବୈଷୟିକ ଜ୍ଞାନ ଆଧାରିତ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ଏହି କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଏକକ ପ୍ରକଳ୍ପ ହେବ ।

ଦୁଇଟି ପର୍ଯ୍ୟାୟରେ ସମାନ ସୁବିଧାରେ ବୈଦ୍ୟୁତିକ ଯାନ ଏବଂ ଉପାଦାନଗୁଡିକ ଉତ୍ପାଦନ ପାଇଁ ଏକ ଅସଲି ଯନ୍ତ୍ରାଂଶ ଉତ୍ପାଦକ କାରଖାନା ସ୍ଥାପନ ପାଇଁ କମ୍ପାନୀ ଯୋଜନା କରୁଛି । ଦୁଇଟି ପର୍ଯ୍ୟାୟରେ କମ୍ପାନୀ ରାଜ୍ୟରେ ୨୫,୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି, ଯାହା ୪୦୦୦ ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ।

ସେହିଭଳି ଜେଏସଡବ୍ଲୁ ନୂତନ ଯୁଗ ବୈଷୟିକ କ୍ଷେତ୍ରର ପାଦଚିହ୍ନ ସ୍ୱରୂପ ତୃତୀୟ ପର୍ଯ୍ୟାୟରେ ପାରାଦୀପରେ ତମ୍ବା ସ୍ମେଲଟର ଏବଂ ବୈଦ୍ୟୁତିକ ଯାନର ଆନୁସଙ୍ଗିକ ଉପାଦାନ ଉତ୍ପାଦନ କମ୍ପେ୍ଲକ୍ସ ସ୍ଥାପନ ପାଇଁ ଯୋଜନା କରିଛି । ଏହି ପର୍ଯ୍ୟାୟରେ କମ୍ପାନୀ ୧୫,୦୦୦ କୋଟି ଟଙ୍କା ନିବେଶ କରିବା ସହିତ ୭୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

Leave A Reply

Your email address will not be published.