ସମୃଦ୍ଧ ଓଡ଼ିଶାର ଲୋକେ ଗରିବ କାହିଁକି ? ପଚାରିଲେ ମୋଦୀ, ବିଜେଡି ଉପରେ ଆଣିଲେ ଦୁର୍ନୀତି ଅଭିଯୋଗ

0

ଅନୁଗୁଳ: ପୁଣି ଥରେ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିଜେଡି ସରକାର ଉପରେ ବର୍ଷିଛନ୍ତ । ସେ ଖୋଲାଖୋଲି ଭାବେ ବିଜେଡି ସରକାର ଉପରେ ଦୁର୍ନୀତିଗ୍ରସ୍ତ ହେବାର ଅଭିଯୋଗ ଆଣିଛନ୍ତି ।

ଗତ ୨୫ ବର୍ଷ ଭିତରେ ବିଜେଡି ସରକାର କିଛି କରିନି। ଏଠାରୁ ଲୋକେ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି। ଓଡ଼ିଶାକୁ କିଏ ବରବାଦ କରିଲା? କିଏ ଯୁବକଯୁବତୀଙ୍କ ସ୍ବପ୍ନକୁ ଚୁରମାର କରିଛି?

ଅନୁଗୁଳରେ ଅନୁଷ୍ଠିତ ଏକ ଜନସଭାରେ ସେ କହିଛନ୍ତି, ଏଠିକାର ବିଜେଡି ସରକାରର ଶାସନରେ ଲୋକେ ଅତିଷ୍ଠ। କିଛି ଦୁର୍ନୀତିଗ୍ରସ୍ତ ଲୋକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଘେରି ରଖିଛନ୍ତି। କେତେକ ଦୁର୍ନୀତିଗ୍ରସ୍ତ ଲୋକଙ୍କ କବଜାରେ ବିଜେଡି ସରକାର ରହିଛି। ଓଡ଼ିଶାରେ ବିପୁଳ ଖଣିଜ ଓ ପ୍ରାକୃତି ସମ୍ବଳ ରହିଛି, ମାତ୍ର ଓଡ଼ିଶାର ଲୋକେ ଗରିବ । ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି। ଏତେ ସମୃଦ୍ଧ ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା? କିଏ ଓ଼ଡିଶାର ଯୁବକଯୁବତୀଙ୍କ ସ୍ବପ୍ନକୁ ଚୁରମାର କରିଛି? ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର। ନୂଆ ଖଣିଜ ନୀତି ଅନୁସାରେ ଓଡ଼ିଶାକୁ ଅଧିକ ଖଣି ରୟାଲିଟି ମିଳୁଛି । ଡିଏମ୍‌ଏଫ୍ ପାଣ୍ଠିରେ ଆମେ ୨୬ ହଜାର କୋଟି ଦେଇଛୁ। କିନ୍ତୁ ତାହା ଲୋକଙ୍କ ବିକାଶ ପାଇଁ ଲାଗୁନାହିଁ । ଏଥିରେ ବି ବିଜେଡିର ଲୋକମାନେ ଦୁର୍ନୀତି କଲେ ।

ବିଜେଡି ସରକାରରେ ଜଗନ୍ନାଥ ମନ୍ଦିର ମଧ୍ୟ ସୁରକ୍ଷିତ ନାହିଁ। ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ। ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି। ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ମିଳିଯାଏ। କିନ୍ତୁ ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିଯୀଉଛି । ଏଥିପାଇଁ ଓଡ଼ିଶା ସରକାରକୁ କବଜା କରିଥିବା ଲୋକମାନେ ଦାୟୀ ।

ସେ ଆହୁରି କହିଛନ୍ତି, ବିଜେଡି ସରକାରକୁ ବିଦାୟ କରିବାର ସମୟ ଆସିଯାଇଛି। ଏବେ ବିଜେପି ସରକାରକୁ ଆଣିବାର ସମୟ ହୋଇଯାଇଛି। ଜନ୍ ୧୦ରେ ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ ହେବ। ଓଡ଼ିଶାର ପୁଅ କି ଝିଅ ମୁଖ୍ୟମନ୍ତ୍ରୀ ହେବ।

 

Leave A Reply

Your email address will not be published.