ମେଣ୍ଟ ଚର୍ଚ୍ଚା ମଧ୍ୟରେ ଆଜି ଓଡ଼ିଶା ଆସୁଛନ୍ତି ମୋଦୀ

0

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡ଼ି) ସହ ମେଣ୍ଟ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି( ୫ ମାର୍ଚ୍ଚ) ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ ଥିବାରୁ ମୋଦୀଙ୍କ ଗସ୍ତର ଗୁରୁତ୍ବ ଆହୁରି ବଢିଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଣ୍ଡୀଖୋଲ ଯାଇ ରାଜ୍ୟବାସୀଙ୍କୁ ୧୯୬୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ। ଏହାସହ ଏକ ସାଧାରଣ ସଭାରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସୂଚନା ଦେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ହାଇଦ୍ରାବାଦରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଓଡ଼ିଶା ଆସିବେ। ଭୁବନେଶ୍ବର ବିମାନବନ୍ଦରରେ ଅପରାହ୍ନ ୨ଟା ୪୦ରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ୩ଟା ୩୦ରେ ପାଖ ପଡ଼ିଆରେ ଆୟୋଜିତ ‘ମୋଦୀ ଗ୍ୟାରେଣ୍ଟି’ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ। ଏଥିରେ ବିଜେପିର ସମସ୍ତ ସାଂସଦ, ବିଧାୟକ ଓ ପଦାଧିକାରୀମାନେ ଯୋଗଦେବେ।

୧୯୬୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ । ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ରଖାଯାଇଛି।

ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମୋନୋ ଇଥାଇଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିବେ ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ଆହୁରି ସହାୟକ ହେବ । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ପ୍ରଡକ୍ଟ ପାଇପଲାଇନକୁ ଉଦଘାଟନ କରିବେ । ଭାରତର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିବେ ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଂହାରାରୁ ବିଞ୍ଜାବାହାଲ ସେକ୍ସନକୁ ଚାରି ଲେନ୍ କରିବାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ୪୯ ନମ୍ବର ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବାଣୀ ସେକ୍ସନକୁ ୪ ଲେନ୍ କରିବା; ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରିଆ ସେକ୍ସନକୁ ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନକୁ ୪ ଲେନ୍ କରିବା। ଚଣ୍ଡିଖୋଲଠାରେ ଚଣ୍ଡିଖୋଲ- ପାରାଦୀପ ସେକ୍ସନର ଆଠ ଲେନ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ।

ରେଳ ସଂଯୋଗର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହିତ ରେଳ ନେଟୱାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ । ପ୍ରଧାନମନ୍ତ୍ରୀ ୧୬୨ କିଲୋମିଟର ବାଂଶପାଣି – ଦୈତାରୀ – ଟମ୍କା – ଜାଖପୁରା ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା କେବଳ ବର୍ତ୍ତମାନର ଟ୍ରାଫିକ୍ ସୁବିଧାର କ୍ଷମତା ବୃଦ୍ଧି କରିବ ନାହିଁ ବରଂ କେନ୍ଦୁଝର ଜିଲ୍ଲାରୁ ନିକଟସ୍ଥ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଓ ମାଙ୍ଗାନିଜ ପଥରର ଦକ୍ଷ ପରିବହନକୁ ସହଜ କରିବ, ଯାହା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଘରୋଇ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋର ଉଦଘାଟନ କରାଯିବ । ନର୍ଲାଠାରେ ଇଲେକ୍ଟ୍ରିକ୍ ଲୋକୋ ପତ୍ରିକା ଓଭରହୋଲିଂ ୱାର୍କସପ୍, କଣ୍ଟାବାଞ୍ଜିରେ ଓ୍ଵାଗନ୍ ପିରିଓଡିକାଲ୍‌ ଓଭରହୋଲିଂ ୱାର୍କସପ୍ ଏବଂ ବାଘୁଆପାଳରେ ରକ୍ଷଣାବେକ୍ଷଣ ସୁବିଧାର ଉନ୍ନତିକରଣ ଓ ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଗସ୍ତ ସମୟରେ ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ ସମେତ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ହାତକୁ ନିଆଯିବ।

ପ୍ରଧାନମନ୍ତ୍ରୀ ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସ୍ୟାଣ୍ଡସ କମ୍ପ୍ଲେକ୍ସରେ ୫ ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ଡିସେଲିନେସନ ପ୍ଲାଣ୍ଟକୁ ଉଦଘାଟନ କରିବେ । ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ ସ୍ୱଦେଶୀ ଡିସେଲିନେସନ୍ ଟେକ୍ନୋଲୋଜିର କ୍ଷେତ୍ର ପ୍ରୟୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।

କଡା ସୁରକ୍ଷା

ଓଡ଼ିଶା ଗସ୍ତକୁ ନଜରରେ ରଖି ଭୁବନେଶ୍ବରୁ ଚଣ୍ଡିଖୋଲ ‌ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୬ଜଣ ଅତିରିକ୍ତ ଡିସିପି, ୧୦ଜଣ ଏସିପି, ୧୯ଜଣ ଇନ୍ସପେକ୍ଟର, ୬୯ ଅଫିସର ଏବଂ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ଏହାବ୍ୟତୀତ ଗୋଟିଏ ୟୁନିଟ୍ ଏସଟିଓ ଓ ଓଡ୍ରାଫ୍ ଟିମ୍ ମଧ୍ୟ ନିୟୋଜିତ ହେବେ।

Leave A Reply

Your email address will not be published.