ବିଜେଡ଼ିର ମହିଳା ଭୋଟ ଛଡ଼ାଇବେ କି ମୋଦୀ ?

0

ଭୁବନେଶ୍ବର : ଫେବ୍ରୁଆରି ମାସରେ ଏକ ସପ୍ତାହ ଭିତରେ ଦୁଇଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ସେ ତିନି ତାରିଖରେ ସମ୍ବଲପୁର ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଫେବ୍ରୁଆରି 10 ତାରିଖରେ ସେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଓଡ଼ିଶାକୁ ଲଗାତାର ଦୁଇଥର ଆସିବାକୁ ରାଜନୈତିକ ବିଶେଷଜ୍ଞମାନେ ବେଶ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୋଦୀଙ୍କ ଏସବୁ ଗସ୍ତକୁ ବିଜୁ ଜନତା ଦଳ କିପରି ଦେଖୁଛି ?

ପ୍ରଥମେ ତାଙ୍କର ସମ୍ବଲପୁର ଗସ୍ତକୁ ଦେଖାଯାଉ । ସେ ସମ୍ବଲପୁରରେ ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସର ଉଦଘାଟନ କରିବେ ଓ ତାପରେ ଏକ ଜନସଭାକୁ ଉଦବୋଧନ ଦେବେ ।  ଆଇଆଇଏମ କ୍ୟାମ୍ପସ ଲୋକାର୍ପଣ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ ଜନସଭାଟି ଏକ ଦଳୀୟ କାର୍ଯ୍ୟକ୍ରମ ବୋଲି ଜଣାପଡ଼ିଛି । ଏଣୁ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏହା ମୋଦୀଙ୍କ ନିର୍ବାଚନ ପ୍ରଚାରର ଶ୍ରୀଗଣେଶ ବୋଲି କୁହାଯାଇପାରେ ।

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୋଦୀଙ୍କ ହିନ୍ଦୁତ୍ବ ଭାବମୂର୍ତ୍ତି ଆହୁରି ସୁଦୃଢ ହୋଇଛି । ସେ ସବୁଠାରୁ ପ୍ରଭାବଶାଳୀ ହିନ୍ଦୁତ୍ବ ନେତା ହୋଇଯାଇଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ । ଏପରି ଏକ ସମୟରେ ତାଙ୍କର ସମ୍ବଲପୁର ଗସ୍ତ ହେବାକୁ ଯାଉଛି, ଯେଉଁ ସମୟରେ ସରକାରଙ୍କ ପକ୍ଷରୁ ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଯାଇଛି ଓ ଆଗାମୀ ନିର୍ବାଚନରେ ଏହାକୁ ଦେଖାଇ ବିଜେଡ଼ି ପଶ୍ଚିମ ଓଡ଼ିଶାରୁ ହିନ୍ଦୁ ଭୋଟ ପାଇବାକୁ ଆଶାରଖିଛି ।  ଏପରି ସମୟରେ ମୋଦୀଙ୍କ ସମ୍ବଲରପୁର ଗସ୍ତ ହିନ୍ଦୁ ଭୋଟରମାନଙ୍କୁ ବିଭାଜନ କରିପାରେ । ଗତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାର ସବୁତକ ଲୋକସଭା ଆସନ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଆସନ ହାତେଇଥିଲା । ପୁଣି ଏଥର ରାମ ମନ୍ଦିର ହାଓ୍ବା ପଶ୍ଚିମ ଓଡ଼ିଶାରେ ଜଳ ଜଳ ଦେଖାଯାଉଛି । ଏଣୁ ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ସମ୍ବଲପୁର ଆସୁଛନ୍ତି ମୋଦୀ ।

ଅନ୍ୟ ଏକ ଦୃଷ୍ଟିକୋଣରୁ ମୋଦୀଙ୍କ ସମ୍ବଲପୁର ଗସ୍ତକୁ ଗୁରୁତ୍ବ ଦିଆଯାଉଛି। ସମ୍ବଲପୁରରେ ଆସନ୍ତା ନିର୍ବାଚନରେ ଏକ ହାଇପ୍ରୋଫାଇଲ ଲଢେଇ ଦେଖିବାକୁ ମିଳିପାରେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ଲଢିବାର ସମ୍ଭାବନା ରହିଛି ଓ ତାଙ୍କ ବିପକ୍ଷରେ ବିଜେଡ଼ି ପ୍ରଣବ ପ୍ରକାଶ ଦାସଙ୍କୁ ଛିଡ଼ା କରିବାକୁ ବିଚାର କରୁଛି । ଏଣୁ ମୋଦୀଙ୍କ ସମ୍ବଲପୁର ଗସ୍ତ ଆଗାମୀ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ ।

କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ମୋଦୀଙ୍କ 2ୟ ଗସ୍ତ । ଫେବ୍ରୁଆରି 10 ତାରିଖରେ ସେ ଭୁବନେଶ୍ବର ଆସିବାର ସମ୍ଭାବନା ରହିଛି । ଭୁବନେଶ୍ବରରେ ବିଜେପି ପକ୍ଷରୁ ଏକ ସର୍ବଭାରତୀୟ ମହିଳା ସମାବେଶର ଆୟୋଜନ କରାଯାଉଛି । ଏଥିରେ 14 ରାଜ୍ୟର ପ୍ରାୟ 25 ହଜାରରୁ ଅଧିକ ମହିଳା ଯୋଗଦେବେ । ସେଥିରେ ଯୋଗ ଦେବାକୁ ମୋଦୀ ଭୁବନେଶ୍ବର ଆସିବେ । ବିଜେପି ଏହିପରି ଏକ ମହିଳା ସମାବେଶ ମଧ୍ୟପ୍ରଦେଶରେ ବି ଆୟୋଜନ କରିବାକୁ ଯାଉଛି ।

ଏଠାରେ ପ୍ରଶ୍ନ ଉଠେ ଏପରି ଏକ ବିଶାଳ ମହିଳା ସମାବେଶ ପାଇଁ ବିଜେପି ଓଡ଼ିଶା ଓ ମଧ୍ୟପ୍ରଦେଶକୁ କାହିଁକି ବାଛିଲା ? ଏହାର କାରଣ ହେଉଛି ମହିଳା ଭୋଟର । ମଧ୍ୟପ୍ରଦେଶରେ ଲାଡଲି ଯୋଜନା ଲାଗୁ କରି ବିଜେପି ପୁଣି କ୍ଷମତାକୁ ଫେରିଛି । ଓଡ଼ିଶାରେ ବିଜେଡ଼ିର ବିଶାଳ ଭୋଟ ବ୍ୟାଙ୍କର ଏକ ବଡ଼ ଅଂଶ ହେଉଛନ୍ତି ମହିଳା । ମିଶନ ଶକ୍ତିକୁ ବିଜେଡ଼ି ସରକାର ଏକ ସ୍ବତନ୍ତ୍ର ବିଭାଗ ଗଠନ କରିଛନ୍ତି । ଖୋଦ୍ ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ପାଣ୍ଡିଆନ ଏହାର ସଚିବ ଅଛନ୍ତି । ବିଜେଡ଼ିକୁ ଜିତାଇବାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ବଡ଼ ହାତ ରହିଆସିଛି । ଏବେ ଏହି ବିଶାଳ ମହିଳା ଭୋଟ ବ୍ୟାଙ୍କ ଉପରେ ଆଖିପକାଇଛି ବିଜେପି । ଏଣୁ ଓଡ଼ିଶାର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଏଠାରେ ଏହି ମହିଳା ସମାବେଶର ପରିକଳ୍ପନା କରିଥିବା କୁହାଯାଇପାରେ । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବା ଦ୍ବାରା ବିଜେପି ମଧ୍ୟ ମହିଳା ଭୋଟରଙ୍କୁ ଆକୃଷ୍ଟ କରିପାରିବ ।

 

 

Leave A Reply

Your email address will not be published.