ଆପଣ କେନ୍ଦ୍ରରେ ରହିବେ, ମୁଁ ରାଜ୍ୟରେ ରହିବି- ମୋଦୀଙ୍କୁ ଇସାରା ଦେଲେ କି ନବୀନ ?

0

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଓ ବିଜେପିର ଶୋଚନୀୟ ପରାଜୟ ଦେଶରେ ବିରୋଧୀ ଦଳଙ୍କୁ ଉତ୍ସାହିତ କରିଛି । ଏହାକୁ ଦେଶରେ ବିଜେପି ବିରୋଧରେ ଥିବା ଜନଅସନ୍ତୋଷ ଭାବେ ଚିତ୍ରଣ କରାଯାଉଛି । ଏହି ଜନଅସନ୍ତୋଷକୁ ପାଥେୟ କରି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବାକୁ ସ୍ବପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ । କିନ୍ତୁ ବିରୋଧୀଙ୍କ ଏହି ସୁନେଲି ସ୍ବପ୍ନରେ ପାଣି ପକାଇଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶାରେ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ ସମାରୋହରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ସଂକେତ ଦେଇଛନ୍ତି ଯେ ଆସନ୍ତା ନିର୍ବାଚନରେ ବି କେନ୍ଦ୍ରରେ ବିଜେପି କ୍ଷମତାକୁ  ଫେରିବ ଓ ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେବେ । କଥାଛଳରେ ସେ ଆହୁରି ମଧ୍ୟ ସଂକେତ ଦେଇଛନ୍ତି ଯେ ଓଡ଼ିଶାରେ ପୁଣି ବିଜେଡ଼ି କ୍ଷମତାକୁ ଫେରିବ । ଅର୍ଥାତ କେନ୍ଦ୍ରରେ ପୁଣି ମୋଦୀ ସରକାର ଓ ରାଜ୍ୟରେ ପୁଣି ନବୀନ ସରକାର ।

ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ଏୟାରପୋର୍ଟ ଆସନ୍ତା ୩-୪ ବର୍ଷରେ ସମ୍ପୂର୍ଣ୍ଣ ହେବ ଓ ମୋଦୀ ନିଜେ ଆସି ଏହାର ଲୋକାର୍ପଣ କରିବେ ବୋଲି ନବୀନ ନିଜ ଅଭିଭାଷଣରେ କହିଥିଲେ ।

ନବୀନ ପଟ୍ଟନାୟକଙ୍କ ଏଭଳି ଖୋଲା ଇସାରା ଏବେ ରାଜ୍ୟ ରାଜନୀତି, ଏପରିକି ଜାତୀୟ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଆକଳନ କରାଯାଉଛି । ଗୋଟିଏ ପଟେ ଏହା ବିରୋଧୀକୁ ନିରାଶ କରିଥିବାବେଳେ ବିଜେପିକୁ ଉତ୍ସାହିତ କରିଥିବ ନିଶ୍ଚୟ । କାରଣ ରାଜନୀତିର ଜଣେ ପୋଖତ ଖେଳାଳି ଭାବେ ନବୀନ ଜାତୀୟସ୍ତରରେ ବେଶ ପରିଚିତ । ସେ ଯଦି ଏପରି କଥା କହୁଛନ୍ତି ତାହାର ଗୁରୁତ୍ବ ରହିଛି ନିଶ୍ଚୟ ।

ତେବେ ସାଧାରଣ ନିର୍ବାଚନ ସମୟରେ ଏଭଳି କଥା କହି ନବୀନ କଣ ଇସାରା ଦେବାକୁ ଚାହୁଁଛନ୍ତି ? କଣ ଆଗକୁ ପୁଣି ବିଜେପି-ବିଜେଡ଼ି ମେଣ୍ଟ ହେବ କି ? ଆଗାମୀ ସାଧାରଣ ନିର୍ବାଚନରେ ଯଦି ଆବଶ୍ୟକ ପଡ଼େ, ବିଜେଡ଼ି ଏନଡିଏକୁ ସମର୍ଥନ କରିବ କି ? ଏହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରରେ ମୋଦି ସରକାରକୁ ପ୍ରତ୍ୟେକଟି ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଇ ଆସୁଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଗତ ସପ୍ତାହରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବେନି ବୋଲି ସ୍ପଷ୍ଟ କରିସାରିଛନ୍ତି । ଏନଡିଏ ଓ ୟୁପିଏଠୁ ସମଦୂରତ୍ୱ ନୀତି ବଜାୟ ରଖି ବିଜେଡି ଏକାକୀ ନିର୍ବାଚନ ଲଢ଼ିବ ବୋଲି ମଧ୍ୟ ନବୀନ ଘୋଷଣା କରିଛନ୍ତି । ତଥାପି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ନବୀନ ପରୋକ୍ଷରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ନୁହେଁ ବରଂ ସୌହାର୍ଦ୍ଧ୍ୟପୂର୍ଣ୍ଣ ଲଢ଼େଇ ହେବ ବୋଲି ଏବେଠୁ ଇସାରା କରିଛନ୍ତି ।

Leave A Reply

Your email address will not be published.