ସେବିର ନୂଆ ନିୟମ : ତାଲିକାଭୁକ୍ତ କଂପାନିଗୁଡ଼ିକର ବୋର୍ଡରେ ସ୍ଥାୟୀ ଭାବେ ରହିବାର ପରମ୍ପରା ଶେଷ ହେବ; ଅକ୍ଟୋବର ପହିଲାରୁ ଲାଗୁ ହେବ ନିୟମ

0

ମୁମ୍ବାଇ : ତାଲିକାଭୁକ୍ତ କଂପାନିଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ଏବଂ ଆବଶ୍ୟକୀୟ ତଥ୍ୟ ଠିକ୍ ସମୟରେ ପ୍ରକାଶ କରିବା ପାଇଁ ବଜାର ନିୟାମକ ସେବି ବୁଧବାର ନିୟମରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ସିକ୍ୟୁରିଟିଜ୍ ଆଣ୍ଡ  ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ପକ୍ଷରୁ ଜାରି ବିବୃତି ଅନୁଯାୟୀ, ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଆବଶ୍ୟକ ସୂଚନା ପ୍ରକାଶ ପାଇଁ ସମୟସୀମାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିସହିତ ତାଲିକାଭୁକ୍ତ କଂପାନିଗୁଡ଼ିକର ନିର୍ଦ୍ଦେଶକ ମଣ୍ଡଳୀରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ଥାୟୀ ସିଟ୍ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ମଧ୍ୟ ନିୟାମକ ନିଷ୍ପତ୍ତି ନେଇଛନ୍ତି ।

ବୟାନରେ କୁହାଯାଇଛି ଯେ, ତାଲିକାଭୁକ୍ତ କଂପାନିଗୁଡ଼ିକୁ ବଜାରଗୁଜବ ଯାଞ୍ଚ କରିବାକୁ ପଡ଼ିବ ଏବଂ ଆବଶ୍ୟକ ସ୍ଥଳେ ଏହାକୁ ନିଶ୍ଚିତ କିମ୍ବା ଅସ୍ୱୀକାର କରିବାକୁ ପଡ଼ିବ। ମାର୍କେଟ କ୍ୟାପ୍ ଦୃଷ୍ଟିରୁ ଶ୍ରେଷ୍ଠ ୧୦୦ କମ୍ପାନୀ ପାଇଁ ଏହି ବ୍ୟବସ୍ଥା ୨୦୨୩ ଅକ୍ଟୋବର ପହିଲାରୁ ଲାଗୁ ହେବ । ତାଲିକାଭୁକ୍ତ କଂପାନିଗୁଡ଼ିକରେ ଶାସନକୁ ସୁଦୃଢ଼ କରିବା ପାଇଁ ସେବି କହିଛି ଯେ କୌଣସି ତାଲିକାଭୁକ୍ତ ସଂସ୍ଥାର ଅଂଶଧନଧାରୀଙ୍କୁ ଦିଆଯାଇଥିବା କୌଣସି ସ୍ୱତନ୍ତ୍ର ଅଧିକାର କୁ ଦୀର୍ଘକାଳୀନ ଭାବେ ଜାରି ରଖିବା ପ୍ରସଙ୍ଗର ସମାଧାନ ପାଇଁ ସମୟ ସମୟରେ ଅଂଶୀଦାରଙ୍କ ଅନୁମୋଦନ ଆବଶ୍ୟକ ହେବ।

ସମୟ ସମୟରେ ଅଂଶୀଦାରଙ୍କ ଅନୁମୋଦନ ଆବଶ୍ୟକ

ତାଲିକାଭୁକ୍ତ ସଂସ୍ଥାର ନିର୍ଦ୍ଦେଶକ ମଣ୍ଡଳୀରେ ରହିବା ପାଇଁ ସମୟ ସମୟରେ ଅଂଶୀଦାରଙ୍କ ଅନୁମୋଦନ ଆବଶ୍ୟକ ହେବ। ନିର୍ଦ୍ଦେଶକ ମଣ୍ଡଳୀରେ ସ୍ଥାୟୀ ରହିବାର ପ୍ରଥାକୁ ବନ୍ଦ କରିବା ଏହାର ଉଦ୍ଦେଶ୍ୟ। ଏହାବ୍ୟତୀତ ତାଲିକାଭୁକ୍ତ କଂପାନିଗୁଡ଼ିକର ପ୍ରଥମ ଆର୍ଥିକ ଫଳାଫଳ ଘୋଷଣା ପାଇଁ ସମୟସୀମା ଧାର୍ଯ୍ୟ କରାଯିବ, ଯାହା ଦ୍ୱାରା ତାଲିକାଭୁକ୍ତ ହେବା ପରେ ତୁରନ୍ତ ଆର୍ଥିକ ଫଳାଫଳ ଦାଖଲ କରିବାରେ ଥିବା ଆହ୍ୱାନକୁ ଦୂର କରାଯାଇପାରିବ। ଏଥିସହିତ ଆର୍ଥିକ ଫଳାଫଳ ଉପସ୍ଥାପନ କରିବାରେ ଯେପରି କୌଣସି ତ୍ରୁଟି ନ ହୁଏ, ସେଥିପ୍ରତି ଧ୍ୟାନ ଦେବା ଦରକାର।

ସିଇଓ ଙ୍କ ଭଳି ଅଧିକାରୀଙ୍କୁ ୩ ମାସ ଭିତରେ ନିଯୁକ୍ତି ଦେବାକୁ ପଡ଼ିବ

ସେବି ଆହୁରି ମଧ୍ୟ କହିଛି ଯେ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକ ନିର୍ଦ୍ଦେଶକ, ଅନୁପାଳନ ଅଧିକାରୀ, ସିଇଓ ଏବଂ ମୁଖ୍ୟ ଆର୍ଥିକ ଅଧିକାରୀ ଙ୍କ ପଦବୀ ଖାଲି ହେବାର ତିନି ମାସ ମଧ୍ୟରେ ନିଯୁକ୍ତି ଦେବାକୁ ପଡ଼ିବ। ସିକ୍ୟୁରିଟି ବଜାରରେ ନିବେଶକଙ୍କ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିୟାମକ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ ପଞ୍ଜୀକୃତ ମଧ୍ୟସ୍ଥି ଏବଂ ନିୟନ୍ତ୍ରିତ ସଂସ୍ଥାର ନିବେଶକଙ୍କ ପାଇଁ ଏକ ଅନଲାଇନ୍ ବିବାଦ ସମାଧାନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.