ଏବେ କୌଣସି ମାଫିଆ ଧମକ ଦେଇପାରିବେ ନାହିଁ : ଯୋଗୀ

0

ଲକ୍ଷ୍ନୌ :  ଉତ୍ତରପ୍ରଦେଶର ମାଫିଆ ଡନ୍ ଆତିକ ଅହମ୍ମଦ ଓ ତା ଭାଇ ଅଶରଫଙ୍କ ହତ୍ୟା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । କାହାର ନାଁ ନ ନେଇ ଯୋଗୀ କହିଛନ୍ତି ଯେ ଏବେ କୌଣସି ମାଫିଆ କାହାକୁ ଭୟଭୀତ କରିପାରିବେ ନାହିଁ କିମ୍ବା ଧମକ ଦେଇପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ୟୁପିରେ ଦଙ୍ଗା ହେଉଥିଲା କିନ୍ତୁ ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ଗୋଟିଏ ବି ଦଙ୍ଗା ହୋଇନଥିଲା, ରାଜ୍ୟରେ ଥରେ ବି କର୍ଫ୍ୟୁ ନଥିଲା । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏବେ କୌଣସି ମାଫିଆ ବ୍ୟବସାୟୀଙ୍କୁ ଡାକି ଧମକ ଦେଇପାରିବେ ନାହିଁ ।

ଏକ ସରକାରୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ପୂର୍ବ ସମାଜବାଦୀ ପାର୍ଟି (ସପା) ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପୂର୍ବରୁ ପ୍ରତିଦିନ ଦଙ୍ଗା ହେଉଥିଲା। ୨୦୧୨ରୁ ୨୦୧୭ ମଧ୍ୟରେ ଉତ୍ତରପ୍ରଦେଶରେ ୭୦୦ରୁ ଅଧିକ ଦଙ୍ଗା ହୋଇଛି। ୨୦୦୭ରୁ ୨୦୧୨ ମଧ୍ୟରେ ୟୁପିରେ ୩୬୪ରୁ ଅଧିକ ଦଙ୍ଗା ହୋଇଥିବା ବେଳେ ୨୦୧୭ରୁ ୨୦୨୩ ମଧ୍ୟରେ ୟୁପିରେ ଗୋଟିଏ ବି ଦଙ୍ଗା ହୋଇନାହିଁ। ଥରେ ବି କର୍ଫ୍ୟୁ ନଥିଲା, ଏହାକୁ କାର୍ଯ୍ୟକାରୀ କରାଯାଇ ପାରିନଥିଲା। ଏକ ଉଦ୍ୟୋଗ ସ୍ଥାପନ କରିବା ପାଇଁ ଏହା ହେଉଛି ସବୁଠାରୁ ଅନୁକୂଳ ସୁଯୋଗ ।

ଏବେ କୌଣସି ପେସାଦାର ଅପରାଧୀ ଓ ମାଫିଆ ଫୋନରେ ଜଣେ ଉଦ୍ୟୋଗୀଙ୍କୁ ଭୟଭୀତ କରିପାରିବେ ନାହିଁ। ଉତ୍ତରପ୍ରଦେଶ ଆଜି ଆପଣଙ୍କୁ ସର୍ବୋତ୍ତମ ଆଇନ ଶୃଙ୍ଖଳାର ଗ୍ୟାରେଣ୍ଟି ଦେଇଛି। ପୂର୍ବରୁ ୟୁପିରେ ଦୁଇଟି କଳଙ୍କ ଥିଲା ଯେ ଯେଉଁଠାରୁ ରାସ୍ତାରେ ଖାଲ  ଆରମ୍ଭ ସେଠାରୁ ୟୁପି ଆରମ୍ଭ ବୋଲି କୁହାଯାଉଥିଲା । କିନ୍ତୁ ଏବେ ରାଜ୍ୟରେ 4 ଲେନ ବିଶିଷ୍ଟ ଅନ୍ତଃରାଜ୍ୟ ସଡ଼କ ରହିଛି ।

Leave A Reply

Your email address will not be published.