୧୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି ଓଡ଼ିଶା

 ଅନ୍ତରୀଣ ବଜେଟରେ କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ

0

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଗୁରୁବାର ବିଧାନସଭାରେ ୨,୫୫,୦୦୦ କୋଟି ଟଙ୍କାର କାମଚଳା ବଜେଟ୍‌ ବା ଲେଖାନୁଦାନ ଉପସ୍ଥାପନ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ଏହି ବଜେଟ ଉପସ୍ଥାପନ କରାଯାଇଛି । ନିର୍ବାଚନ ପରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ । ନିଜର ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ ଓଡ଼ିଶା ୧୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତକୁ ରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି ।

୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ ୨,୩୦,୦୦୦ କୋଟି ତୁଳନାରେ ୧୧ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି। ରାଜ୍ୟର ଆର୍ଥିକ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଏବଂ ପୁଞ୍ଜିନିବେଶ ଉପରେ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯାଇଛି। ଅର୍ଥମନ୍ତ୍ରୀ ଆକଳନ କରିଛନ୍ତି ଯେ ପ୍ରଶାସନିକ ଖର୍ଚ୍ଚ ବାବଦରେ ୧,୦୩,୫୦୦ କୋଟି ଟଙ୍କା, କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧,୪୦,୦୦୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶସନ ପାଣ୍ଠିରୁ ଖର୍ଚ୍ଚ ବାବଦରେ ୩୯୦୦ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ପାଇଁ ୭,୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯିବ। ତେବେ ଆଗାମୀ ଦିନରେ ସାଧାରଣ ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଆର୍ଥିକବର୍ଷର ୪ ମାସ (ଏପ୍ରିଲ୍‌ରୁ ଜୁଲାଇ)ପାଇଁ ୧,୧୮,୦୦୦ କୋଟି ଟଙ୍କାର ଲେଖାନୁଦାନ ଆଗତ କରିଛନ୍ତି। ଏଥିରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୪୭,୬୬୦ କୋଟି, କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୬୩,୪୦୦, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ପାଇଁ ୩୯୦୦ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ବାବଦରେ ୩୦୪୦ କୋଟି ଟଙ୍କାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଅର୍ଥାତ୍‌ ମୋଟ ବାର୍ଷିକ ବ୍ୟୟ ଅଟକଳରୁ ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ବାବଦକୁ ୧୦୦ ପ୍ରତିଶତ, ପୁଞ୍ଜି ବ୍ୟୟ ପାଇଁ ୫୦ ପ୍ରତିଶତ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୪୦ ପ୍ରତିଶତ ବ୍ୟୟବରାଦ କରାଯାଇଛି। 

କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ପାଇଁ ୨୮,୯୪୪ କୋଟି

ଏହି ବଜେଟର କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ପାଇଁ ୨୮,୯୪୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଯାହାକି ପୂର୍ବ ବର୍ଷର ବ୍ୟୟବରାଦ ତୁଳନାରେ  ୧୬.୬ ପ୍ରତିଶତ ଅଧିକ ଅଟେ । ରାଜ୍ୟର କୃଷି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଓ ଦାରିଦ୍ର୍ୟ ହ୍ରାସ ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି । ଏବେ ସୁଦ୍ଧା କାଳିଆ ଯୋଜନାରେ  ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଧାନ ମୂଲ୍ୟ ଠିକ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟି ଟଙ୍କାର ଏକ ରିଭଲଭିଂ ଫଣ୍ଡ ଗଠନ କରାଯାଇଛି । ପଶୁ ସମ୍ପଦ ଓ ମତ୍ସ୍ୟଚାଷ କ୍ଷେତ୍ର ପାଇଁ ବଜେଟରେ ୧୯୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କାଳିଆ ଯୋଜନାରେ ୧୯୩୫ କୋଟି ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥା କରାଯାଇଛି ।

ଜନସ୍ବାସ୍ଥ୍ୟ ସେବା ପାଇଁ ସମୁଦାୟ ୧୯,୯୫୯ କୋଟି

ଜନସ୍ବାସ୍ଥ୍ୟ ସେବା ପାଇଁ ସମୁଦାୟ ୧୯,୯୫୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୨୪% ଅଧିକ ଅଟେ ଏବଂ ଏହା ରାଜ୍ୟ ବଜେଟର ୫ ପ୍ରତିଶତ ଅଟେ ।  ଆମ ହସ୍ପିଟାଲ ଯୋଜନା ପାଇଁ ୧୩୧୪ କୋଟି ଟଙ୍କା ଏବଂ ପରିବାର କଲ୍ୟାଣ ଯୋଜନା ପାଇଁ ୯୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

 

Leave A Reply

Your email address will not be published.