ସତ କି ଜନମତ ସର୍ଭେ ରିପୋର୍ଟ ? କମୁଛି କି ନବୀନଙ୍କ ଲୋକପ୍ରିୟତା ? (ଭିଡିଓ)

0

ପ୍ରଥମେ ଟାଇମ୍ସ ନାଓ ଓ ତାପରେ ଇଣ୍ଡିଆ ଟୁଡେ ପକ୍ଷରୁ ଆସିଥିବା ଜନମତ ସର୍ଭେ ବିଜୁ ଜନତା ଦଳର ଚିନ୍ତା ବଢାଇଦେଇଛି । ଉଭୟ ସର୍ଭେରେ କୁହାଯାଇଛି ଯେ ଆଗାମୀ ନିର୍ବାଚନରେ ଦଳର ଭୋଟ ପ୍ରତିଶତ ହ୍ରାସ ପାଇବ । ଅର୍ଥାତ ଓଡ଼ିଶାରେ ଗତ 25 ବର୍ଷ ହେଲା ଶାସନ କରୁଥିବା ବିଜେଡି ପ୍ରତି ଲୋକମାନଙ୍କ ମୋହଭଙ୍ଗ ହେବା ଆରମ୍ଭ କଲାଣି । ଏହାର ବିପରୀତ ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢିଚାଲିଛି । ଏପ୍ରିଲ ମାସ ବେଳକୁ ସ୍ଥିତି ସ୍ଥିତି ଆହୁରି ଚିନ୍ତାଜନକ ହୋଇପାରେ ।

ପ୍ରଥମେ ଟାଇମ୍ସ ନାଓ ସର୍ଭେ କଥା ଦେଖାଯାଉ । ଏହି ସର୍ଭେ କହୁଛି ଯେ ଲୋକସଭା ନିର୍ବାଚନରେ ବିଜେଡିକୁ ଟପିବ ବିଜେପି । ବିଜେପିକୁ 11ଟି ଆସନ ମିଳିବା ସମ୍ଭାବନା ଥିବାବେଳେ ବିଜେଡିକୁ 9ଟି ଆସନ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି । ଏହି ବ୍ୟବଧାନ ଅଧିନ ନଥିଲେ ବି ବିଜେଡ଼ିକୁ ଟପିବା ବିଜେପିକୁ ଏକ ନୂଆ ଉତ୍ସାହ ପ୍ରଦାନ କରିବ । 2019ରେ ବିଜେଡି 12ଟି, ବିଜେପି 8ଟି ଓ କଂଗ୍ରେସ ଗୋଟିଏ ଆସନ ଜିତିଥିଲା । କିନ୍ତୁ ଏଥର ସ୍ଥିତି ବଦଳିବାର ସମ୍ଭାବନା ରହିଛି । ତେବେ ତାହାର ଦିନକ ପରେ ଆସିଥିବା ଇଣ୍ଡିଆ ଟୁଡେ-ମୁଡ୍ ଅଫ ନେସନ ସର୍ଭେରେ କୁହାଯାଇଛି ଯେ ଆଗାମୀ ଲୋକସଭା ନିର୍ବାଚନରେ ବିଜେଡି 11ଟି, ବିଜେପି 10ଟି ଜିତିବେ ଓ କଂଗ୍ରେସ ଗୋଟିଏ ବି ଆସନ ଜିତିପାରିବ ନାହିଁ । କିନ୍ତୁ ଏହି ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜେଡ଼ିର ଭୋଟ ପ୍ରତିଶତ କମୁଛି । ଏହି ସର୍ଭେ ଅନୁସାରେ 2019ରେ ବିଜେଡିର ଭୋଟ ପ୍ରତିଶତ 43 ପ୍ରତିଶତ ଥିବାବେଳେ ବିଜେପିର ଭୋଟ ପ୍ରତିଶତ 41କୁ ହ୍ରାସ ପାଇବ । ସେହିପରି ବିଜେପିର ଭୋଟ ପ୍ରତିଶତ 2019ରେ 38 ପ୍ରତିଶତ ଥିବାବେଳେ ଏଥର ତାହା 40 ପ୍ରତିଶତକୁ ବୃଦ୍ଧି ପାଇବ । କଂଗ୍ରେସ ଗତ ଥର 5 ପ୍ରତିଶତ ଭୋଟ ପାଇଥିବାବେଳେ ଏଥର ତାହା 7 ପ୍ରତିଶତକୁ ବୃଦ୍ଧି ପାଇବ । ଅର୍ଥାତ୍ ଏଥର ବିଜେଡ଼ିର କିଛି ଭୋଟ ବିଜେପି ଓ ଅଳ୍ପକିଛି କଂଗ୍ରେସ ପାଖକୁ ଯିବ ।

ବିଜେଡ଼ି ପାଇଁ ସବୁଠାରୁ ଅଧିକ ଚିନ୍ତାର କାରଣ ହେଉଛି ଯେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କ୍ରମାଗତଭାବେ କମିଚାଲିଛି । ଟାଇମ୍ସ ନାଓ ସର୍ଭେ କହିଛି ଯେ ଓଡ଼ିଶାରେ ମାତ୍ର 24 ପ୍ରତିଶତ ମତଦାତା ନବୀନଙ୍କ କାମରେ ଖୁସି ଅଛନ୍ତି ଓ 31 ପ୍ରତିଶତ କେତେକାଂଶରେ ସନ୍ତୁଷ୍ଟ ଅଛନ୍ତି । କିନ୍ତୁ 43 ପ୍ରତିଶତ ଲୋକ ନବୀନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି ।

ଏବେ ଇଣ୍ଡିଆ ଟୁଡେ ସର୍ଭେ-ମୁଡ ଅଫ ନେସନ କଥା ଦେଖାଯାଉ । ଏହି ସର୍ଭେ 2022ରେ କହିଥିଲା ଯେ ଓଡ଼ିଶାରେ 78 ପ୍ରତିଶତ ଲୋକ ନବୀନଙ୍କୁ ପସନ୍ଦ କରୁଥିଲେ । 2023 ଅଗଷ୍ଟରେ ଆସିଥିବା ଇଣ୍ଡିଆ ଟୁଡେ ସର୍ଭେ ଅନୁସାରେ ନବୀନଙ୍କ ଲୋକପ୍ରିୟତା 61.3 ପ୍ରତିଶତକୁ ଖସିଆସିଥିଲା । ସଦ୍ୟତମ ଇଣ୍ଡିଆ ଟୁଡେ ସର୍ଭେ-ମୁଡ ଅଫ ନେସନ ସର୍ଭେ ଅନୁସାରେ ନବୀନଙ୍କ ଲୋକପ୍ରିୟତା ଅଗଷ୍ଟ 2023 ତୁଳନାରେ 8.4 ପ୍ରତିଶତ ହ୍ରାସ ପାଇ 52.7 ପ୍ରତିଶତରେ ପହଞ୍ଚିଛି । ଅର୍ଥାତ୍ 6 ମାସ ତଳେ ନବୀନଙ୍କୁ ଓଡ଼ିଶାର 61.3 ପ୍ରତିଶତ ଲୋକ ପସନ୍ଦ କରୁଥିବାବେଳେ ଏବେ ମାତ୍ର 52.7 ପ୍ରତିଶତ ପସନ୍ଦ କରୁଛନ୍ତି ।  ଏହାର ଆଉଏକ ଅର୍ଥ ହେଉଛି ଯେ ବିଜେଡିର ଲୋକପ୍ରିୟତା କମିଚାଲିଛି । ଅବଶ୍ୟ ନିଜ ରାଜ୍ୟରେ ଲୋକପ୍ରିୟତା ଦୃଷ୍ଟିରୁ ନବୀନ ଦେଶରେ 1ନମ୍ବର ଅଛନ୍ତି ।

କିନ୍ତୁ ଦୁଇ ଦୁଇଟି ଜାତୀୟ ଗଣମାଧ୍ୟମର ସର୍ଭେ କହୁଛି ଯେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା କ୍ରମାଗତଭାବେ କମି ଚାଲିଛି । ତାଙ୍କ କାମରେ ସନ୍ତୁଷ୍ଟଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ କମିଚାଲିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବିଜେଡ଼ିର ସର୍ବୋଚ୍ଚ ନେତା ଓ ଦଳର ଷ୍ଟାର ପ୍ରଚାରକ ଓ ମୁଖ୍ୟ ଭୋଟ ଆକର୍ଷଣକାରୀ । ପୂର୍ବରୁ ଯେତେ ନିର୍ବାଚନ ହୋଇଛି କେବଳ ନବୀନଙ୍କ ଲୋକପ୍ରିୟତାକୁ  ବ୍ୟବହାର କରି ବିଜେ଼ଡି ଓଡ଼ିଶା ଲୋକଙ୍କୁ ମନ ଜିତିପାରିଥିଲା । ଏଣୁ ତାଙ୍କ ଲୋକପ୍ରିୟତା କମିଲେ  ତାହା ସିଧାସଳଖ ବିଜେଡ଼ିର ଲୋକପ୍ରିୟତାକୁ ପ୍ରଭାବିତ କରିବା ଅବଶ୍ୟମ୍ଭାବୀ । ନିର୍ବାଚନକୁ ଆହୁରି 2 ମାସ ଥିବାବେଳେ ଆଗକୁ ଯଦି ଏପରି ଟ୍ରେନ ବଜାୟ ରହେ ତାହା ବିଜେଡ଼ି ପାଇଁ ଘୋର ଚିନ୍ତାର କାରଣ ହେବ । ବିଜେଡ଼ିର ଯଦି ଭୋଟ ହାର ହ୍ରାସ ପାଏ ତେବେ ରାଜ୍ୟ ରାଜନୀତିର ଚିତ୍ର ବଦଳିବା ବି ଅସମ୍ଭବ ନୁହେଁ । ଏଣୁ ଆଗାମୀ 2 ମାସ ବିଜେଡି ପାଇଁ ବେଶ କଷ୍ଟକର ହୋଇପାରେ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କାହିଁକି କମୁଛି ? ଏହି ପ୍ରଶ୍ନର ଉତ୍ତର ବିଜେଡିକୁ ଖୋଜିବାକୁ ପଡ଼ିବ ।

Leave A Reply

Your email address will not be published.