ଦିଲ୍ଲୀରେ ପାଣ୍ଡିଆନ, ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ନଜର

0

ଓଡ଼ିଶାରେ ଗତ 24 ବର୍ଷ ଧରି ଚାଲିଥିବା ନବୀନ ଯୁଗର ଅବସାନ ଘଟିଛି  । କିନ୍ତୁ ଏହାର କ୍ରେଡିଟ୍ ବିଜେପିକୁ ଯେତିକି ଯିବ ତାଠାରୁ ଅଧିକ କ୍ରେଡିଟ୍ ଯିବ ଭିକେ ପାଣ୍ଡିଆନଙ୍କୁ । ସେ ଏକାକୀ ବିଜୁ ଜନତା ଦଳ ପରି ଏକ ମହାଦ୍ରୁମକୁ ଧରାଶାୟୀ କରିଦେଲେ ବୋଲି କୁହାଯାଇପାରିବ । ଏବେ ପରାଜୟ ପରେ ସେ ଦିଲ୍ଲୀ ପଳାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ବୁଧବାର ରାତି 11.10 ଭିସ୍ତାରା ଫ୍ଲାଇଟରେ ଦିଲ୍ଲୀ ଯାଇଥିଲେ । ସେଠାରେ ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ତାହା ସ୍ପଷ୍ଟ ହୋଇନାହିଁ ।

ନିର୍ବାଚନପ୍ରଚାର ବେଳେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ୍ କରିଥିଲେ ଯେ ଯଦି ଜୁନ 9ରେ ବିଜେଡି ତିନି ଚତୁର୍ଥାଂଶ ଆସନ ନ ଜିଣେ ସେ ରାଜନୀତିରୁ ସନ୍ୟାସ ନେବେ । କିନ୍ତୁ ନିର୍ବାଚନ ଫଳ ପ୍ରମାଣିତ କରିଦେଇଛି ଯେ ବିଜେଡି ଶୋଚନୀୟଭାବେ ପରାଜିତ ହୋଇଛି । କେବଳ ଏତିକି ନୁହେଁ ବିଜେଡିରେ କୌଣସି ସାଂସଦ ପ୍ରାର୍ଥୀ ଜିତିପାରିନାହାନ୍ତି । ଅର୍ଥାତ୍ ଲୋକସଭାରେ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବିଜେଡିର କୌଣସି ଏମପିଙ୍କୁ ଦେଖିବାକୁ ମିଳିବ ନାହିଁ । ଏପରି ଶୋଚନୀୟ ପରାଜୟ ପରେ ଏବେ ସେ ରାଜନୀତିରୁ ସନ୍ୟାସ ନେବେ କି ନା ସେ ଦଳରୁ ତଡ଼ା ଖାଇବେ ?

ନିର୍ବାଚନ ସମୟରେ ରାଜ୍ୟରେ ଏକ ବଡ଼ ପାଣ୍ଡିଆନ ବିରୋଧୀ ଅଣ୍ଡରକରେଣ୍ଟ ଥିଲା । ଏତେ ଜବରଦସ୍ତ ଅଣ୍ଡରକରେଣ୍ଟ ଥିବା ସତ୍ତ୍ବେ ପାଣ୍ଡିଆନ ଓ ତାଙ୍କ ଅନୁଗାମୀମାନେ ଏହାକୁ ଦେଖିପାରିନଥିଲେ ଅଥବା ଲୋକଙ୍କ ମନକୁ ପଢିବାକୁ ଚେଷ୍ଟା କରିନଥିଲେ । ସେପଟେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଫାଇଦା ନେଲା ବିଜେପି । ପୁଣି ପୁରୀ ଶ୍ରୀମନ୍ଦିର ଚାରିଦ୍ବାରା ଖୋଲିବାକୁ ମଧ୍ୟ ଏକ ପ୍ରସଙ୍ଗ କଲା ବିଜେପି ।

ବିଜେଡିକୁ ପୁଣି ଥରେ ବିଜୟୀ କରିବାକୁ ପାଣ୍ଡିଆନ ଯେଉଁ ଯୋଜନା କରିଥିଲେ, ତାହା ଶୋଚନୀୟ ଭାବେ ବିଫଳ ହେଲା । ଏହାର କାରଣ ହେଉଛି ଏହି ଯୋଜନା ପ୍ରସ୍ତୁତି ଓ ପ୍ରଚାରରେ ଦଳୀୟ ନେତାମାନଙ୍କୁ ଅଣଦେଖା । ଏପରିକି ଦଳୀୟନେତାମାନଙ୍କୁ କେତେକ ସ୍ଥାନରେ ଅପମାନିତ ହେବାକୁ ପଡ଼ିଥିଲା । ପ୍ରଚାରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥିଲା । ନିର୍ବାଚନ ପୂର୍ବରୁ ବି ସେ ବିଭିନ୍ନ ଜିଲ୍ଲା ବୁଲି ଲୋକମାନଙ୍କଠାରୁ ଅଭିଯୋଗ ଗ୍ରହଣ କରୁଥିଲେ । ସେତେବେଳେ ବି ଦଳୀୟ ନେତା ଓ ଜନପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିଲା । ସେମାନଙ୍କୁ ମଞ୍ଚ ତିଆରି ଓ ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରାଯାଉଥିଲା ଓ ମଞ୍ଚରେ ନିଜେ ପାଣ୍ଡିଆନଙ୍କ ଛଡ଼ା ଆଉ କାହାକୁ ଚଢିବାକୁ ଅନୁମତି ଦିଆଯାଉନଥିଲା । ପାଣ୍ଡିଆନ ନିଜକୁ ଏପରି ଭାବେ ଉପସ୍ଥାପନ କରୁଥିଲେ ଯେ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ । କିନ୍ତୁ ତାଙ୍କ ଏହି କାର୍ଯ୍ୟ ବିଜେଡିକୁ ଭୀଷଣଭାବେ ଅଲୋକପ୍ରିୟ କରିଦେଇଥିଲା । କିନ୍ତୁ ଏହାକୁ ସେ ପଢିପାରିନଥିଲେ ଅଥବା ଅଣଦେଖା କରିଥିଲେ । ଯେତେବେଳେ ସ୍ଥିତି ଅଧିକ ଖରାପ ହେବାପରି ଲାଗିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଲେ ଯେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି । କିନ୍ତୁ ସେତେବେଳେକୁ ଦଳର ସ୍ଥିତି ଅତି ଖରାପ ହୋଇଯାଇଥିଲା ଓ ମୁଖ୍ୟମନ୍ତ୍ରୀଙ୍କ ବୟାନ ବି ଦଳକୁ ବଞ୍ଚାଇପାରିନଥିଲା ।

ବିଜେଡି ଶାସନ ସମୟରେ ପାଣ୍ଡିଆନ ଅତି ଶକ୍ତିଶାଳୀ କ୍ଷମତା କେନ୍ଦ୍ର ଥିଲେ । ଉଭୟ ଦଳ ଓ ସରକାରରେ ତାଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ଥିଲା । ସବୁ ନିଷ୍ପତ୍ତି ସେ ନେଉଥିବା ପରି ଲାଗୁଥିଲା ଓ ମନ୍ତ୍ରୀମାନେ ଶକ୍ତିହୀନ ହେବା ପରି ଲାଗୁଥିଲେ । କିନ୍ତୁ ଶକ୍ତିଶାଳୀ ହୋଇପଡ଼ିଥିଲେ ଓଡ଼ିଶା ସରକାରରେ ଥିବା କେତେକ ଅଣଓଡ଼ିଆ ଅଧିକାରୀ । ଏହା ସରକାରକୁ ଲୋକମାନଙ୍କ ଭିତରେ ଭୀଷଣ ଅଲୋକପ୍ରିୟ କରିଦେଇଥିଲା । ଗୋଟିଏ ଧାରଣା ସୃଷ୍ଟି ହୋଇଥିଲା ଯେ ଲୋକମାନେ ଯେଉଁମାନଙ୍କୁ ନିଜର ପ୍ରତିନିଧି ବାଛିଥିଲେ, ସେମାନଙ୍କର କୌଣସି କ୍ଷମତା ନଥିଲା ଓ ଶାସନ ଆଉ କିଏ କରୁଥିଲା ।

ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟ ପରେ ପାଣ୍ଡିଆନ ଶକ୍ତିହୀନ ହୋଇପଡ଼ିଛନ୍ତି । ଏବେ ବିଜେଡିର ନେତାମାନେ ଆଉ ପାଣ୍ଡିଆନଙ୍କ ଆଧିପତ୍ୟକୁ ସହ୍ୟ କରିବେ କି ? ଏପରି ହେବା ପରି ଲାଗୁନାହିଁ ଯେ ସେମାନେ ପାଣ୍ଡିଆନଙ୍କୁ ନେତୃତ୍ବକୁ ସହ୍ୟ କରିବେ । ପୁଣି ମୁଖ୍ୟମନ୍ତ୍ରୀ ପଦ ହରେଇଥିବା ନବୀନ ପଟ୍ଟନାୟକ ବି ତାଙ୍କୁ ଆଉ ପାଖରେ ରଖିବେ କି ? ଏଣୁ ବିଜେଡିରେ ତାଙ୍କ ସ୍ଥିତିକୁ ନେଇ ବିପଦ ଦେଖାଦେଇଛି । ଏହା ଦେଖିବାର କଥା ଯେ ସେ ନିଜେ ନିଜେ ଦଳ ଛାଡ଼ୁଛନ୍ତି ନା ବିଦା ହେଉଛନ୍ତି ।

 

 

Leave A Reply

Your email address will not be published.