ମିଳିଗଲା କି ଉତ୍ତରାଧିକାର ପ୍ରଶ୍ନର ଉତ୍ତର ?

0

ଭୁବନେଶ୍ବର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଔପଚାରିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । ତେବେ ସାରା ଓଡ଼ିଶାରେ ଏପରି କମ ଲୋକ ଥିଲେ ଯେଉଁମାନେ ଏହି ଖବରକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବେ । ଗତ ଦଶହରା ସମୟରେ ସେ ଆଇଏଏସ ଚାକିରିରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ସେ ବିଜେଡ଼ିରେ ମିଶିବା ଏକରକମ ନିଶ୍ଚିତ ବୋଲି କୁହାଯାଉଥିଲା, କିନ୍ତୁ କେଉଁ ତାରିଖରେ ଯୋଗ ଦେବେ ତାହା ଜଣାପଡ଼ିନଥିଲା । ଏବେ ସେ ବିଜେଡ଼ିରେ ଯୋଗ ଦେବା ପରେ ସବୁ କଳ୍ପନାଜଳ୍ପନାର ଅବସାନ ହୋଇଛି ସତ, ଆଉ କେତେକ ନୂଆ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ତାହା ହେଉଛି

ତାଙ୍କୁ ଏବେ ଔପଚାରିକଭାବେ କେଉଁ ପଦବୀ ଦେବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ?

ପ୍ରତ୍ୟକ୍ଷ ରାଜନୀତି ଲଢିବା ନେଇ ଘୋଷଣା ହେବ କି ?

ସରକାରରେ ବି ସେ ଯୋଗ ଦେବେ କି ?

ବିଜେଡ଼ିର ଜଣେ ବଡ଼ ନେତାଭାବେ ପାଣ୍ଡିଆନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସମସ୍ତଙ୍କ ନଜର ରହିବ । ତେବେ ବିଶେଷଜ୍ଞଙ୍କ ମତରେ ଏହା ସ୍ପଷ୍ଟ ଯେ, 2024 ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ଏବେଠାରୁ ଶଙ୍ଖ ଫୁଙ୍କିଦେଇଛି । ଆସନ୍ତା ମାସଗୁଡ଼ିକରେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ପାଇଁ ବଡ଼ ବଡ଼ ପ୍ରକଳ୍ପ ଘୋଷଣା କରିବେ । ଖୋଦ ପାଣ୍ଡିଆନ ପୁଣି ଥିରେ ଜିଲ୍ଲା ବୁଲିବା ଆରମ୍ଭ କରିବେ । କିନ୍ତୁ ଗତଥରର ଜିଲ୍ଲା ବୁଲା ଓ ଏଥରର ଜିଲ୍ଲା ବୁଲା ମଧ୍ୟରେ ଅନେକ ଫରକ ରହିବ । କାରଣ ଗତଥର ଜଣେ ସରକାରୀ ଅଧିକାରୀଭାବେ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଭାବେ ସେ ଜିଲ୍ଲା ବୁଲୁଥିଲେ । କିନ୍ତୁ ଏଥର ସେ ବିଜେଡ଼ିର ଜଣ ବରିଷ୍ଠ ନେତା ଭାବେ ଦଳର ସୁପ୍ରିମୋଙ୍କ ପ୍ରତିନିଧିଭାବେ ଜିଲ୍ଲା ବୁଲିବେ । ଏଣୁ ଏଥର ସେ ଔପଚାରିକଭାବେ ରାଜନୀତିକ ରାଲି ଓ ବୈଠକ କରିପାରିବେ ଓ ଲୋକଙ୍କ ମଧ୍ୟରେ ଜଣେ ନେତାଭାବେ ନିଜର ଚେହେରାକୁ ଉପସ୍ଥାପନ କରିବେ ।  କେବେଳ ଏତିକି ନୁହେଁ, ଆସନ୍ତା ଜାନୁଆରି 17ରେ ହେବାକୁ ଥିବା ଶ୍ରୀମନ୍ଦିର ପ୍ରକଳ୍ପ ଉଦଘାଟନ ପରେ ସେ ସରକାରରେ ଏକ ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବାର ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ ।

ପାଣ୍ଡିଆନଙ୍କ ବିଜେଡ଼ିରେ ଯୋଗଦାନ ସଂପର୍କରେ ଇଂରାଜୀ ଓ୍ବେବସାଇଟ ଦି ଓ୍ବେୟାରରେ ଏକ ଆଲେଖ୍ୟ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ଲେଖିଥିବା ବରିଷ୍ଠ ସାମ୍ବାଜିକ ରୁବେନ ବାନାର୍ଜୀ । ସେ ଲେଖିଛନ୍ତି ଯେ ବିଜେଡ଼ିରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରଶ୍ନର ଉତ୍ତର ମିଳିଯାଇଛି । କିନ୍ତୁ ନବୀନଙ୍କୁ ଯେପରି ଓଡ଼ିଶାର ଲୋକଙ୍କ ସମର୍ଥନ ମିଳିଆସିଛି, ପାଣ୍ଡିଆନଙ୍କୁ ସେପରି ମିଳିବ ତ ?

 

 

 

Leave A Reply

Your email address will not be published.