କଂଗ୍ରେସ ପାଇଁ ଲଜ୍ଜାଜନକ ପରିସ୍ଥିତି, ପାଣ୍ଠି ଅଭାବରୁ ଟିକେଟ୍ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ

0

ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି । ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି କଂଗ୍ରେସ ଟିକେଟ୍ ଫେରାଇଥିବା ଜଣାଯାଇଛି।  ଦଳୀୟ ପ୍ରଚାର ପାଇଁ ପାଣ୍ଠିର ଅଭାବ ଓ ଦୁର୍ବଳ ବିଧାୟକ ପ୍ରାର୍ଥୀ ଦିଆଯାଇଥିବା ଅଭିଯୋଗ କରି ସେ ଟିକେଟ୍ ଫେରାଇଛନ୍ତି ।

ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଏନେଇ କହିଛନ୍ତି ଯେ ସେ ଯେଉଁଆଡ଼େ ଯାଉଛନ୍ତି, ସେଠି ଲୋକଙ୍କ ଶ୍ରଦ୍ଧା ମିଳୁଛି, କିନ୍ତୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ। ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ ସେ ଟିକେଟ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି।  ନିଜର ପ୍ରଚାର ପାଇଁ ନିଜସ୍ବ ପାଣ୍ଠି ସଂଗ୍ରହ ପାଇଁ ଦଳ ତାଙ୍କୁ କହିଥିଲା ।  ତେବେ ନିଜସ୍ବ ପାଣ୍ଠିର ଅଭାବ ଥିବା ଓ ଲୋକମାନଙ୍କଠାରୁ ସହାୟତା ହାସଲ ପାଇଁ ଉଦ୍ୟମ କରାଯାଇଥିଲେ ବି ସେଥିରେ ବିଶେଷ ସଫଳତା ନ ମିଳିବାରୁ ତାଙ୍କ ପକ୍ଷେ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ସେ ଦର୍ଶାଇଛନ୍ତି । ସୁଚରିତା ମହାନ୍ତି ଆହୁରି କହିଛନ୍ତି ଯେ ସେ ଏଆଇସିସିସକୁ ‌ପୁରୀ ଲୋକସଭା ଅନ୍ତର୍ଗତ ୭ରୁ ୪ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ବଦଳାଇବା ଲାଗି ଜଣାଇଥିଲେ। ହେଲେ ସେଭଳି କରାଗଲା ନାହିଁ। ସେ ଇମେଲ ଯୋଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଜଣାଇଛନ୍ତି।

ତେବେ ପୁରୀରେ ମେ ୨୫ ତାରିଖରେ ଭୋଟିଂ ହେବ। ଏଥିପାଇଁ ନାମାଙ୍କନ ଭରିବାକୁ ଆଉ ମାତ୍ର ୨, ୩ ଦିନ ରହିଲା । ଏହା ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ବୋଲି ଦ୍ୱନ୍ଦ୍ୱ ଉପୁଜୁଛି। ତେବେ ଏହି ଆସନରେ ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.