ଖୋଲିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଭକ୍ତଙ୍କ ସୁଅ ଛୁଟିଛି

0

ପୁରୀ : ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦଘାଟନ କରିବାର ଦିନକ ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ମନ୍ଦିର ନିର୍ମାଣ ଓ ମେଘନାଦ ପାଚେରୀ ନିର୍ମାଣ ପରେ ଏହାକୁ ଶ୍ରୀମନ୍ଦିର ଇତିହାସରେ 3ୟ ବୃହତ୍ତମ ନିର୍ମାଣ ବୋଲି କୁହାଯାଉଛି । ଏହି ପ୍ରକଳ୍ପ ଖୋଲିବା ପରେ ଭକ୍ତମାନେ ଶ୍ରୀମନ୍ଦିରକୁ ପହଞ୍ଚିବା ଅଧିକ ସୁଗମ ଓ ସୁରକ୍ଷିତ ହୋଇପାରିଛି ।

ଭକ୍ତ ପରିକ୍ରମା ଘେରା ମାରିବା ବେଳେ ନୀଳଚକ୍ର ଓ ଶ୍ରୀମନ୍ଦିରର ଚତୁଃପାର୍ଶ୍ବ କାରିଗରୀର ଶୋଭା ଦେଖି ବିଭୋର ହୋଇଛନ୍ତି। ପୁଣି ପାଦ ଦେଶରେ ମଠ ମନ୍ଦିରର କାରୁକାର୍ଯ୍ୟ, ସବୁଜିମା ଭରା ବଗିଚା ସାଙ୍ଗକୁ ତୁଳସୀ ଓ ଫୁଲର ମହମହ ବାସ୍ନା ପୁଲକିତ କରୁଛି। କାମ ନୂଆ, କିନ୍ତୁ ଖୋଣ୍ଡଲାଇଟ୍‌ ପଥରର କାରିଗରୀ ପ୍ରାଚୀନ ସୌନ୍ଦର୍ଯ୍ୟର ଅନୁଭବ ଦେଉଛି।

ବୁଧବାର ପୌଷ ଶୁକ୍ଳ ସପ୍ତମୀ ତିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ପ୍ରତିଟି ଓଡ଼ିଆ ଏବଂ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଲୋକାର୍ପଣ ସମୟରେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ, ୫-‘ଟି’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ ।

ଶ୍ରୋତୀୟ ବ୍ରାହ୍ମଣଙ୍କ ବେଦମନ୍ତ୍ର, ମହାଯଜ୍ଞ ଏବଂ ନାମ-ସଂକୀର୍ତ୍ତନରେ ମନ୍ତ୍ରାୟିତ ଓ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଇଛନ୍ତି ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ । ପୂର୍ଣ୍ଣାହୂତି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ, ସାଧୁସନ୍ଥ, ମଠାଧିଶ, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ସେବାୟତ, ପୂଜକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.