ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆରମ୍ଭ ହେଲା ପୂଜାର୍ଚ୍ଚନା, ୧୭ରେ ପୂର୍ଣ୍ଣାହୂତି

0

ପୁରୀ: ଆସନ୍ତା ଜାନୁଆରି ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜି ଅର୍ଥାତ୍ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ପୂଜା ଓ ଯଜ୍ଞର ପ୍ରାରମ୍ଭିକ କର୍ମକାଣ୍ଡ । ଏହି ଯଜ୍ଞାନୁଷ୍ଠାନ ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି ।

୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ଜାନୁଆରି ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ। ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ। ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃପ୍ରଦକ୍ଷିଣ(ଇନର୍‌ କରିଡର୍‌) କରିବେ। ଶୁକ୍ରବାର ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞବେଦି ପ୍ରସ୍ତୁତି ଶେଷ ହୋଇଛି। ବେଦପାଠ ପାଇଁ ଚାରିଦ୍ବାରେ ବେଦମଣ୍ଡପ ତିଆରି ହୋଇଛି। ସଭା ପାଇଁ ଉତ୍ତରପାର୍ଶ୍ବ ମଠ ପାଖରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ସର୍ବସାଧାରଣ ଦର୍ଶନ ସ୍ବାଭାବିକ ଚାଲିବ। ଏଥିପାଇଁ ପୁଲିସ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ଶ୍ରୀ ଦାସ କହିଛନ୍ତି।

Leave A Reply

Your email address will not be published.