ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

0

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଭାରତୀୟ ଜନତା ପାର୍ଟିରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଛନ୍ତି। ଆଜି ସେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ପୁଣି ଥରେ ବିଜୁ ଜନତା ଦଳରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ବାଲେଶ୍ୱର ଜିଲ୍ଲା ବସ୍ତାରୁ ୫ ଥର ବିଧାୟକ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତି ୨୦୧୯ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ବସ୍ତାରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ।

୨୦୦୪ ମସିହାରେ ତତ୍‌କାଳୀନ ପଞ୍ଚାୟତିରାଜ ଓ ସଂସଦ ବ୍ୟାପାର ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ମନ୍ତ୍ରୀପଦ ଯିବା ପରେ ଶ୍ରୀ ମହାନ୍ତିଙ୍କୁ ଏହି ଦାୟିତ୍ବ ମିଳିଥିଲା। ପରେ ଶ୍ରୀ ମହାନ୍ତି ଆଇନ, ସହର ବିକାଶ, ଶିଳ୍ପ, ମାଇନ୍ସ ଭଳି ବହୁଗୁରୁତ୍ଵ ପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମିଳିଥିଲା। ୨୦୧୨ ମସିହାରେ ପାରିବାରିକ କଳହ କାରଣରୁ ଶ୍ରୀ ମହାନ୍ତିଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା। ୨୦୧୪ ମସିହାରେ ଶ୍ରୀ ମହାନ୍ତିଙ୍କ ବଦଳରେ ନିତ୍ୟାନନ୍ଦ ସାହୁଙ୍କୁ ବିଜେଡି ଟିକେଟ ଦେଇଥିଲା। ୨୦୧୭ ମସିହାରେ ଶାସକ ଦଳ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ କ୍ୟାବିନେଟ୍ ସହିତ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ମିଳିଥିଲା। ପରେ ନିଜର ଦଳୀୟ ଟିକେଟ ମିଳୁନଥିବା ଜାଣି ଶ୍ରୀ ମହାନ୍ତି ବିଜେଡି ଛାଡି ବିଜେପି ଦଳରେ ସାମିଲ ହୋଇଥିଲେ। ବିଜେପି ତାଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଥିଲା। ବସ୍ତାରୁ ଶ୍ରୀ ମହାନ୍ତି ନିତ୍ୟାନନ୍ଦ ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ।

Leave A Reply

Your email address will not be published.