ପୁଣି ସାଧାରଣ ଲୋକଙ୍କ ଗହଣରେ ରାହୁଲ ଗାନ୍ଧି, ଡେଲିଭରି ଏଜେଣ୍ଟ ବାଇକ୍ ପଛରେ ବସିଲେ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ନିମନ୍ତେ ଦଳ ପାଇଁ ପ୍ରଚାର କରୁଥିବା ବେଳେ ବରିଷ୍ଠ ନେତା ରାହୁଲ ଗାନ୍ଧି ସହରର ଜଣେ ଡେଲିଭରି ଏଜେଣ୍ଟଙ୍କ ସ୍କୁଟରରେ ଯାତ୍ରା କରିବା ଦେଖି ସାଧାରଣ ଲୋକେ ଏପରିକି କଂଗ୍ରେସ ସମର୍ଥକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଉଛି, ସେ ଜଣେ ଡେଲିଭରି ଏଜେଣ୍ଟଙ୍କ ସହ ସ୍କୁଟର ଚଳାଉଛନ୍ତି । ସ୍କୁଟରରେ ପଛରେ ବସିଛନ୍ତି ରାହୁଲ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀ ତୁରନ୍ତ ହେଲମେଟ ପିନ୍ଧି ଡେଲିଭରି ଏଜେଣ୍ଟଙ୍କ ପଛରେ ବସିଛନ୍ତି ଏବଂ ଦୁହେଁ ଧୀରେ ଧୀରେ ସମର୍ଥକଙ୍କ ଭିଡ଼ ଛାଡ଼ି ଯାଉଛନ୍ତି। କଂଗ୍ରେସ ନେତା ଏକ ସ୍କୁଟରରେ ପ୍ରାୟ ଦୁଇ କିଲୋମିଟର ଯାତ୍ରା କରି ନିଜ ହୋଟେଲରେ ପହଞ୍ଚିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ନିକଟ ଅତୀତରେ ରାହୁଲ ଗାନ୍ଧି ଅନେକ ଥର ସମର୍ଥକଙ୍କୁ ଭେଟିବା ପାଇଁ ଏଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଭାରତ ଯୋଡୋ ଯାତ୍ରା ର ଶୁଭାରମ୍ଭ କରିବା ପରଠାରୁ ଏହି ନେତା ବ୍ୟକ୍ତିଗତ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ଏବଂ ସ୍ୱତଃସ୍ପୃତ ଗସ୍ତ ଓ ସାଧାରଣ ସଭା ମାଧ୍ୟମରେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ପ୍ରୟାସକୁ ଜୋରଦାର କରିଛନ୍ତି ।

ଗତ ମାସରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ପୁରୁଣା ଦିଲ୍ଲୀର ଏକ ବଜାରକୁ ଯାଇ ରମଜାନ ସମୟରେ ଏହି ଅଞ୍ଚଳର ଲୋକପ୍ରିୟ ଖାଦ୍ୟର ମଜା ନେଇଥିଲେ।  ଶୁକ୍ରବାର କଂଗ୍ରେସ ନେତା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୁରୁଷ ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସେଠାରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। କର୍ଣ୍ଣାଟକ ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳ ରାଜ୍ୟରେ ପ୍ରଚାର କୁ ଜୋରଦାର କରିଛନ୍ତି ।

 

Leave A Reply

Your email address will not be published.