ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି : ୬.୫% ରେ ଅପରିବର୍ତ୍ତିତ ରହିଲା ରେପୋହାର

0

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତିନି ଦିନିଆ ମୁଦ୍ରାନୀତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବୈଠକରେ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସହମତିକ୍ରମେ ରେପୋ ରେଟ୍ କୁ ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଫଳରେ ଷ୍ଟାଣ୍ଡିଂ ଡିପୋଜିଟ୍ ଫାସିଲିଟି ୬.୨୫% ରେ ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫେସିଲିଟି (ଏମ୍ଏସ୍ଏଫ୍) ହାର ଏବଂ ବ୍ୟାଙ୍କ ରେଟ୍ ୬.୭୫%ରେ ଅପରିବର୍ତ୍ତିତ ରହିଛି।

କ୍ରମାଗତ ଷଷ୍ଠ ଥର ପାଇଁ ରିଜର୍ଭ ବ୍ୟାଙ୍କ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ପ୍ରାୟ ଏକ ବର୍ଷ ଧରି ରେପୋ ରେଟ୍ କୁ ୬.୫ ପ୍ରତିଶତରେ ରଖିଛି। ଶେଷଥର ପାଇଁ ୨୦୨୩ ଫେବ୍ରୁଆରିରେ ଏହାକୁ ୬.୨୫ ପ୍ରତିଶତରୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଗୋଟିଏ ପଟେ ଅର୍ଥନୈତିକ ଅଭିବୃଦ୍ଧି ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ମୁଦ୍ରାସ୍ଫୀତି ହ୍ରାସ ପାଉଥିବାରୁ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଦେଶର ଅର୍ଥନୀତି ଶକ୍ତି ପ୍ରଦର୍ଶନ କରୁଛି।

ସେ କହିଛନ୍ତି, ଯଦିଓ ୨୦୨୪ରେ ବିଶ୍ୱର ଅଭିବୃଦ୍ଧି ହାର ସୁଦୃଢ଼ ରହିବ ଅଂଚଳ ଭିତ୍ତିରେ ଏଥିରେ ଭିନ୍ନତା ରହିବ। ଯଦିଓ ବିଶ୍ୱ ବାଣିଜ୍ୟ ଗତି ଦୁର୍ବଳ ରହିଛି, ତଥାପି ଏଥିରେ ଉନ୍ନତିର ସଙ୍କେତ ଦେଖାଯାଉଛି ଏବଂ ୨୦୨୪ ଆର୍ଥିକ ବର୍ଷରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆର୍ଥିକ ବର୍ଷ ୨୪ ସିପିଆଇ ମୁଦ୍ରାସ୍ଫୀତି ପୂର୍ବାନୁମାନ ୫.୪% ରହିଛି। ୨୦୨୪-୨୫ରେ ବାସ୍ତବ ଜିଡିପି ଅଭିବୃଦ୍ଧି ୭% ରହିବ ବୋଲି ଆକଳନ କରାଯାଇଛି। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସିପିଆଇ ମୁଦ୍ରାସ୍ଫୀତି ୫.୪% ରହିବ ବୋଲି ଆକଳନ କରାଯାଇଥିବା ବେଳେ ଚଳିତ ତ୍ରୟମାସ ପାଇଁ ଏହା ୫% ରହିବ ବୋଲି ଆକଳନ କରାଯାଇଛି। ଆର୍ଥିକ ବର୍ଷ ୨୦୨୫ରେ ସିପିଆଇ ମୁଦ୍ରାସ୍ଫୀତି ୪.୫% ଏବଂ ପ୍ରଥମ ତ୍ରୟମାସରେ ୫% ରହିବ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.