ଆଶା କର୍ମୀ, ଆଉଟସୋର୍ସିଂ କର୍ମଚାରୀ ଖୁସ, ବଢିଲା ପାରିଶ୍ରମିକ

0

ଭୁବନେଶ୍ବର: ରାଜ୍ୟ ସରକାର ଗୁରୁବାର ଆଶା କର୍ମୀମାନଙ୍କର ମାସିକ ପାରିଶ୍ରମିକ ୪୫୦୦ଟଙ୍କାରୁ ୭ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶା କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ।

 

ସେପଟେ ସେବା ପ୍ରଦାନକାରୀ ସଂସ୍ଥାଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକରେ ୨୫% ବୃଦ୍ଧି ଘୋଷଣା  କରାଯାଇଛି । ତାହା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣି ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ରହିଛି। ସେମାନଙ୍କ ମାସିକ ପାରିଶ୍ରମିକରେ ୨୫% ବୃଦ୍ଧି କରାଯାଇଥିବା ବେଳେ ଯେପରି ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ ଏହା ସୁନିଶ୍ଚିତ କରାଯିବ। ଆଉଟସୋର୍ସିଂ କର୍ମଚାରୀ ଓ ସେବୀ ଯୋଗାଣକାରୀ ସଂସ୍ଥା ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶା ରାଜ୍ୟ କର୍ମଚାରୀ ଲୋକପାଳ ଗଠନ କରାଯିବ।

 

ଅଭିଜ୍ଞତା ଥିବା କର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ ସହିତ ପ୍ରତି ୫ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ୧ ହଜାର ଟଙ୍କା ପ୍ରଦାନ କରାଯିବ। ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ। ଆଉଟସୋର୍ସିଂ କର୍ମଚାରୀ ତଥା ‌ସେବା ପ୍ରଦାନକାରୀ ସଂସ୍ଥାଙ୍କର ଅଭିଯୋଗ ଶୁଣାଣି ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯିବ। ଯେଉଁ ଆଉଟ‌ସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ। ସୂଚନାଯୋଗ୍ୟ ଯେ ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ। ତଦନୁଯାୟୀ ରାଜ୍ୟ ସରକାର ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

 

Leave A Reply

Your email address will not be published.