ବିଜୁ ଯୁଗର ଅନ୍ୟତମ ମହାରଥୀ ଦାମ ରାଉତଙ୍କ ପରଲୋକ

0

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଅନ୍ୟତମ ବୟୋବୃଦ୍ଧ ନେତା, ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ  ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି । ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି।

ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ ମଧ୍ୟ ଶ୍ରୀରାଉତ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ।

ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ଏକାଧିକ ଥର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରି ପୁଣି ବିଜେଡିକୁ ଫେରିଥିଲେ।

୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମହିମାଦେଇପୁର ଡାକଘର ଅଧୀନ ମାଳିପୁର ଗାଁରେ ଜନ୍ମ ଗ୍ରହଣ କରିଥିବା ଡ. ଦାମ ରାଉତ ୧୯୭୭ରୁ ୧୯୮୫ ଜନତା ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ। ୧୯୯୦ରୁ ୧୯୯୫ରେ ପୁଣି ଜନତ ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ। ବିଜେଡି ଟିକେଟରେ ୨୦୦୨ରୁ ୨୦୦୯ ଯାଏଁ ଏରସମାରୁ ଓ ୨୦୦୯ରୁ ୨୦୧୯ ଯାଏଁ ପାରାଦୀପରୁ ବିଧାୟକ ହୋଇଥିଲେ। ସାତ ଥର ବିଧାୟକ ହେବା ସହିତ ସେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସାମାଜିକ କଲ୍ୟାଣ, ପଞ୍ଚାୟତିରାଜ ଓ ଅବକାରୀ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସଂପର୍କ, ସଂସ୍କୃତି, କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ମନ୍ତ୍ରୀ ଥିଲେ।

Leave A Reply

Your email address will not be published.