ରେଙ୍ଗାଳିରେ ଆଲୁମିନିୟମ ବ୍ୟାଟେରୀ ଫଏଲ ନିର୍ମାଣ କରିବ ହିନ୍ଦାଲକୋ, ନିବେଶ କରିବ ୮୩୪ କୋଟି

0

ଭୁବନେଶ୍ବର:  ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପକୁ ମଂଜୁର କରିଛି । ଅଥରିଟି ଦ୍ବାରା ମଞ୍ଜୁର ହୋଇଥିବା ସବୁଠୁ ବଡ଼ ପ୍ରକଳ୍ପରେ ୮୩୪ କୋଟି ଟଙ୍କା ବିନିଯୋଗ ହେବ। ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ସମ୍ବଲପୁରର ରେଙ୍ଗାଲିରେ ଏକ ଆଲୁମିନିୟମ୍ ବ୍ୟାଟେରି ଫଏଲ୍‌ କାରଖାନା ସ୍ଥାପନ କରିବ। ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ୫୧୦.୮୦ କୋଟି ଟଙ୍କା ବିନିଯୋଗରେ ଏକ ସିଲିକନ କାର୍ବାଇଡ୍‌ ଡିଭାଇସ୍‌ ଓ ମଡ୍ୟୁଲ୍‌ ବିକାଶ କରିବ। ଖୋର୍ଦ୍ଧାରେ ନୁଭୋ ଏଅନ୍ ଡାଇମଣ୍ଡ ଆଣ୍ଡ୍‌ ଜୁଏଲାରି ମାନୁଫାକ୍‌ଚରିଂ ୨୫୬.୫୦ କୋଟି ଟଙ୍କା ନିବେଶରେ ଏକ ଲ୍ୟାବ୍‌ରେ ହୀରା ପ୍ରସ୍ତୁତି ଓ ଗହଣା ତିଆରି କାରଖାନା ସ୍ଥାପନ କରିବ।

ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଉତ୍କଳ ଫସଫେଟ୍‌ସ ଏକ ସାର କାରଖାନା ସ୍ଥାପନ କରିବ। କଂପାନି ସେଥିରେ ୬୨.୦୭ କୋଟି ଟଙ୍କା ନିବେଶ କରିବ। ଏଥି ସହିତ ଝାରସୁଗୁଡ଼ାରେ ମେ’ ଫେୟାର ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟସ୍‌ ଏକ ହୋଟେଲ୍‌ ନିର୍ମାଣ କରିବାରେ ୭୩ କୋଟି ଟଙ୍କା ବିନିଯୋଗ କରିବ। ଯାଜପୁରର କଳିଙ୍ଗନଗରରେ ନିଉ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ୍‌ ପାୱାର ପ୍ରାଇଭେଟ୍ ଲିମିଟେଡ୍‌ ୫୪୭ କୋଟି ଟଙ୍କା ବିନିଯୋଗରେ ଏକ ୦.୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ରୋଲିଂ ଉତ୍ପାଦ କାରଖାନା ସ୍ଥାପନ କରିବ।

ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୪,୭୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜିର ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ସମ୍ବଲପୁର, ଜଗତସିଂହପୁର, ପୁରୀ, ଝାରସୁଗୁଡ଼ା ଓ ଯାଜପୁର ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଇସ୍ପାତ, ପର୍ଯ୍ୟଟନ, ପ୍ୟାକେଜିଂ, ଖାଦ୍ୟ ଓ ପାନୀୟ, ସାର, ଜେମ୍‌ଷ୍ଟୋନ୍ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ।

 

Leave A Reply

Your email address will not be published.