ବାଲେଶ୍ବର ଲୋକସଭା ଆସନ : ଜାରି ରହିଛି ସସପେନ୍ସ

0

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ଭିଡିଓ ବାର୍ତ୍ତା ଜରିଆରେ ୨୭ ଜଣ ପ୍ରାର୍ଥୀଙ୍କ ଦ୍ବିତୀୟ ତାଲିକା ଘୋଷଣା କରିଛନ୍ତି। ସେହିପରି ୫ଟି ଲୋକସଭା ଆସନ ପାଇଁ ସେ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଏହି ଘୋଷଣା ସହିତ ବିଜେଡି ମୋଟ ୧୪୭ ବିଧାନସଭା ଆସନରୁ ୯୯ଟି ଓ ୨୧ଟି ଲୋକସଭା ଆସନରୁ ୨୦ଟି ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

ତେବେ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ଲଢ଼ିବା ପାଇଁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମେତ ଅନେକ ପ୍ରାର୍ଥୀଙ୍କ ସହ ବିଜେଡି ଆଲୋଚନା କରୁଛି। ସେହିପରି ବାଲେଶ୍ୱର ପାଇଁ କଂଗ୍ରେସ ଦଳ ମଧ୍ୟ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଦୁଇଟି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ବାଲେଶ୍ବର ପାଇଁ ପ୍ରାର୍ଥୀ ଘୋଷଣା କରିନଥିବାରୁ ଏହି ଆସନକୁ ନେଇ ସସପେନ୍ସ ଜାରି ରହିଛି ।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ରବୀନ୍ଦ୍ରଙ୍କୁ ୧୨,୯୫୬ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ୧,୭୯,୪୦୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

କୁହାଯାଉଛି ଯେ ଏହି ଆସନ ପାଇଁ ନିର୍ବାଚନ ଲଢିବେ ନାହିଁ ବୋଲି ପୂର୍ବରୁ ରବୀନ୍ଦ୍ର ଘୋଷଣା କରିଥିବାବେଳେ ବିଜେଡି ତାଙ୍କୁ ପୁଣି ବୁଝାଇଚାଲିଛି । ପୁଣି ଜିଲ୍ଲୀ ସଂଗଠନରେ ରବୀନ୍ଦ୍ର ଗୋଷ୍ଠୀ ଓ ବିଧାୟକ ସ୍ବରୂପ ଦାସ ଗୋଷ୍ଠୀ ମଧ୍ୟରେ ବିବାଦ ବିଗତ କିଛି ମାସ ହେଲା ଜାରି ରହିଛି । ସେପଟେ ବିଜେପି ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ବି ବିବାଦ ଶେଷ ହୋଇନାହିଁ, ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ ବି ଏହି ଆସନ ପାଇଁ ଆଶାୟୀ ଥିଲେ ଓ ଟିକେଟ ମିଳିନଥିବାରୁ ସେ ନିଜର ଅସନ୍ତୋଷକୁ ଖୋଲାଖୋଲି ଜାହିର କରିଥିଲେ । ତେବେ ପରେ ସେ ନିଜ ଦଳ ପ୍ରତି ଅନୁଗତ୍ୟ ପ୍ରକାଶ କରିଥିଲେ ।

 

Leave A Reply

Your email address will not be published.