ଓଡ଼ିଶା କଂଗ୍ରେସକୁ ଭରସା କେବଳ ସଂକୀର୍ତ୍ତନ

0

ଭୁବନେଶ୍ବର : ଗତ ନଭେମ୍ବର ୯ ତାରିଖରେ ଓଡ଼ିଶା କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ ଲୋକଙ୍କୁ ଆମୋଦିତ କରିଥିବ ନିଶ୍ଚୟ ।  ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଏହି ସତ୍ୟାଗ୍ରହ କରାଯାଉଥିବା ଦଳ କହୁଥିଲେ ବି ଏହାର କଣିକାଏ ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିନାହିଁ । କାର୍ତ୍ତିକମାସ ଶେଷ ହେବାକୁ ଯାଉଥିବାବେଳେ ସରକାର ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବାର କୌଣସି ସଂକେତ ଦେଇନାହାନ୍ତି । ଏହି ଅଭିଯାନ ବିଫଳ ହେବା ପରେ ଏବେ କଂଗ୍ରେସ ଡିସେମ୍ବର ପ୍ରଥମ ସପ୍ତାହରୁ ତୁଳସୀ ଯାତ୍ରା ଆରମ୍ଭ କରିବାକୁ ଯାଉଛି ।

କିନ୍ତୁ ପ୍ରଥମେ ସଂକୀର୍ତ୍ତନ ସତ୍ୟାଗ୍ରହ ଓ ଡିସେମ୍ବରରେ ହେବାକୁ ଥିବା ତୁଳସୀ ଯାତ୍ରା କରି କିପରି କଂଗ୍ରେସ ସାଧାରଣ ଓଡ଼ିଆଙ୍କ ଆସ୍ଥା ଜିଣିପାରିବ ତାହା ବୁଝାପଡ଼ୁନାହିଁ । ଆଗାମୀ ନିର୍ବାଚନ ପୂର୍ବରୁ ଏପରି ଅଭିଯାନ କରି ଓଡ଼ିଶା କଂଗ୍ରେସ ଯେ ପୁଣି ଉଠିପାରିବ ତାହା ଲାଗୁ ନାହିଁ ।  ଏପରିକି କଂଗ୍ରେସ ହାଇକମାଣ୍ଡ ବି ଓଡ଼ିଶା କଂଗ୍ରେସକୁ ଭୁଲିଯାଇଛନ୍ତି । ପୁଣି ଦଳରେ ଚାଲିଥିବା ଗୋଷ୍ଠୀକନ୍ଦଳ କଂଗ୍ରେସ ପାଇଁ ଏକ ନିରାଶାର ବାତାବରଣ ସୃଷ୍ଟି କରିଛି । ଏପରି ସ୍ଥିତିରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ଆଶା ଭୁଲିଯାଇ କେବଳ ସଂକୀର୍ତ୍ତନ କରିବାଛଡ଼ା ଅନ୍ୟ କିଛି ଉପାୟ ନାହିଁ ।

2004 ପରଠାରୁ ଓଡ଼ିଶାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ସଂଗୀନ ହୋଇଚାଲିଛି । ସ୍ଥିତି ଏପରି ହୋଇଛି ଯେ କଂଗ୍ରେସ ଏବେ ମୁଖ୍ୟ ବିରୋଧୀଦଳ ମାନ୍ୟତା ହରାଇସାରିଛି । 2004ରେ କଂଗ୍ରେସ 34ଟି ବିଧାନସଭା ଆସନ ପାଇଥିବାବେଳେ ଏବେ ତାହା 9କୁ ଖସିଆସିଛି । ଗତ 3ଟି ସାଧାରଣ ନିର୍ବାଚନରେ କଂଗ୍ରେସର ଏପରି କ୍ରମାଗତ ଅଧୋଗତିର କାରଣ ହେଉଛି, ଦଳ ବିଜେଡ଼ି କିମ୍ବା ନବୀନ ପଟ୍ଟନାୟକଙ୍କ ବିକଳ୍ପଭାବେ ନିଜକୁ ସ୍ଥାପିତ କରିପାରିଲା ନାହିଁ ।

ଆସନ୍ତା 2024 ନିର୍ବାଚନ ପାଇଁ ଦଳ ଲକ୍ଷ୍ୟ ରଖିଛି ଯେ ଏହାର ଆସନ ସଂଖ୍ୟା ବର୍ତ୍ତମାନର 9ରୁ ବୃଦ୍ଧି ପାଇ 90ରେ ପହଞ୍ଚିବ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ବିଧାୟକ ସୁର ରାଉତରାୟ ଏହାକୁ ନେଇ ବାହାସ୍ଫୋଟ ମାରୁଛନ୍ତି । ଏପରି କି ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ଦଳ 90 ନୁହେଁ 99ଟି ଆସନ ଜିତି ଓଡ଼ିଶାରେ ସରକାର ଗଢିବ । କିନ୍ତୁ ଦଳର ବର୍ତ୍ତମାନର ବାସ୍ତବିକତାକୁ ଦେଖିଲେ ତାହା ଏକ ଅସମ୍ଭବ ମିସନ ପରି ଲାଗୁଛି । 2019 ପରେ ଦଳ ଯେତେ ନିର୍ବାଚନ ଲଢିଛି ସବୁଥିଲେ ଚିତପଟାଙ୍ଗ ମାରିଛି । ପ୍ରତି ନିର୍ବାଚନରେ ଦଳର ଭୋଟ ହାର କମି ଚାଲିଛି ।  କେବଳ ବିଧାନସଭା ବା ଲୋକସଭା ନିର୍ବାଚନ ନୁହେଁ, ପୌର ଓ ପଞ୍ଚାୟତ ନିର୍ବାଚନରେ ବି ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରି ସ୍ଥିତିରେ ଦଳ କିପରି 90 ଆସନ ଆଣିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ମାସ ତଳେ ଦଳର ଦୁଇ ବରିଷ୍ଠ ନେତା- କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କ ଦଳ ସସପେଣ୍ଟ୍ କରିଛି । ଏହା ଦଳୀୟ କନ୍ଦଳକୁ ବଢାଇଦେଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬-୭ ମାସ ସମୟ ଥିବାବେଳେ ରାଜ୍ୟ କଂଗ୍ରେସ ନିଜ ସ୍ଥିତିକୁ ସୁଧାରିବ କଣ, ଦଳୀୟ କନ୍ଦଳ ଦିନକୁ ଦିନ ବଢିଚାଲିଛି ।

କେନ୍ଦ୍ରରେ ଶାସନ କରୁଥିବା ବିଜେପି ଓ ରାଜ୍ୟର ବିଜେଡ଼ି ମଧ୍ୟ ଥିବା ମଧୁର ସଂପର୍କ ଆଉ ରାଜ୍ୟବାସୀଙ୍କୁ ଅଛପା ନାହିଁ । ଏଣୁ ଏହି ଦୁଇ ଦଳର ବିକଳ୍ପ ଭାବେ ଲୋକଙ୍କ ଆସ୍ଥାଭାଜନ ହେବା ନିମନ୍ତେ କଂଗ୍ରେସ ପାଇଁ ଏକ ଭଲ ସୁଯୋଗ ରହିଛି । କିନ୍ତୁ କଂଗ୍ରେସ ନିଜର ଘରକୁ ସଜାଡ଼ି ଏହି ସୁଯୋଗର ସଦବ୍ୟବହାର କରିପାରିବ କି ? କଂଗ୍ରେସର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ତାହା ଅସମ୍ଭବ ମନେ ହେଉଛି । ଏଣୁ କଂଗ୍ରେସକୁ କେବଳ ସଂକୀର୍ତ୍ତନ ଭରସା ।

 

Leave A Reply

Your email address will not be published.