ରାଜ୍ୟର ସବୁ ବିଧାନସଭା ଓ ଲୋକସଭା ଆସନରୁ ଛିଡ଼ା ହୋଇଛନ୍ତି ନବୀନ ପଟ୍ଟନାୟକ : ପାଣ୍ଡିଆନ୍

0

ଭୁବନେଶ୍ୱର: ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ବ୍ୟବଧାନରେ ବାଜିମାତ କରିବ ବୋଲି ଆକଳନ କରିଛନ୍ତି ବିଜେଡି ନେତା ତଥା ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୁବନେଶ୍ବରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ଏହା କହିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି , ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ବ୍ୟବଧାନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି। ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ। ସେହିଭଳି ଲୋକସଭାରେ ମଧ୍ୟ ଗତଥରଠାରୁ ଭଲ ପ୍ରଦର୍ଶନ କରିବ ଦଳ। ସେଥିପାଇଁ ଲୋକଙ୍କଠୁ ଦୁଇଟି ଆଶୀର୍ବାଦ ଦରକାର। ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ। ପ୍ରାର୍ଥୀକୁ ଦେଖିବେ ନାହିଁ। ବରଂ ନବୀନ ପଟ୍ଟନାୟକ ଓ ଶଂଖ ଚିହ୍ନକୁ ଦେଖିବେ। କାରଣ ୧୪୭ ବିଧାସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ହିଁ ଛିଡ଼ା ହୋଇଛି। ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଶ୍ରୀ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡ଼ିଶା ଗଠନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଶ୍ରମିକଙ୍କର। ସବୁ ବିକାଶ କାମ ପଛରେ ରହିଛି ଶ୍ରମିକଙ୍କ ହାତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ଗୋଟେ ସମୟରେ ୧୧ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏବେ ମଧ୍ୟ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗ ମଜୁରୀ ବୃଦ୍ଧି ସପକ୍ଷରେ ନଥିଲେ। କାରଣ ୧୦୦ ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫ରୁ ୬ହଜାର କୋଟି ଟଙ୍କାର ଅଧିକ ବୋଝ ପଡ଼ିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତି ଥିଲା ଯେଉଁ ଶ୍ରମିକମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ୩୫୦ଟଙ୍କାରୁ ମଜୁରୀ ୪୫୦ଟଙ୍କାକୁ ବୃଦ୍ଧି କରିଛନ୍ତି। ଆହୁରି ବହୁତ କିଛି କରିବାକୁ ବାକି ଅଛି। ଏଥର ସରକାରକୁ ଆସିଲେ ସେ ସବୁ ପୂରଣ କରାଯିବ।

Leave A Reply

Your email address will not be published.