ଓଡ଼ିଶାରେ କଣ ଦେଖିଲେ ବିଲ୍ ଗେଟସ୍ ?

0

ଭୁବନେଶ୍ବର: ମାଇକ୍ରୋସଫ୍‌ଟର ସହ ପ୍ରତିଷ୍ଠାତା ବିଲ ଏଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଅଧ୍ୟକ୍ଷ ବିଲ୍‌ ଗେଟ୍‌ସ ବୁଧବାର ଓଡ଼ିଶା ଗସ୍ତରେ ଆସି କୃଷିରେ ସୂଚନା ପ୍ରଯୁକ୍ତିର ପ୍ରୟୋଗକୁ ନେଇ ରାଜ୍ୟ ସରକାରଙ୍କ ପ୍ରସଂଶା କରିଥିଲେ ।  ଏହା ସହିତ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ସାମାଜିକ ଓ ବିକାଶମୂଳକ କ୍ଷେତ୍ରରେ ବିଲ୍ ଓ ମିଲିଣ୍ଡା ଟେଗ୍ସ ଫାଉଣ୍ଡେସନ ଅନୁଦାନ ବୃଦ୍ଧି କରିବାର ସମ୍ଭାବନା ସୃଷ୍ଟି ହୋଇଛି ।

ବୁଧବାର ସକାଳୁ ସେ ରାଜଧାନୀର ବିଭିନ୍ନ ସ୍ଥାନକୁ ମାରାଥନ୍ ଗସ୍ତ କରିଥିଲେ। ମାତ୍ର କିଛି ଘଣ୍ଟା ଭିତରେ କୃଷି ଭବନ, ମିସନ ଶକ୍ତି ବଜାର ବୁଲିବା ସହ ବସ୍ତିର ବିକାଶକୁ ଅନୁଧ୍ୟାନ କରିଥିଲେ।  ମିସନ ଶକ୍ତି ବଜାରରେ ସେ କଫି ପିଇଥିଲେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କ ପାଖେ ପାଖେ ରହି ସବୁ ଅବଗତ କରାଇଥିଲେ। ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି ଗେଟ୍‌ସ୍‌।

ଭୁବନେଶ୍ବରର ବିଭିନ୍ନ ଜାଗା ବୁଲିଲା ପରେ ବିଲ୍‌ ଗେଟ୍‌ସ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜାଗା ମିସନ, ମିସନ ଶକ୍ତି, ଓଡ଼ିଶା ସ୍କୁଲ ରୂପାନ୍ତରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କିତ ଅନ୍ୟାନ୍ୟ ରୂପାନ୍ତରଣ କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ ବିଲ୍‌-ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଜ୍ଞାନକୌଶଳ ଦୃଷ୍ଟିରୁ ଏହା ରାଜ୍ୟବାସୀଙ୍କ ବିକାଶ ଦିଗରେ ସହାୟକ ହୋଇଥିବା କହିଥିଲେ। ୫-ଟି ଉପକ୍ରମରେ ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଶଂସା ପାଇଁ ମୁଖ୍ୟମନ୍ତ୍ରୀ ବିଲ୍‌ ଗେଟ୍‌ସଙ୍କୁ ଧନ୍ୟବାଦ ଦେଇଥିଲେ। ଉଭୟଙ୍କ ଆଲୋଚନା‌ ସମୟରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ କେନ୍ଦ୍ର ଓ  ରାଜ୍ୟ ସରକାର, ଏନଜିଓମାନଙ୍କ ସହ ମିଶି ଭାରତରେ ପରିମଳ, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରରେ ବିକାଶମୂଳକ କାମ କରୁଛି ଓ ଏଥିପାଇଁ ଅନୁଦାନ ଯୋଗାଉଛି ।

 

Leave A Reply

Your email address will not be published.