ଆଉ ଏପଟ ସେପଟ ହେବାର ପ୍ରଶ୍ନ ଉଠୁନାହିଁ, ଶପଥ ନେବା ପରେ କହିଲେ ନୀତୀଶ

0

ପଟନା : ଗତ କିଛି ଦିନ ଧରି ବିହାରରେ ଚାଲିଥିବା କଳ୍ପନାଜଳ୍ପନା ପରେ ରବିବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟ ସହ ସମ୍ପର୍କ ଛିନ୍ନ କରି ପୁଣି ଥରେ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି। ରବିବାର ସନ୍ଧ୍ୟାରେ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନୀତୀଶ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଯେଉଁଠି ଥିଲେ ସେଠାକୁ ଆସିଛନ୍ତି, ଏବେ ଏପଟ ସେପଟ ବୁଲିବାର ପ୍ରଶ୍ନ ଉଠୁନାହିଁ। ନୀତୀଶ କହିଛନ୍ତି ଯେ ବିହାରର ସ୍ୱାର୍ଥ ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ଉନ୍ନୟନ ମୂଳକ କାର୍ଯ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ, ବିହାର ରାଜନୀତି ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ନୀତୀଶ କୁମାର ରବିବାର ମହାମେଣ୍ଟରୁ ନିଜକୁ ଅଲଗା କରି ପୁଣି ଥରେ ଏନଡିଏରେ ଯୋଗ ଦେଇଛନ୍ତି ।

ନୀତୀଶ କୁମାର ମେଣ୍ଟ ଛାଡିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ “… ଗୋଟିଏ କଥା ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି, ଖେଳ ଏବେ ଆରମ୍ଭ ହୋଇଛି, ଖେଳ ଏପର୍ଯ୍ୟନ୍ତ ଆସିନାହିଁ। ମୁଁ ଯାହା କହୁଛି ତାହା କରେ । ଆପଣ ଲେଖିଛନ୍ତି ଯେ ଜେଡିୟୁ ଦଳ ୨୦୨୪ରେ ଶେଷ ହୋଇଯିବ। ସୂଚନାଯୋଗ୍ୟ, ୨୦୨୨ରେ ନୀତୀଶ କୁମାର ଏନଡିଏ ମେଣ୍ଟରୁ ଅଲଗା ହୋଇ ଆରଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳସହ ମିଶି ସରକାର ଗଠନ କରିଥିଲେ। ଏବେ ପୁଣି ଥରେ ତାଙ୍କ ଦଳ ଏନଡିଏରେ ସାମିଲ ହୋଇଛି ।

ନୀତୀଶ କ୍ୟାବିନେଟରେ ମନ୍ତ୍ରୀ

ବିହାରରେ ବିଜେପି ସମର୍ଥନରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ନୀତୀଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।  ଶପଥ ଗ୍ରହଣ ଉତ୍ସବରେ ବିଜେପି ଓ ଜେଡିୟୁର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ନୀତୀଶ କୁମାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବିଜେପିର ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା, ତତ୍କାଳୀନ ଜେଡିୟୁ ନେତା ବିଜୟ ଚୌଧୁରୀ, ବିଜେନ୍ଦର ଯାଦବ ଏବଂ ତତ୍କାଳୀନ ବିଜେପି ନେତା ପ୍ରେମ କୁମାର ଶପଥ ନେଇଥିଲେ।

Leave A Reply

Your email address will not be published.