ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେଲେ କିଏ ରହିବ ଲାଭରେ, କାହାର ହେବ କ୍ଷତି ? (ଭିଡିଓ)

0

ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଏବେ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ରାଜ୍ୟର ଏକ ସାଧାରଣ ଚା’ ଖଟିରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଏ ନେଇ ଗରମାଗରମ ଆଲୋଚନା ହେଉଛି । ମେଣ୍ଚର ବିଭିନ୍ନ ଦିଗକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଚର୍ଚ୍ଚାର ଏକ ପ୍ରମୁଖ ବିଷୟ ହେଉଛି ଏହି ମେଣ୍ଟ ଯୋଗୁଁ କାହାର ଲାଭ ହେବ ଓ କିଏ କ୍ଷତିରେ ରହିବ ?

15 ବର୍ଷ ପୂର୍ବରେ 2009ରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଭାଙ୍ଗିଯାଇଥିଲା । ତାପରଠାରୁ ରାଜ୍ୟରେ ବିଜେଡ଼ି ନିରଙ୍କୁଶ ଶାସନ କରିଚାଲିଥିଲା । ମେଣ୍ଟ ହେବା ପରେ ବିଜେଡ଼ିରେ ସେହି ନିରଙ୍କୁଶତା ରହିବ ନାହିଁ । ଶାସନରେ ଭାଗିଦାର ହେବ ବିଜେପି । ଆହୁରି ମଧ୍ୟ ବିଜେଡ଼ିରେ ଏବେ ଅନେକ ଆଶାୟୀ ନେତା ଅଛନ୍ତି । ମେଣ୍ଟ ହେବା ପରେ ସେମାନଙ୍କ ଟିକେଟ ଆଶା ମଉଳିପାରେ । ଏହା ଫଳରେ ସେମାନେ କଂଗ୍ରେସକୁ ଯାଇପାରନ୍ତି କିମ୍ବା ସ୍ବାଧୀନଭାବେ ଲଢିପାରନ୍ତି । ଏହା ବିଜେଡ଼ିକୁ କ୍ଷତି ପହଞ୍ଚାଇବ ।

ଅନ୍ୟପକ୍ଷରେ ଏହି ମେଣ୍ଟ ଦ୍ବାରା ଉଭୟ ଲାଭ ଓ କ୍ଷତିରେ ରହିବ ବିଜେପି । ଲାଭରେ ଏଥିପାଇଁ ଯେ, ବିଜେଡ଼ି ସହିତ ମେଣ୍ଟ ଦ୍ବାରା ଆଗାମୀ ନିର୍ବାଚନରେ ଦଳର 400 ଆସନ ଟାର୍ଗେଟ୍ ପୂରଣ ହୋଇପାରିବ । ଏହା ମୋଦୀ ସରକାରଙ୍କ 3ୟ ପାଳିକୁ ବଳ ଯୋଗାଇବ । ଅନ୍ୟପଟେ  ମେଣ୍ଟ ଯୋଗୁଁ ଓଡ଼ିଶାରେ କ୍ଷତିରେ ରହିବ ବିଜେପି । କାରଣ ବିଜେଡ଼ି ବିରୋଧରେ ସୃଷ୍ଟି ହୋଇଥିବା ସରକାର ବିରୋଧୀ ହାଓ୍ବା ଆଉ ବିଜେପିକୁ ମିଳିବାର ସମ୍ଭାବନା ନାହିଁ । ଗତ ନିର୍ବାଚନରେ ଏହି ସରକାର ବିରୋଧୀ ଭୋଟର ଏକ ବଡ଼ ଭାଗ ବିଜେପିକୁ ଆସିଥିଲା । ଫଳରେ ଦଳ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା, ଯାହାକି କମ ବଡ଼ ସଫଳତା ନଥିଲା ।  କିନ୍ତୁ ଏଥର ମେଣ୍ଟ ହେଲେ ତାହା ହେବା କଷ୍ଟକର ହୋଇପଡ଼ିବ । ଶାସନରେ ବି ବିଜେପିକୁ କେତୋଟି ମନ୍ତ୍ରୀପଦ ମିଳିବାର ସମ୍ଭାବନା ଥିଲେ ବି ବିଜେଡିର ପ୍ରାଧାନ୍ୟ ବଜାୟ ରହିବ । ଫଳରେ ଓଡ଼ିଶାରେ ବିଜେପିର ଭବିଷ୍ୟତ ଅଭିବୃଦ୍ଧି ଧୀମା ହୋଇଯିବ । ବିଜେଡ଼ି ବିରୋଧରେ ଥିବା ସରକାରୀ ବିରୋଧୀ ଜନମତର ଚାପ ବିଜେପି ଉପରେ ବି ପଡ଼ିପାରେ ।

ସେହିପରି ଏହି ମେଣ୍ଟ ଦ୍ବାରା ଆଉ ଗୋଟିଏ ଗୋଷ୍ଠୀ କ୍ଷତିଗ୍ରସ୍ତ ହେବେ । ସେମାନେ ହେଉଛନ୍ତି ଦଳ ଡିଆଁ ନେତା । ସେମାନେ ଏବେ କରିବେ କଣ ? ଯେଉଁ ଆସନ ପାଇଁ ଟିକେଟ ଆଶାରେ ସେମାନେ ଦଳ ଡେଇଁଥିଲେ, ସେହି ଆସନ କେଉଁ ଦଳ ଭାଗରେ ପଡ଼ିବ ତାହାକୁ ନେଇ ଅନିଶ୍ଚିତତା ରହିବ । ଏଣୁ ସେମାନଙ୍କ ଭାଗ୍ୟ ଅନ୍ଧାରରେ ରହିବ ।

କିନ୍ତୁ ଏହି ମେଣ୍ଟ ଦ୍ବାରା ସବୁଠାରୁ ଅଧିକ ଫାଇଦାରେ ରହିପାରେ କଂଗ୍ରେସ । ଗତ 3ଟି ନିର୍ବାଚନରେ କ୍ରମଶଃ କ୍ଷୀଣ ହୋଇଆସୁଥିବା ଓଡ଼ିଶା କଂଗ୍ରେସ ପାଇଁ ଏହି ମେଣ୍ଟ ପରୋକ୍ଷରେ ଏକ ବରଦାନ ହୋଇପାରେ । କାହିଁକି ଆମେ ଏପରି କହୁଛୁ ଆସନ୍ତୁ ଜାଣିବା ।

2019ରେ ବିଜେଡ଼ି 45 ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି 33 ପ୍ରତିଶତ ଓ କଂଗ୍ରେସକୁ ମାତ୍ର 16 ପ୍ରତିଶତ ଭୋଟ ମିଳିଥିଲା । କିନ୍ତୁ ଏଥର ପରିସ୍ଥିତି ବଦଳିପାରେ । ବିଜେଡ଼ିକୁ ମିଳିଥିବା 45 ପ୍ରତିଶତ ଭୋଟକୁ ଓଲଟାଇ ଦେଖିଲେ ଜାଣିହେବ ଯେ 55 ପ୍ରତିଶତ ଲୋକ ବିଜେଡ଼ିକୁ ଭୋଟ ଦେଇନଥିଲେ । ଅର୍ଥାତ 55 ପ୍ରତିଶତ ସରକାର ବିରୋଧୀ ଭୋଟ ଥିଲା । ତାହାର ଏକ ବଡ଼ ଭାଗ ଅର୍ଥାତ 33 ପ୍ରତିଶତ ବିଜେପିକୁ ଯାଇଥିଲା । କଂଗ୍ରେସ 16 ପ୍ରତିଶତ ଭୋଟ ପାଇଥିଲା । କିନ୍ତୁ ଏଥର ମେଣ୍ଟ ହେବା ପରେ ସରକାର ବିରୋଧୀ ଭୋଟର ସିଂହ ଭାଗ କଂଗ୍ରେସକୁ ଯାଇପାରେ । ଏହା ଦ୍ବାରା କଂଗ୍ରେସର ଆସନ ସଂଖ୍ୟା ଏଥର ବୃଦ୍ଧି ପାଇବ ଓ କଂଗ୍ରେସ ପୁଣି ଥରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇବା ନିଶ୍ଚିତ ।

ବିଜେପି-ବିଜେଡ଼ି ମେଣ୍ଟ ହେଲେ ଦୁଇ ଦଳର ଅସନ୍ତୁଷ୍ଟ ନେତାମାନେ କଂଗ୍ରେସ ଆଡ଼କୁ ମୁହାଁଇ ପାରନ୍ତି । ଏପରି କଂଗ୍ରେସର ଓଡ଼ିଶା ପ୍ରଭାରି ଡ.ଅଜୟ କୁମାର ବି କହିସାରିଲେଣି ଯେ ଦୁଇ ଦଳର ଅନେକ ନେତା ତାଙ୍କ ସଂପର୍କରେ ଅଛନ୍ତି । ଇତି ମଧ୍ୟରେ ପୁରୁଖା ନେତା ଶ୍ରୀକାନ୍ତ ଜେନା ଓ ଅମର ପ୍ରଧାନ  ଅସନ୍ତୁଷ୍ଟ ନେତାମାନେ ଯଦି କଂଗ୍ରେସକୁ ଆସନ୍ତି ଅଥବା ସ୍ବାଧୀନଭାବେ ଲଢନ୍ତି ତାହା ମଧ୍ୟ କଂଗ୍ରେସକୁ ଫାଇଦା ପହଞ୍ଚାଇବ । 2019ରେ କଂଗ୍ରେସ ମାତ୍ର 9 ଟି ଆସନ ଜିତିଥିଲେ ବି 32ଟି ଆସନରେ 2ୟ ସ୍ଥାନରେ ଥିଲା । ଏଥର ସେହିସବୁ ଆସନରେ କଂଗ୍ରେସ ବିଜୟ ଲାଭ କରିପାରେ ।

ମୋଟାମୋଟିଭାବେ କହିଲେ କଂଗ୍ରେସ ପରି ଜାତୀୟ ଦଳ ପୁଣି ଓଡ଼ିଶାରେ ଶକ୍ତି ଆହରଣ କରିବା ବିଜେଡି ଓ ବିଜେପି ପାଇଁ ଭଲ ଖବର ନୁହେଁ । ତେବେ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ହୋଇପାରେ ।

 

 

 

Leave A Reply

Your email address will not be published.