ଏଥର ଜିତି ପାରିବେ ତ ଅପରାଜିତା ? କେତେବଡ଼ ଚ୍ୟାଲେଞ୍ଜ ହେବେ ମନ୍ମଥ ?

0

ଭୁବନେଶ୍ବର : ଓଡ଼ିଶାର ମର୍ୟ୍ୟାଦାଜନକ ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ବିପକ୍ଷରେ ମନ୍ମଥ ରାଉତରାୟଙ୍କୁ ଛିଡ଼ା କରିଛି ବିଜେଡି । ଭୁବନେଶ୍ବରର ବର୍ତ୍ତମାନ ସାଂସଦ ଅପରାଜିତା ଗତ ୫ ବର୍ଷ ମଧ୍ୟରେ ନିଜକୁ ଜଣେ ଅଭିଜ୍ଞ ରାଜନେତା ହେବାର ପ୍ରମାଣ ଦେଇସାରିଛନ୍ତି । ତାଙ୍କ ମୁକାବିଲାରେ ମନ୍ମଥଙ୍କୁ ନବାଗତ ବୋଲି ଆମେ କହିପାରିବା । କିନ୍ତୁ ଆଗାମୀ ନିର୍ବାଚନରେ ଅପରାଜିତା ସହଜରେ ଜିତିଯିବେ ବୋଲି କୁହାଯାଇପାରିବ କି ? କିନ୍ତୁ ଏହି ପ୍ରଶ୍ନର ଉତ୍ତର ସେତେଟା ସହଜ ନୁହେଁ ।

ମନ୍ମଥଙ୍କ ପ୍ରାର୍ଥୀତ୍ବକୁ ଯଦି ଆମେ ଟିକେ ସତର୍କତାର ସହ ବିଚାର କରିବା ତେବେ ଜଣାପଡ଼ିବ ଯେ ବିଜେଡି ବହୁତ ଭାବିଚିନ୍ତି ତାଙ୍କୁ ଅପରାଜିତାଙ୍କ ବିପକ୍ଷରେ ଛିଡ଼ା କରିଛି । ଅର୍ଥାତ୍ ଆଗାମୀ ଲଢେଇ ଅପରାଜିତାଙ୍କ ପାଇଁ ସହଜ ହେବ ନାହିଁ । ଏହାର କାରଣ ହେଉଛି ଭୁବନେଶ୍ବରର ଭୋଟ ଗଣିତ ଓ ମନ୍ମଥଙ୍କ କଂଗ୍ରେସ କନେକ୍ସନ ।

୨୦୧୯ ନିର୍ବାଚନରେ ଅପରାଜିତା ବିଜେଡ଼ିର ଅରୁପ ପଟ୍ଟନାୟକଙ୍କୁ ୨୩ ହଜାର ୮୩୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ୩ୟ ସ୍ଥାନରେ ରହିଥିଲା କଂଗ୍ରେସ ସମର୍ଥିତ ବାମ ନେତା ଜନାର୍ଦ୍ଦନ ପତି ମାତ୍ର ୨୩ ହଜାର ୨୬ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ । କିନ୍ତୁ ପ୍ରକୃତ ଖେଳ ହୋଇଥିଲା ଭୁବନେଶ୍ବର ଲୋକସଭା ଆସନ ଅଧିନରେ ଆସୁଥିବା ବିଧାନସଭା ଆସନଗୁଡ଼ିକରେ । ଭୁବନେଶ୍ବର ଲୋକସଭା ଆସନ ଅଧିନରେ ୭ଟି ବିଧାନସଭା ଆସନ ଆସୁଥିବାବେଳେ ସେଥିମଧ୍ୟରୁ ୬ ଟିରେ କଂଗ୍ରେସ ଲଢିଥିଲା ଓ ଏହାର ପ୍ରାର୍ଥୀମାନଙ୍କୁ ମୋଟ ୧ ଲକ୍ଷ ୪୦ ହଜାର ଭୋଟ ପାଇଥିଲେ । ଏହା ମଧ୍ୟରୁ ମନ୍ମଥଙ୍କ ପିତା ସୁର ରାଉତରାୟ ଜଟଣୀ ଆସନରୁ ୬୮ ହଜାର ୮୪୧ ଖଣ୍ଡ ଭୋଟ ପାଇଥିଲେ ଓ ବେଗୁନିଆରୁ ପ୍ରଦୀପ ସାହୁ ୫୩ ହଜାର ୧୩୦ ଖଣ୍ଡ ଭୋଟ ପାଇଥିଲେ । ଏଠାରେ ଏକ ବଡ଼ ପ୍ରଶ୍ନ ଉଠେ ଯଦି କଂଗ୍ରେସର ବିଧାନସଭା ପ୍ରାର୍ଥୀମାନେ ୧ ଲକ୍ଷ ୪୦ ହଜାର ପାଇଥିଲେ, ଜନାର୍ଦ୍ଦନ ପତି କିପରି ମାତ୍ର ୨୩ ହଜାର ୨୬ ଖଣ୍ଡ ଭୋଟ ପାଇଲେ ଓ ବାକି ୧ ଲକ୍ଷ ୧୭ ହଜାର ଭୋଟ କୁଆଡେ ଗଲା ? କଂଗ୍ରେସର ଅନ୍ୟ ଭୋଟଗୁଡ଼ିକ କୁଆଡେ ଗଲା ? ଏହି ୧ ଲକ୍ଷ ୧୭ ହଜାର ଭୋଟ ହିଁ ବିଜେଡ଼ି ପ୍ରାର୍ଥୀ ଅରୁପଙ୍କୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏପରିକି ସୁରଙ୍କଠାରୁ ୪୫ ହଜାର କମ ଭୋଟ ପାଇଥିଲେ ଜନାର୍ଦ୍ଦନ ।
ଏବେ ଏଥରର ନିର୍ବାଚନ କଥା ବିଚାରକୁ ଅଣାଯାଉ । ଗତଥର ବେଗୁନିଆରୁ ଲଢି ୫୩ ହଜାର ଭୋଟ ପାଇଥିବା କଂଗ୍ରେସର ପ୍ରଦୀପ ସାହୁ ଏଥର ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ସୁରଙ୍କ ପୁଅ ମନ୍ମଥ ବିଜେଡିରୁ ଲୋକସଭା ଆସନ ଲଢୁଛନ୍ତି । ଏଣୁ ଉଭୟ ପ୍ରଦୀପ ଓ ସୁରଙ୍କ ଭୋଟରଙ୍କ ଏକ ବଡ଼ଭାଗ ବିଜେଡିର ମନ୍ମଥଙ୍କୁ ଯିବ । ଅର୍ଥାତ୍ ମନ୍ମଥ ଏଥର ବିଜେଡିର ଭୋଟ ସମେତ ନିଜ ପିତା ସୁରଙ୍କ ଭୋଟ ପାଇବେ । ଏପରି ହେଲେ ଅପରାଜିତାଙ୍କ ପାଇଁ ଭୋଟ ଗଣିତ କଷ୍ଟକର ହୋଇପାରେ ।

ଏଥର ଭୁବନେଶ୍ବର ସହର କଥା ବିଚାରକୁ ନିଆଯାଉ । ସହରରେ ବସ୍ତିବାସିନ୍ଦାଙ୍କ ଭୋଟ ନିର୍ବାଚନ ଫଳାଫଳ ନିର୍ଦ୍ଧାରଣ କରିବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗତ ୫ ବର୍ଷ ହେଲା ବସ୍ତିବାସିନ୍ଦାଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଜମିପଟ୍ଟା ପ୍ରଦାନ ସହ ଆଉ କେତେ ପ୍ରକାର ଯୋଜନା କାର୍ୟ୍ୟକାରୀ କରିଛନ୍ତି । ଏହା ସତ୍ତ୍ବେ ବସ୍ତିର ସବୁ ଭୋଟ ବିଜେଡିକୁ ଯିବ ବୋଲି କୁହାଯାଇପାରିବ ନାହିଁ । କାହିଁକି ଗତ ୫ ବର୍ଷ ମଧ୍ୟରେ ଅପରାଜିତା ମଧ୍ୟ ବସ୍ତିଗୁଡ଼ିକରେ ଅନେକ ପ୍ରକାରର କଲ୍ୟାଣମୂଳକ କାର୍ୟ୍ୟ କରିଛନ୍ତି ଓ ଏକ ନିଜସ୍ବ ଭୋଟବ୍ୟାଙ୍କ ସୃଷ୍ଟି କରିପାରିଛନ୍ତି । ସେହିପରି ଭୁବନେଶ୍ବର ସହର, ଜଟଣି, ବେଗୁନିଆ ଆଦି ଅଂଚଳରେ ସେ କେତେକ ବିକାଶମୂଳକ କାମ କରିଛନ୍ତି । ଫଳରେ ତାଙ୍କର ଭୋଟ ବ୍ୟାଙ୍କ ବଢିଥିବ ନିଶ୍ଚୟ ।
ଏଣୁ ଗତ ଥରର ଭୋଟ ଗଣିତ ଏଥର ଯେ କାମ ଦେବ ତାହା କହିହେବ ନାହିଁ । ଗତ ୫ ବର୍ଷରେ ଅପରାଜିତାଙ୍କ ଲୋକପ୍ରିୟତା ଓ ଭୋଟବ୍ୟାଙ୍କ ବଢିଛି । ସେହିପରି ବିଜେଡିର ଭୋଟବ୍ୟାଙ୍କ ମଧ୍ୟ ବଦଳିଛି । ଦଳରେ ଅସନ୍ତୁଷ୍ଟ ସଂଖ୍ୟା ବଢିଛନ୍ତି । ସେହିପରି ଦେଶରେ ମୋଦୀ ହାଓ୍ବାର ମଧ୍ୟ ଏକ ପ୍ରଭାବ ରହିଛି । ଅପରାଜିତାଙ୍କ ପାଇଁ ଯଦି ମୋଦୀ ଭୁବନେଶ୍ବରରେ ଏକ ରାଲି କରନ୍ତି ତେବେ କିଛି ଭୋଟର ବିଜେପି ଆଡକୁ ଢଳିପାରନ୍ତି । କିନ୍ତୁ ସୁରଙ୍କ ନିଜସ୍ବ ଭୋଟରମାନେ ଯଦି ମନ୍ମଥଙ୍କୁ ଭୋଟଦିଅନ୍ତି ଅପରାଜିତାଙ୍କ ପାଇଁ ପରିସ୍ଥିତି କଷ୍ଟକର ହୋଇପାରେ ।

Leave A Reply

Your email address will not be published.